ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଆରମ୍ଭ ହୋଇଛି ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଶନିବାର କେନ୍ଦ୍ର ସଂସଦୀୟ ବ୍ୟପାର ମନ୍ତ୍ରୀ କିରେନ ରିଜିଜୁ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏଥିରେ ନୂଆ ବିଧାୟକଙ୍କୁ ଗୃହର ବିଭିନ୍ନ କାର୍ଯ୍ୟ ବାବଦରେ ପ୍ରଶିକ୍ଷଣ ଦିଆଯିବ। ତେବେ ବିରୋଧୀ ବିଜେଡି ଓ କଂଗ୍ରେସ କାର୍ଯ୍ୟକ୍ରମକୁ ବହିଷ୍କାର କରିଛନ୍ତି।

ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ ପରିଷଦର ସଦସ୍ୟ ତଥା ସବୁ ବିଜେପି ବିଧାୟକ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଏଠାରେ ନିଜର ବିଧାନସଭା ଓ ସଂସଦୀୟ ଯାତ୍ରା ବିଷୟରେ ସମସ୍ତଙ୍କୁ କହିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଧାନସଭାର ବରିଷ୍ଠ ସଦସ୍ୟମାନେ ନିଜର ଅଭିଜ୍ଞତା କହିବେ। ସେମାନେ ଗୃହର ନିୟମ ଓ ପ୍ରୋସିଡିଂ ବାବଦରେ ନୂଆ ବିଧାୟକଙ୍କୁ ଅବଗତ କରାଇବେ। ଏଥିରେ ବିଭିନ୍ନ ସେସନ ରହିବ।  

ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର କୌଣସି ବିଧାୟକ ଏହି ପାଠଶାଳାରେ ଯୋଗ ଦେଇନାହାନ୍ତି। ସେହିପରି କଂଗ୍ରେସର କୌଣସି ବିଧାୟକ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତାଙ୍କୁ ସାମିଲ କରି ବିଜେପି କେବଳ ଦଳୀୟ ରାଜନୀତି କରୁଛି ବୋଲି ବିରୋଧୀ ନେତାମାନେ ଅଭିଯୋଗ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଗୃହର ଗରିମା ନଷ୍ଟ ହେଉଥିବା କାରଣ ଦର୍ଶାଇ, ଏଥିରେ ବିଜେଡି ବିଧାୟକ ଭାଗ ନେବେ ନାହିଁ ବୋଲି ପୂର୍ବରୁ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଥିଲେ। କଂଗ୍ରେସ ପକ୍ଷରୁ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନଆସିବାକୁ ଘୋଷଣା କରାଯାଇଥିଲା।

Tags: #MLAOrientationProgramme #OdishaAssembly #BJP #BJD #Congress #Politics #Odisha

LEAVE A REPLY

Please enter your comment!
Please enter your name here