ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପାଇଁ ଅଡୁଆ ବଢ଼ିଛି। ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ଅନୁମତି ମିଳିଛି। ଜଣେ ସୂଚନା ଅଧିକାରୀ କର୍ମୀଙ୍କ ଆବେଦନ କ୍ରମେ ଏହି ଅନୁମତି ଦେଇଛନ୍ତି କର୍ଣ୍ଣାଟକର ରାଜ୍ୟପାଳ ଥୱାର ଚାନ୍ଦ ଗେହଲୋଟ୍।
କର୍ଣ୍ଣାଟକରେ ମୌସୁର ଅର୍ବାନ ଡେଭଲପମେଣ୍ଟ ଅଥରିଟିର (ଏମୟୁଡିଏ) ଜମି ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତିରେ ନିଜେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ସାମିଲ ଅଛନ୍ତି ବୋଲି ଆରଟିଆଇ କାର୍ଯ୍ୟକର୍ତ୍ତା ଟିଜେ ଆବ୍ରାହାମ ଅଭିଯୋଗ କରିଥିଲେ।
ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ଥିବାରୁ ପୂର୍ବରୁ ସିଦ୍ଧରମେୟା ବିରୋଧରେ ମାମଲା ରୁଜୁ ହୋଇ ପାରୁନଥିଲା। ଏଥିଲାଗି ଅନୁମତି ପାଇଁ ଟିଜେ ଆବ୍ରାହାମ ରାଜ୍ୟପାଳଙ୍କ ଦ୍ଵାରସ୍ଥ ହୋଇଥିଲେ। ଏବେ ଏହି ମାମଲାରେ ସିଦ୍ଧରମେୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ରାଜ୍ୟପାଳ ଅନୁମତି ଦେଇଛନ୍ତି।
କ’ଣ ରହିଛି ମାମଲା?
ମୌସୁର ନିକଟସ୍ଥ କେସାରା ଗ୍ରାମରେ ସିଦ୍ଧରମେୟାଙ୍କ ପତ୍ନୀ ପାର୍ବତୀଙ୍କର ୩ ଏକର ଜମି ଥିଲା। ୨୦୨୧ ମସିହାରେ ମୌସୁର ଅର୍ବାନ ଡେଭଲପମେଣ୍ଟ ଅଥରିଟି ପକ୍ଷରୁ ଏହାକୁ ଅଧିଗ୍ରହଣ କରାଯାଇଥିଲା। ତାଙ୍କୁ ଏହା ପ୍ରତିବଦଳରେ ଦକ୍ଷିଣ ମୌସୁର ଅପକଲ୍ ବିଜୟନଗର ଅଞ୍ଚଳରେ ଅନ୍ୟାନ୍ୟ ପ୍ଲଟ୍ ବଣ୍ଟନ କରାଯାଇଥିଲା।
ତେବେ ସିଦ୍ଧରମେୟାଙ୍କ ପତ୍ନୀଙ୍କୁ ମିଳିଥିବା ବିଜୟନଗର ପ୍ଲଟଗୁଡିକର ବଜାର ମୂଲ୍ୟ କେସାରାରେ ଥିବା ମୂଳ ଜମି ତୁଳନାରେ ଯଥେଷ୍ଟ ଅଧିକ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ଲଟ ଦିଆଯାଇଥିବା ଅଭିଯୋଗ ହୋଇଛି।
ଏହି ମାମଲାରେ କର୍ଣ୍ଣାଟକ ରାଜ୍ୟପାଳ ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହାସହ ସେ ମୁଖ୍ୟ ଶାସନ ସଚିବଙ୍କୁ ଏହି ମାମଲାର ସବୁ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
Tags: #Siddaramaiah #KarnatakaCM #CorruptionCase #LandScam #Karnataka