ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଆର୍ଥିକ ବର୍ଷରୁ ଭାରତରେ ଲାଗୁ ହେବାକୁ ଯାଉଛି ୟୁନିଫାଏଡ୍ ପେନସନ୍ ସ୍କିମ୍ (ୟୁପିଏସ)। ଏହାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ଏହାଦ୍ଵାରା ଦେଶର ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଉପକୃତ ହେବେ।
ୟୁନିଫାଏଡ୍ ପେନସନ୍ ସ୍କିମରେ ୨୫ ବର୍ଷ ପରେ ଚାକିରିରୁ ଅବସର ନେଲେ କର୍ମଚାରୀଜଣଙ୍କ ଶେଷ ୧୨ ମାସର ମୂଳ ଦରମାର ଅଧା ପେନସନ ଆକାରରେ ପାଇବେ।
ଏହି ପେନସନ୍ ସ୍କିମ ୨୦୨୫ ଏପ୍ରିଲ ୧ ତାରିଖରୁ ଲାଗୁ ହେବ। ନାସନାଲ ପେନସନ୍ ସ୍କିମରେ ପେନସନ ପାଉଥିବା ବ୍ୟକ୍ତିଙ୍କୁ ୟୁପିଏସ୍ ନେବା ଲାଗି ବିକଳ୍ପ ମିଳିବ। ସରକାର ଏଥିପାଇଁ ଏରିୟର ଦେବାକୁ ବ୍ୟବସ୍ଥା କରିଛନ୍ତି। ଯେଉଁ କର୍ମଚାରୀ ଅବସର ନେଇଛନ୍ତି ସେମାନଙ୍କୁ ମଧ୍ୟ ଏହାର ଫାଇଦା ମିଳିବ।
ତେବେ ଦେଶରେ ୨୦୦୪ ମସିହାରୁ ଲାଗୁ ହୋଇଥିବା ନ୍ୟାସନାଲ୍ ପେନସନ୍ ସ୍କିମ ତୁଳନାରେ ୟୁପିଏସରେ କ’ଣ ଫରକ ରହିଛି ଆସନ୍ତୁ ଜାଣିବା।
ୟୁନିଫାଏଡ୍ ପେନସନ ସ୍କିମ୍
- କୌଣସି ସରକାରୀ କର୍ମଚାରୀ ସର୍ବନିମ୍ନ ୨୫ ବର୍ଷ କାର୍ଯ୍ୟ କରିଥିଲେ, ଅବସର ନେବା ପୂର୍ବର ଶେଷ ୧୨ ମାସର ହାରାହାରି ବେତନର ୫୦ ପ୍ରତିଶତ ମାସିକ ପେନସନ୍ ଭାବରେ ପାଇବେ।
- ପେନସନଧାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ମୃତ୍ୟୁ ସମୟରେ ମିଳୁଥିବା ପେନସନର ୬୦ ପ୍ରତିଶତ ଅର୍ଥ ପେନସନ ଆକାରରେ ପାଇବେ।
- ଅତିକମରେ ୧୦ ବର୍ଷ କାର୍ଯ୍ୟ କରି ଅବସର ନେଲେ ହାରାହାରି ୧୦ ହଜାର ଟଙ୍କା ପେନସନ୍ ମିଳିବ।
- ମୁଦ୍ରାସ୍ଫୀତି ଅନୁଯାୟୀ ପେନସନ୍ ଉପରେ ଡିଆର ଟଙ୍କା ଦିଆଯିବ। ଏହାସହ ପେନସନଧାରୀମାନେ ନିଜ ଚାକିରିର ଶେଷ ୬ ମାସ ବେତନର ୧/୧୦ ଭାଗ ଗ୍ରାଚ୍ୟୁଟି ଆକାରରେ ପାଇବେ।
ନ୍ୟାସନାଲ୍ ପେନସନ୍ ସ୍କିମ ତୁଳନାରେ କ’ଣ ଫରକ?
ନ୍ୟାସନାଲ୍ ପେନସନ୍ ସ୍କିମ ଭଳି ୟୁପିଏସରେ କର୍ମଚାରୀ ଓ ସରକାରଙ୍କ ଅବଦାନ ରହିବ। ଏନପିଏସରେ ସରକାରୀ କର୍ମଚାରୀଙ୍କ ବେତନର ୧୦ ପ୍ରତିଶତ ଓ ସରକାରଙ୍କ ପକ୍ଷରୁ ୧୪ ପ୍ରତିଶତ ଅବଦାନ ରହିଥାଏ। ତେବେ ୟୁପିଏସରେ କର୍ମଚାରୀଙ୍କ ଅବଦାନ ୧୦ ପ୍ରତିଶତ ବଳବତ୍ତର ରହିବାବେଳେ ସରକାରୀ ଅବଦାନ ୧୮.୫ ପ୍ରତିଶତକୁ ବୃଦ୍ଧି ପାଇବ।
ଏନପିଏସ ବଜାର ସହିତ ଜଡ଼ିତ ସ୍କିମ୍ ହୋଇଥିବାରୁ ଏଥିରେ ପେନସନ୍ ରାଶି ପୂର୍ବରୁ ସ୍ଥିର ହୋଇନଥାଏ। ଅନ୍ୟପଟେ ୟୁପିଏସ୍ ଏକ ସୁନିଶ୍ଚିତ ପେନସନ୍ ପ୍ରଦାନ କରେ, ଯାହା ଲୋକଙ୍କ ପାଇଁ ବେତନର ୫୦ ପ୍ରତିଶତ ରହିଛି।
ଏନପିଏସରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରକୁ ମିଳିବାକୁ ଥିବା ପେନସନ୍ ରାଶି, ପାଣ୍ଠିରେ ଜମା ହୋଇଥିବା ଅର୍ଥ ଓ ଅବସର ସମୟରେ ମନୋନୀତ ବାର୍ଷିକ ଯୋଜନା ଉପରେ ନିର୍ଭର କରେ। ଅନ୍ୟପଟେ ୟୁପିଏସରେ ବ୍ୟକ୍ତିଙ୍କ ପେନସନର ୬୦ ପ୍ରତିଶତ ଅର୍ଥ ପରିବାରକୁ ମିଳିବ।
Tags: #UnifiedPensionScheme #NationalPensionScheme #GovtEmployees #India