ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରୁ ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନେଇ ଆସିଥିବା ବିମାନ ଭାରତରେ ପହଞ୍ଚିଛି। ପଞ୍ଜାବ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବିମାନଟି ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଏଥିରେ ମୋଟ ୧୦୪ ଜଣ ଭାରତୀୟ ରହିଛନ୍ତି।
ଭାରତ ଫେରିଥିବା ଏହି ୧୦୪ ଜଣଙ୍କ ମଧ୍ୟରେ ଅଛନ୍ତି ୭୯ ଜଣ ପୁରୁଷ, ୨୫ ଜଣ ମହିଳା ଓ ୧୩ ଜଣ ଶିଶୁ। ସେମାନଙ୍କ ମଧ୍ୟରୁ ୩୩ ଜଣ ହେଉଛନ୍ତି ଗୁଜରାଟର ନିବାସୀ ହୋଇଥିବାବେଳେ ୩୦ଜଣ ପଞ୍ଜାବର ରହିଛନ୍ତି। ସେମାନଙ୍କ ପୋଲିସ ଭେରିଫିକେସନ କରାଯାଇ ନିଜ ନିଜ ଘରକୁ ପଠାଯିବ।
ପ୍ରବାସୀ ଭାରତୀୟଙ୍କୁ ନେଇ ଆମେରିକୀୟ ବାୟୁସେନାର ସି-୧୭ ବିମାନ ଟେକ୍ସାସରୁ ଅମୃତସର ଅଭିମୁଖେ ଉଡ଼ାଣ ଭରିଥିଲା। ପୂର୍ବରୁ ସୂଚନା ଥିଲା ଯେ ବିମାନ ୨୦୫ ଜଣ ପ୍ରବାସୀ ଭାରତୀୟଙ୍କୁ ଧରି ଆସୁଛି, କିନ୍ତୁ ଏବେ ୧୦୪ ଜଣ ହିଁ ଆସିଥିବା ସ୍ପଷ୍ଟ ହୋଇଛି।
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାପରେ ଦେଶରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କ ପ୍ରତି ନିୟମ କଠୋର ହୋଇଛି। ସେମାନଙ୍କୁ ବହିଷ୍କାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ଆମେରିକାର ବିଦେଶ ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନ ୧୮ ହଜାରରୁ ଅଧିକ ଭାରତୀୟ ବେଆଇନ ଭାବେ ଆମେରିକାରେ ରହୁଛନ୍ତି। ସେମାନଙ୍କ ଭିସା ଅବଧି ଶେଷ ହେବା ପରେ ମଧ୍ୟ ସେମାନେ ଆମେରିକାରେ ରହୁଛନ୍ତି। ଏହାସହ କିଛି ଭାରତୀୟ ମେକ୍ସିକୋ ଓ କାନାଡା ପଟୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରି ଧରା ପଡ଼ିଛନ୍ତି।
ଭାରତ ସରକାର ପ୍ରବାସୀ ଭାରତୀୟଙ୍କୁ ପୁଣି ସ୍ଵଦେଶ ଫେରାଇ ଆଣିବା ପାଇଁ ଆମେରିକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଥିଲେ।
Tags: #IllegalImmigrants #NRI #USA #Immigration #India