ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ୍। ସୋମବାର ଦିନ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନା ଗାଇଡଲାଇନ୍ ଜାରି କରାଯାଇଛି। ୨୧ରୁ ୬୦ ବର୍ଷ ବୟସର ମହିଳାମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନ ପାଇଁ ଆଧାର କାର୍ଡ ଜନ୍ମ ତାରିଖକୁ ଗୁରୁତ୍ଵ ଦିଆଯାଇଛି।

ସୁଭଦ୍ରା’ ଯୋଜନା ପାଇଁ କେଉଁମାନେ କରିପାରିବେ ଆବେଦନ?

‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ଲାଗି ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ।

ଆବେଦନକାରୀଙ୍କ ବୟସ ଆଧାର କାର୍ଡ ଜନ୍ମ ତାରିଖ ଅନୁଯାୟୀ ୨୧ରୁ ଅଧିକ ଓ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ।

୨୦୨୪-୨୫ ଆର୍ଥିକ ବର୍ଷ ଲାଗି ୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ କିମ୍ବା ତା’ଠାରୁ ଅଧିକ ହୋଇଥିବା ଏବଂ ୬୦ ବର୍ଷରୁ କମ୍ ହୋଇଥିବ। ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ବୟସ ସୀମା ନିର୍ଦ୍ଧାରଣ କରିବେ।

କେଉଁମାନେ କରିପାରିବେନି ଆବେଦନ?

୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ବୟସ ହୋଇଥିବା ମହିଳା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ।

ଯେଉଁ ମହିଳାମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଯୋଜନାରେ ମାସିକ ୧୫୦୦ ଟଙ୍କା ବା ତା’ଠାରୁ ଅଧିକ ଏବଂ ବାର୍ଷିକ ୧୮ ହଜାର କିମ୍ବା ତା’ଠାରୁ ଅଧିକ ଟଙ୍କା ପାଉଥିବେ ସେମାନେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ। ଏଥିରେ ପେନସନ ଓ ଛାତ୍ରବୃତ୍ତି ସାମିଲ ରହିଛି।

ଯେଉଁ ମହିଳା କିମ୍ବା ସେମାନଙ୍କ ପରିବାର ସଦସ୍ୟ ବର୍ତ୍ତମାନ ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ଥିବେ ସେମାନେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ।

ଯେଉଁ ମହିଳା କିମ୍ବା ସେମାନଙ୍କ ପରିବାର ସଦସ୍ୟ ଆୟକର ଦେଉଥିବେ ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ।

ଯେଉଁ ମହିଳା କିମ୍ବା ସେମାନଙ୍କ ପରିବାର ସଦସ୍ୟ ପୌରାଞ୍ଚଳ କିମ୍ବା ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ହୋଇଥିବେ ସେମାନେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ।

ଯେଉଁ ମହିଳାମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ, ବୋର୍ଡ, ସ୍ଥାନୀୟ ସଂସ୍ଥା, ସଂଗଠନ, ନିୟମିତ, ସ୍ଥାୟୀ କିମ୍ବା ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ନିଯୁକ୍ତ ଥିବେ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।

ଯଦି ଏହି କର୍ମଚାରୀମାନେ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ପାଇଥିବେ ସେମାନେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ।

ଯେଉଁ ମହିଳାମାନେ କୌଣସି ସରକାରୀ ବିଭାଗ, ବୋର୍ଡ, ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ମନୋନୀତ ପ୍ରତିନିଧି ହୋଇଥିବେ ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ।

ଯେଉଁ ମହିଳାମାନଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ସେମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ।

ଯେଉଁ ମହିଳାମାନେ ଟ୍ରାକ୍ଟର, ମିନିଟ୍ରକ, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ଚାରି ଚକିଆ ଯାନର ମାଲିକ ହୋଇଥିବେ ସେମାନେ ମଧ୍ୟ ଏହି ଯୋଜନାରୁ ଲାଭ ପାଇପାରିବେ ନାହିଁ।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ୨୦୨୪-୨୫ ଆର୍ଥିକ ବର୍ଷରୁ ଆରମ୍ଭ ହୋଇ ୨୦୨୮-୨୯ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ମୋଟ ୫୫ ହଜାର ୮୨୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ପାଇଁ ଏହି ଯୋଜନା ଲାଗି ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

‘ସୁଭଦ୍ରା’ ଯୋଜନାରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ଵ ମହିଳା ହିତାଧିକାରୀ ଉପକୃତ ହେବେ। ୨୧ରୁ ୬୦ ବର୍ଷର ମହିଳା ପାଇବେ ‘ସୁଭଦ୍ରା’ ଯୋଜନା ଟଙ୍କା। ବର୍ଷକୁ ଦୁଇଟି ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ରାଜ୍ୟ ସରକାର। ଏହି ଅର୍ଥ ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବ। ୫ ବର୍ଷରେ ମହିଳା ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ।

ସେହିପରି ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳରେ ସର୍ବାଧିକ ଡିଜିଟାଲ କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

କେମିତି କରିବେ ଆବେଦନ?

‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ପାଇଁ ପ୍ରଥମେ ମହିଳା ହିତାଧିକାରୀଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ‘ସୁଭଦ୍ରା’ ପୋର୍ଟାଲରେ ଅନଲାଇନରେ ଆବେଦନ କରିହେବ। ଏହା ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ର ଆଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିବାକୁ ହେବ।  ହିତାଧିକାରୀଙ୍କ ସୁବିଧା ନିମନ୍ତେ ‘ସୁଭଦ୍ରା’ ଯୋଜନା ପାଇଁ ଏକ କଲସେଣ୍ଟର ଖୋଲାଯିବ। ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସମସ୍ତ ସୂଚନା ଏଠାରୁ ମିଳିପାରିବ। ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଏହାର ଯାଞ୍ଚ କରାଯିବ।

Tags: #Odisha #SubhadraYojana #Guideline #SOP #OdishaGovt

LEAVE A REPLY

Please enter your comment!
Please enter your name here