ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ବେଆଇନ ନିର୍ମାଣକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା)। ସ୍ଥାନୀୟ ସିପସରୁବାଲି ମୌଜାରେ ନିର୍ମିତ ଇଭୋସ୍ ବିଲ୍ଡକନର ‘ସି ରୋଜେସ୍’ ଆପାର୍ଟମେଣ୍ଟର ଉପର ୩ ମହଲା ଭଙ୍ଗାଯିବ। ଏହାସହ ଇଭୋସ୍ ବିଲ୍ଡକନକୁ ୨ ମାସ ଭିତରେ ୯୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ଓରେରା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
‘ସି ରୋଜେସ୍’ ଆପାର୍ଟମେଣ୍ଟକୁ ୭ ମହଲା ବିଶିଷ୍ଟ ନିର୍ମାଣ ପାଇଁ ଇଭୋସ୍ ବିଲ୍ଡକନକୁ ପ୍ରାଥମିକ ଭାବେ ଅନୁମତି ମିଳିଥିଲା। ପୁରୀ-କୋଣାର୍କ ବିକାଶ ପ୍ରାଧିକରଣ (ପିକେଡିଏ) ତରଫରୁ ଏହି ୭ ମହଲା କୋଠାରେ ୨୪୯ଟି ଫ୍ଲାଟ୍ ରହିବା ନେଇ ଅନୁମତି ଦିଆଯାଇଥିଲା। ହେଲେ ଏହି ନିୟମ ଉଲ୍ଲଂଘନ କରି ଇଭୋସ୍ ସେଠାରେ ୩୫୫ ୟୁନିଟ୍ ବିଶିଷ୍ଟ ୧୦ ମହଲା ଆପାର୍ଟମେଣ୍ଟ ନିର୍ମାଣ କରିଛି। ଏହାସହ ବେଆଇନ ଭାବେ ଏହି ଆପାର୍ଟମେଣ୍ଟର ବର୍ଗକୁ ରେସିଡେନସିଆଲରୁ ରେସିଡେନସିଆଲ ସହ କମର୍ସିଆଲ କାଟାଗୋରିରେ ପରିବର୍ତ୍ତନ ମଧ୍ୟ କରାଯାଇଛି ବୋଲି ଏକ ମାମଲାର ବିଚାର କରି ଓରେରା ରାୟରେ ଉଲ୍ଲେଖ କରାଯାଇଛି।
ଇଭୋସ୍ ବିଲ୍ଡକନ ‘ସି ରୋଜେସ୍’ ଆପାର୍ଟମେଣ୍ଟର ଉପର ୩ ମହଲାକୁ ବେଆଇନ ଭାବେ ନିର୍ମାଣ କରିଥିବା ନେଇ ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ ଅଭିଯୋଗ କରିଥିଲେ। ଏନେଇ ସେ ଓରେରାକୁ ଇ-ମେଲ ମାଧ୍ୟମରେ ଜଣାଇଥିଲେ। ଆପାର୍ଟମେଣ୍ଟର ଉପର ୩ ମହଲା ନିର୍ମାଣ ପାଇଁ ଇଭୋସକୁ ପିକେଡିଏ ପକ୍ଷରୁ ଅନୁମତି ନେଇନଥିବା ଏଥିରେ କୁହାଯାଇଥିଲା।
ଏହି ଅଭିଯୋଗ ଆଧାରରେ ଓରେରା ନିଜ ଆଡୁ ମାମଲା ରୁଜୁ କରିଥିଲା। ଏହା ସହିତ ଓରେରା ଓ ପିକେଡିଏ ଟିମ୍ ମିଳିତ ଭାବେ ନିର୍ମାଣଧୀନ ଆପାର୍ଟମେଣ୍ଟ ପରିଦର୍ଶନ କରିଥିଲେ। ଏଥିରେ ଆପାର୍ଟମେଣ୍ଟ ବିରୋଧରେ ଲାଗିଥିବା ବିଭିନ୍ନ ଅଭିଯୋଗ ସତ୍ୟ ସାବ୍ୟସ୍ତ ହୋଇଥିଲା। ଇଭୋସ୍ ଏହି ଆପାର୍ଟମେଣ୍ଟ ନିର୍ମାଣରେ ରେରା ଆଇନର ଧାରା ୧୪(କ)କୁ ଉଲ୍ଲଂଘନ କରିଛି। ଏହାକୁ ଆଧାର କରି ଓରେରା ପକ୍ଷରୁ ଇଭୋସ୍ ବିଲ୍ଡକନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଓରେରା ଅଦାଲତରେ କେସ ନମ୍ବର ୭୫/୨୦୨୪ ଆଧାରରେ ଏହି ମାମଲାର ଶୁଣାଣି କରାଯାଇଥିଲା। ଓରେରାର ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବିଶ୍ଵାଳ ଏବଂ ନ୍ୟାୟିକ ସଦସ୍ୟ ଗୋପାଳ ଚନ୍ଦ୍ର ପଟ୍ଟନାୟକ ମାମଲାର ବିଚାର କରି ୨୦୨୪ ଅଗଷ୍ଟ ୭ ତାରିଖରେ ଏହି ଐତିହାସିକ ରାୟ ଶୁଣାଇଛନ୍ତି।
ଭାରତରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ବିରୋଧରେ ହୋଇଥବା କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ୨୦୨୨ରେ ନୋଏଡାର ୪୦ ମହଲା ବିଶିଷ୍ଟ ସୁପରଟେକ ‘ଟ୍ଵିନ୍ ଟାୱାର’ ଭଙ୍ଗାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ରେରା କୋର୍ଟ ଓ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବହୁତଳ କୋଠା ଭଙ୍ଗା ଯାଇଥିଲା।
ନିର୍ମାଣକାରୀ କମ୍ପାନି ତଥା ବିଲ୍ଡର ଆପାର୍ଟମେଣ୍ଟ ତିଆରି କରିବା ସମୟରେ ଅନେକ ନିୟମ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳୁଛି। ସେହିପରି ଗ୍ରାହକମାନେ ଘର ପାଇବା କ୍ଷେତ୍ରରେ ବିଭିନ୍ନ ପ୍ରକାର ଠକାମିର ଶିକାର ହେଉଛନ୍ତି। ଏହି ସବୁ ଅଭିଯୋଗର ସମାଧାନ ପାଇଁ ବର୍ତ୍ତମାନ ଦେଶର ସବୁ ରାଜ୍ୟରେ ରେରା ଆଇନ ବଳରେ ସ୍ଵତନ୍ତ୍ର କୋର୍ଟ ଖୋଲାଯାଇଛି। ଓଡ଼ିଶାରେ ଏହା ଓରେରା ଭାବେ ଜଣାଶୁଣା।
ବର୍ତ୍ତମାନ ଆଇନ ଅନୁଯାୟୀ ସବୁ ନିର୍ମାଣକାରୀ କମ୍ପାନି ତଥା ବିଲ୍ଡର ପ୍ରତି ପ୍ରକଳ୍ପକୁ ନିର୍ମାଣ କରିବା ପୂର୍ବରୁ ରେରା ଅଧୀନରେ ପଞ୍ଜୀକରଣ କରିବେ। ପ୍ରକଳ୍ପ ବାବଦରେ ବିଭିନ୍ନ ନିୟାମକ ସଂସ୍ଥାଠାରୁ ଅନୁମତି ଆଣିବେ। ଅନୁମତି ଅନୁସାରେ ହିଁ ଏହାର ନିର୍ମାଣ କାମ କରିବେ। ଅନୁମତିର ଖିଲାପ କଲେ କିମ୍ବା ଗ୍ରାହକଙ୍କୁ କୌଣସି ପ୍ରକାର ଠକିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏନେଇ ଓରେରା କୋର୍ଟରେ ଅନେକ ମାମଲାର ବିଚାରାଧୀନ ଥିବାର ସୂଚନା ମିଳିଛି।
Tags: #EvosBuildcon #SeaRosesApartment #IllegalConstruction #ORERA #Puri #Odisha