ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସର କୁସ୍ତି ପ୍ରତିଯୋଗିତାରୁ ଭାରତର ଭିନେଶ ଫୋଗଟ ଡିସକ୍ଵାଲିଫାଏ ହେବା କ୍ରୀଡ଼ା ପ୍ରେମୀମାନଙ୍କୁ ନିରାଶ କରିଛି। ଏହାପରେ ସେ କୁସ୍ତିରୁ ସନ୍ନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫାଇନାଲ ମ୍ୟାଚ୍ ପୂର୍ବରୁ ତାଙ୍କ ଓଜନ ପ୍ରାୟ ୧୦୦ ଗ୍ରାମକୁ ବୃଦ୍ଧି ପାଇଥିଲା। ତେଣୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ। ସେ ପଦକ ଜିତିବାର ଅତିପାଖରେ ଥିଲେ, କିନ୍ତୁ ଦୁର୍ଭାଗ୍ୟବଶତ ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲା।
ତେବେ ଭିନେଶ ଫୋଗାଟଙ୍କ ସହ ଏଭଳି ଘଟଣା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ସେ ବଡ଼ ବଡ଼ ପ୍ରତିଯୋଗୀତାରେ ପଦକ ଯିତିବାର ମଉକା ହାତ ଛଡ଼ା କରିଛନ୍ତି।
୨୦୧୬ – ରିଓ ଅଲିମ୍ପିକ୍ସ
୨୦୧୬ ମସିହାର ରିଓ ଅଲିମ୍ପିକ୍ସ ଭିନେଶଙ୍କ ପ୍ରଥମ ଅଲିମ୍ପିକ୍ସ ଥିଲା। ସମସ୍ତଙ୍କ ଆଶା ରହିଥିଲା ସେ ମ୍ୟାଡ଼ାଲ ଆଣିବେ। ପ୍ରଥମ ମ୍ୟାଚରୁ ସେ ବୈଷୟିକ ଶ୍ରେଷ୍ଠତା ଆଧାରରେ ୧୧-୦ରେ ବିଜୟୀ ହୋଇଥିଲେ। କ୍ଵାର୍ଟର ଫାଇନାଲରେ ଭିନେଶ ଚୀନର ସୁନ ୟାନାନଙ୍କ ସହ ଲଢ଼ିବାର ଥିଲା। ଏହି ମ୍ୟାଚରେ ଭିନେଶଙ୍କ ପ୍ରତିଦ୍ଵନ୍ଦ୍ଵୀ ଅଜାଣତରେ ତାଙ୍କ ଗୋଡ଼ ଉପରେ ପଡ଼ିଯାଇଥଲେ। ଯାହାଫଳରେ ତାଙ୍କ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗି ଯାଇଥିଲା। ତାଙ୍କୁ ପ୍ରତିଯୋଗିତାରୁ ବାହାର ହେବାକୁ ପଡ଼ିଥିଲା।
ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ୫ ମାସ ପର୍ଯ୍ୟନ୍ତ ସୁସ୍ଥ ହେବାକୁ ଲାଗିଥିଲା। ଏହାପରେ ଭିନେଶ ଫୋଗାଟ ୨୦୧୮ରେ କୁସ୍ତି ପ୍ରତିଯୋଗିତାକୁ ଫେରିଥିଲେ। ୨୦୧୮ ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ପାଇବାରେ ଭିନେଶ ଫୋଗାଟ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଥିଲେ।
୨୦୨୧ – ଟୋକିଓ ଅଲିମ୍ପିକ୍ସ
ଟୋକିଓ ଅଲିମ୍ପିକ୍ସରେ ଭିନେଶ ୫୩ କିଲୋଗ୍ରାମ ବର୍ଗରେ କୁସ୍ତି ପ୍ରତିଯୋଗିତାକୁ ଯାଇଥିଲେ। ପ୍ରଥମ ରାଉଣ୍ଡରେ ସେ ବିଜୟୀ ହୋଇଥିଲେ। ଏହାପରେ କ୍ଵାର୍ଟର ଫାଇନାଲରେ ବେଲାରୁସର ଭେନେସା କଲାଦନ୍ଜିସ୍କାୟା ସହ କୁସ୍ତି କରି ଭିନେଶ ଖେଳରୁ ବାଦ ପଡ଼ିଥିଲେ। ଏଠାରେ ସେ ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ।
ଟୋକିଓରେ ଭିନେଶ ଅନ୍ୟ କୁସ୍ତି ଯୋଦ୍ଧାଙ୍କ ସହ ପ୍ରଶିକ୍ଷଣ ନେବା ପାଇଁ ମନା କରିଦେଇଥିଲେ। ସେ ତାଙ୍କ ବ୍ୟକ୍ତିଗତ ଟ୍ରେନର ଓ୍ବାଲର ଅକୋସ ସହିତ ପ୍ରଶିକ୍ଷଣ ନେବାପାଇଁ କଥାବାର୍ତ୍ତା ହୋଇଥିଲେ। ଏହି ପରାଜୟ ପରେ ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫଆଇ) ଭିନେଶଙ୍କ ଆଚରଣକୁ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଅଲିମ୍ପିକ୍ସ ଶେଷ ହେବା ପରେ ଭିନେଶ ଫୋଗାଟଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଥିଲା।
୨୦୨୧ – ବିଶ୍ଵ କୁସ୍ତି ଚାମ୍ପିୟନସିପ
୨୦୨୧ ମସିହାରେ ବିଶ୍ଵ ଚାମ୍ପିୟନସିପ ପାଇଁ ଜାତୀୟ ଟ୍ରାଏଲ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ତାଙ୍କୁ ଆଘାତ ଲାଗିବାରୁ ଭିନେଶ ନିଜ ନାମକୁ ହଟାଇ ଦେଇଥିଲେ। କିଛି ଦିନ ପରେ ତାଙ୍କ କହୁଣୀର ସର୍ଜରୀ ହୋଇଥିଲା। ଏଥିପାଇଁ ସେ ବିଶ୍ଵ କୁସ୍ତି ଚାମ୍ପିୟନଶିପରୁ ବାଦ ପଡ଼ିଥିଲେ।
୨୦୨୨ରେ ପୁଣି କୁସ୍ତି ମୈଦାନକୁ ଫେରିଥିଲେ ଭିନେଶ। ସେ ବେଲଗ୍ରେଡରେ ଅନୁଷ୍ଠିତ ବିଶ୍ଵ କୁସ୍ତି ଚାମ୍ପିୟନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିବର୍ଷ ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ୨୦୨୩ ଜୁନ ମାସରେ ଭିନେଶଙ୍କ ଆଉ ଏକ କହୁଣୀର ସର୍ଜରୀ କରିବାକୁ ପଡ଼ିଥିଲା।
୨୦୨୩ – ଏସିଆନ ଗେମ୍ସ
୨୦୨୩ରେ ଚୀନରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ପ୍ରତିଦ୍ଵନ୍ଦ୍ଵିତା କରିବା ପାଇଁ ଭିନେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ଅଗଷ୍ଟ ମାସରେ ପ୍ରଶିକ୍ଷଣ ଅଧିବେଶନ ସମୟରେ ଭିନେଶଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ପୁଣି ସର୍ଜରୀ କରାଯାଇଥିଲା। ଏଥିପାଇଁ ସେ ଏସୀୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରି ପାରି ନଥିଲେ।
Tags: #VineshPhogat #Wrestling #Sports #India














