ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି ଭାରତର ନୀରଜ ଚୋପ୍ରା। ତାଙ୍କର ଏହି ପଦକ ସହ ଭାରତ ଚଳିତ ଅଲିମ୍ପିକ୍ସରେ ମୋଟ ୫ଟି ପଦକ ହାସଲ କରିଛି। ଅନ୍ୟପଟେ ଏହି ଇଭେଣ୍ଟରେ ପାକିସ୍ତାନର ଅର୍ଶଦ ନଦିମ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ଗୁରୁବାର ଅଲିମ୍ପିକ୍ସ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗିଥିଲେ ନୀରଜ ଚୋପ୍ରା। ସେ ତାଙ୍କ ଦ୍ଵିତୀୟ ପ୍ରୟାସରେ ସଫଳତାର ସହ ଏହି ଥ୍ରୋ କରିଥିଲେ। ଏହା ଚଳିତବର୍ଷର ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।

ଅନ୍ୟପଟେ ପାକିସ୍ତାନୀ ଆଥଲେଟ ଅର୍ଶଦ ନଦିମ ମଧ୍ୟ ନିଜ ଦ୍ଵିତୀୟ ପ୍ରୟାସରେ ୯୨.୯୭ ମିଟର ଜାଭେଲିନ୍ ଫିଙ୍ଗିଥିଲେ। ଏହି ଥ୍ରୋ ବଳରେ ସେ ଅଲିମ୍ପିକ୍ସରେ ଏକ ନୂତନ ରେକର୍ଡ ସୃଷ୍ଟି କରିବା ସହ ସ୍ଵର୍ଣ୍ଣ ପଦକ ଉପରେ ନିଜ ଅଧିକାର ପକ୍କା କରିଥିଲେ। ନୀରଜଙ୍କ ସମେତ ଅନ୍ୟ କୌଣସି ଆଥଲେଟ ଏହି ଦୂରତା ପାର କରି ପାରି ନଥିଲେ। ନୀରଜ ଆଉ ୩.୫ କିମ୍ବା ୪ ମିଟର ଅଧିକ ଜାଭେଲିନ୍ ଫିଙ୍ଗିଥିଲେ ସ୍ଵର୍ଣ୍ଣ ପଦକ ପାଇ ପାରିଥାନ୍ତେ।     

ତେବେ ୨୦୨୪ ଅଲିମ୍ପିକ୍ସରେ ନୀରଜଙ୍କ ପଦକ ହେଉଛି ଭାରତର ପଞ୍ଚମ ପଦକ। ଏହା ପୂର୍ବରୁ ଭାରତ ୪ଟି ବ୍ରୋଞ୍ଜ ପଦକ ଜିତିଛି। ସୁଟିଂରେ ୩ଟି ଏବଂ ହକିରେ ବ୍ରୋଞ୍ଜ ପଦକ ହାତେଇଛି ଭାରତ।

୨୦୨୧ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିବାରେ ନୀରଜ ପ୍ରଥମ ଭାରତୀୟ ଆଥଲେଟିକ୍ସ ଖେଳାଳି ହୋଇଛନ୍ତି।

Tags: #ParisOlympics #NeerajChopra #JavelinThrow #SilverMedal #Sports #India

LEAVE A REPLY

Please enter your comment!
Please enter your name here