ଓଡ଼ିଶାଲାଇଭ୍ ବ୍ୟୁରୋ
ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ‘ପାୱର୍ ୱିଦିନ୍: ଦ ଲିଡରସିପ୍ ଲେଗାସି ଅଫ୍ ନରେନ୍ଦ୍ର ମୋଦୀ’ ପୁସ୍ତକ ଉନ୍ମୋଚିତ ହୋଇଛି। ବୁଧବାର ଏସଆରବି କନସଲଟେନ୍ସିର ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଭାରତ ସରକାରଙ୍କ ଆଟର୍ଣ୍ଣି ଜେନେରାଲ ଆର୍. ଭେଙ୍କଟରାମଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
‘ପାୱର୍ ୱିଦିନ୍: ଦ ଲିଡରସିପ୍ ଲେଗାସି ଅଫ୍ ନରେନ୍ଦ୍ର ମୋଦୀ’ ପୁସ୍ତକଟି ଭାରତର ବିଶିଷ୍ଟ ଲେଖକ ତଥା ସମାଜସେବୀ ଡାକ୍ତର ଆର୍. ବାଲାସୁବ୍ରମଣ୍ୟମଙ୍କ ଦ୍ଵାରା ରଚିତ। ପୁସ୍ତକଟି ପୂର୍ବରୁ ଭାରତର ପ୍ରମୁଖ ସହରରେ ଉନ୍ମୋଚିତ ହୋଇ ସାରିଥିବାବେଳେ ପୂର୍ବ ଭାରତରେ ବୁଧବାର ଭୁବନେଶ୍ୱରରେ ଏହାର ପ୍ରଥମ ଉନ୍ମୋଚନ କରାଯାଇଛି।
ପୁସ୍ତକର ଉନ୍ମୋଚନ ଅବସରରେ ‘ଲିଡରସିପ ଥ୍ରୁ ଇଣ୍ଡିକ ୱିସଡମ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫୦ ବର୍ଷର ଜନସେବା ଯାତ୍ରାକୁ ପାରମ୍ପରିକ ଭାରତୀୟ ନୈତିକତା କିପରି ପ୍ରଭାବିତ କରିଛି, ସେ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ।
“ପାୱର୍ ୱିଦିନ୍ ପୁସ୍ତକଟିକୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଶିଷ୍ଟ ନେତୃତ୍ୱ ପ୍ରତି ଗଭୀର ସମ୍ମାନ ଜଣାଇ ଲେଖିଛି। ଏହି ପୁସ୍ତକଟିକୁ ପାଠକମାନେ ଯେପରି ଭଲ ପାଇବା ଦେଇଛନ୍ତି, ତାହା ମତେ ଆନନ୍ଦ ଦେଉଛି। ମୋର ଲକ୍ଷ୍ୟ ଥିଲା କେବଳ ଜଣେ ନେତାଙ୍କର କାହାଣୀ ପ୍ରସ୍ତୁତ କରିବା ନୁହେଁ, ବରଂ ନେତୃତ୍ୱର କାହାଣୀ ପ୍ରସ୍ତୁତ କରିବା। ଏହା ଆମର ସାଂସ୍କୃତିକ ମୂଳ୍ୟବୋଧ ସହ ଆମକୁ ନେତୃତ୍ୱ କରିବାକୁ ପ୍ରେରିତ କରିବ। ପାଠକମାନେ ଏଥିରୁ ପ୍ରେରଣା ପାଇବେ ବୋଲି ମୋର ଆଶା”, କହିଛନ୍ତି ଲେଖକ ଡାକ୍ତର ଆର୍. ବାଲାସୁବ୍ରମଣ୍ୟମ।
‘ପାୱର୍ ୱିଦିନ୍’ ପୁସ୍ତକରେ ନେତୃତ୍ୱ ଉପରେ ଗଭୀର ଅନୁସନ୍ଧାନ ରହିଛି। ଏଥିରେ ପଶ୍ଚାତ୍ୟ ସିଦ୍ଧାନ୍ତଗୁଡ଼ିକ ସହ ଭାରତୀୟ ଦୃଷ୍ଟିକୋଣର ତୁଳନା କରାଯାଇଛି। ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଓ ଜନସେବାର ଯାତ୍ରା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାମକୃଷ୍ଣ ମଠର ଅଧ୍ୟକ୍ଷ ସ୍ୱାମୀ ଆତ୍ମପ୍ରଭାନନ୍ଦ, ଇଣ୍ଡିଆନ ସେଣ୍ଟର ଫର ଏକାଡେମିକ ରାଙ୍କିଙ୍ଗର ପ୍ରତିଷ୍ଠାତା ଡକ୍ଟର କାର୍ତ୍ତିକ ଶ୍ରୀଧର, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଏବଂ ବିଶ୍ୱବିଦ୍ୟାଳର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
Tags: #PowerWithin #BookLaunch #Leadership #CenturionUniversity #Bhubaneswar