ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନର କିଙ୍ଗ ହାମାଦ ବିଶ୍ୱ ପ୍ରଦର୍ଶନୀ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୁବ ମହୋତ୍ସବ ଆୟୋଜିତ ହୋଇଛି। ଏଠାରେ ଭାରତୀୟ ଦୂତାବାସ ବାହାରିନ ଓଡ଼ିଆ ସମାଜ ସହଯୋଗରେ ଓଡ଼ିଶାର କଳା, ସଂସ୍କୃତି, ଉତ୍ପାଦ ଏବଂ ପର୍ଯ୍ୟଟନ ସୁବିଧା ପ୍ରଦର୍ଶନ କରି ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ବାହାରିନରେ କଳା, ସଂସ୍କୃତି, ବାଣିଜ୍ୟ ଏବଂ ପର୍ଯ୍ୟଟନର ଦ୍ୱିପାକ୍ଷିକ ଆଦାନ ପ୍ରଦାନ ଉଦ୍ଦେଶ୍ୟରେ ଦେଶର ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସମାରୋହର ଆୟୋଜନ କରାଯାଇଥିଲା।
ଏହି ଅନ୍ତର୍ଜାତୀୟ ଯୁବ ମହୋତ୍ସବ ଓ ପ୍ରଦର୍ଶନୀକୁ ସୋମବାର ବାହାରିନର ଯୁବ ବ୍ୟାପାର ମନ୍ତ୍ରୀ ରାୱାନ ବିଣ୍ଟ ନଜୀବ ତଫିକି ଉଦଘାଟନ କରିଥିଲେ। ଏହାପରେ ସେ ବାହାରିନରେ ଭାରତର ରାଷ୍ଟ୍ରଦୂତ ବିନୋଦ କେ ଜାକୋବ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ।
ଏହି ମଣ୍ଡପରେ ଓଡ଼ିଶାର ଆଦିବାସୀ ଉତ୍ପାଦ ସମେତ ପର୍ଯ୍ୟଟନ ସୁବିଧା, ଓଡ଼ିଶାର ପାରମ୍ପରିକ ବସ୍ତ୍ର, ବାଲୁକା କଳା ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହାସହ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପୁସ୍ତକ ଏବଂ ବିଭିନ୍ନ ଓଡ଼ିଆ ହସ୍ତ ଶିଳ୍ପ ଓ ହସ୍ତତନ୍ତ ଉତ୍ପାଦ ପ୍ରଦର୍ଶନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବାହାରିନର ଯୁବ ବ୍ୟାପାର ମନ୍ତ୍ରୀ ରାୱାନ ବିଣ୍ଟ ନଜୀବ ତଫିକି ଓ ରାଷ୍ଟ୍ରଦୂତ ବିନୋଦ କେ ଜାକୋବଙ୍କୁ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କୁ ଓଡ଼ିଶାର ପାରମ୍ପରିକ ଅଙ୍ଗବସ୍ତ୍ର ଏବଂ ବାହାରିନ ଓଡ଼ିଆ ସମାଜର ସ୍ମରଣିକା ‘ବାହାରିନ ଉତ୍କଳିକା’ ପ୍ରଦାନ କରାଯାଇଥିଲା।
“ବିଦେଶ ମାଟିରେ ଏହିଭଳି ଅନ୍ତର୍ଜାତୀୟ ଉତ୍ସବରେ ଅଂଶଗ୍ରହଣ କରିବା ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା ଓ ବାଣିଜ୍ୟ ପ୍ରଦର୍ଶନ କରିବା ଅତ୍ୟନ୍ତ ଗର୍ବର ବିଷୟ। ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ବ୍ରାଣ୍ଡ ଓଡ଼ିଶାକୁ ବିଦେଶରେ ପ୍ରୋତ୍ସାହିତ କରିବାର ସୁଯୋଗ ପାଇଲୁ। ଦୁଇ ମାସ ପୂର୍ବେ ଭାରତୀୟ ଦୂତାବାସରେ ଏକ ଜିଲ୍ଲା, ଏକ ଉତ୍ପାଦ କାର୍ଯ୍ୟକ୍ରମରେ ‘ଓଡ଼ିଶା ପ୍ରାଚୀର’ ଏକ ବଡ଼ ସଫଳତା ପାଇଥିଲା। ଭାରତ ଓ ବାହାରିନର ମଧ୍ୟରେ ସୁସମ୍ପର୍କ ପାଇଁ ବାହାରିନ ଓଡ଼ିଆ ସମାଜ ସେତୁ ଭଳି କାର୍ଯ୍ୟ କରିବ”, କହିଛନ୍ତି ଡକ୍ଟର ଅରୁଣ କୁମାର ପ୍ରହରାଜ।
ଏହି କାର୍ଯ୍ୟକ୍ରମରେ ବାହାରିନ ଓଡ଼ିଆ ସମାଜର ମହିଳା ସଦସ୍ୟମାନେ ଓଡ଼ିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏବଂ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରିଥିଲେ। ଏହା ସମସ୍ତଙ୍କ ମନ ଜିଣିଥିଲା।
Tags: #InternationalYouthFestival #ArtandCraftExhibition #Odisha #IndianEmbassy #BahrainOdiaSamaj #Bahrain