ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସ ଧରି ବନ୍ଦ ରହିବା ପରେ ଗୁରୁବାରଠାରୁ ଖୋଲିଛି ଭିତରକନିକା। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭରେ ମେ’ ମାସ ୧ ତାରିଖରୁ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା।

ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ଯାଇପାରିବେ। ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନବିଭାଗ ପକ୍ଷରୁ ବୋଟ ପ୍ରସ୍ତୁତ ରଖାଯାଇଛି।

ସେହିପରି ପର୍ଯ୍ୟଟକଙ୍କୁ ଏକ ରୋମାଞ୍ଚକର ଅନୁଭୂତି ଦେବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଚଳିତ ବର୍ଷ ଡଙ୍ଗାମାଳରେ ୧୫ ଫୁଟ ଉଚ୍ଚର ଏକ ସ୍କାଏୱାକ୍ ବ୍ରିଜ ନିର୍ମାଣ କରାଯାଇଛି। ଏହା ଦ୍ଵାରା ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ମିଳିବ।

ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଭିତରକନିକା ଗେଟ ପାଖରେ ବ୍ୟାଟେରି ଚଳିତ ଗାଡ଼ିର ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ବୋଟ ଯାଏଁ ଯିବାପାଇଁ ଏହାର ସୁବିଧା ନେଇପାରିବେ।

ଚଳିତବର୍ଷ କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ମେ’ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକାକୁ ବନ୍ଦ ରଖାଯାଇଥିଲା। ଏହି ୩ ମାସ ହେଉଛି ବଉଳା କୁମ୍ଭୀରମାନଙ୍କ ପ୍ରଜଜନ ଓ ଅଣ୍ଡା ଦେବାର ସମୟ। ଏହି ସମୟରେ କୁମ୍ଭୀରମାନେ ସ୍ଥଳଭାଗରେ ଜୁଆର ଅସୁନଥିବା ସ୍ଥାନକୁ ଉଠି ବସା ବାନ୍ଧି ଅଣ୍ତା ଦେଇଥାନ୍ତି।

ଅନ୍ୟପଟେ କୁମ୍ଭୀରମାନେ ପ୍ରଜନନ ଋତୁରେ ଅଧିକ ହିଂସ୍ର ହୋଇଥାନ୍ତି। ସେମାନଙ୍କୁ ବାଧାଦେଲେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏଥିଲାଗି ପ୍ରତିବର୍ଷ ମେ’ ପହିଲାରୁ ୩ ମାସ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥାଏ।

Tags: #BhitarKanikaNationalPark #Crocodile #Tourists #Kendrapara

LEAVE A REPLY

Please enter your comment!
Please enter your name here