ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଛି ବଡ଼ ଝଟକା। ମଉଳି ଗଲା ଭାରତର ସ୍ଵର୍ଣ୍ଣ ପଦକ ଆଶା। ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେଲେ କୁସ୍ତିଯୋଦ୍ଧା ଭିନେଶ ଫୋଗଟ।

ଧାର୍ଯ୍ୟ ଓଜନଠାରୁ ମାତ୍ର କିଛି ଗ୍ରାମ ଅଧିକ ଓଜନ ଥିବା କାରଣରୁ ଭିନେଶଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରୁ ଡିସକ୍ଵାଲିଫାଏଡ କରାଯାଇଛି। ଏ ନେଇ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ (ଆଇଓଏ) ପକ୍ଷରୁ ସୂଚନା ଜାରି କରାଯାଇଛି।

ମଙ୍ଗଳବାର ଦିନ ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତି ଇଭେଣ୍ଟ ସେମିଫାଇନାଲରେ ଭିନେଶ ଫୋଗଟ କ୍ୟୁବାର ରେସଲର ଗୁଜମାନ ଲୋପେଜ ୟୁସଲେନିସଙ୍କୁ ପରାସ୍ତ କରି ଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ବୁଧବାର ରାତିରେ ଭିନେଶ ଫୋଗଟ ଫାଇନାଲ ମ୍ୟାଚ ଖେଳିଥାନ୍ତେ, କିନ୍ତୁ ଏହା ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ବିରୋଧରେ ଆପତ୍ତି ଉଠାଇଛି ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ।

ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଡିସକ୍ଵାଲିଫାଏଡ ହେବା ଖବର ସାରା ଭାରତୀୟଙ୍କୁ ନିରାଶ କରିଛି। ଗତକାଲି ୫୦ କିଲୋଗ୍ରାମ ବର୍ଗରେ ସେମିଫାନାଲ ମ୍ୟାଚ ଜିତିଥିବା ଭିନେଶଙ୍କର ରାତାରାତି ଓଜନ ବଢ଼ିଯିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବାବେଳେ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଡିସକ୍ଵାଲିଫାଏଡ କରାଯିବା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହେଉଛି।

Tags: #ParisOlympics #VineshPhogat #Wrestling #Finals #Sports #India #VineshDisqualified

LEAVE A REPLY

Please enter your comment!
Please enter your name here