ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଲେଡିଜ ହଷ୍ଟେଲର ବାଥରୁମରେ ଲାଗିଥିଲା ହିଡେନ କ୍ୟାମେରା। ଏହି ଘଟଣା ଜଣାପଡ଼ିବା ପରେ ସଂପୃକ୍ତ କଲେଜ କ୍ୟାମ୍ପସ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। ହିଡେନ କ୍ୟାମେରା ଲଗାଇବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଜଣେ ଛାତ୍ରଙ୍କୁ ଗିରଫ କରିଛି।

କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ଗୁଡିୱାଡାରେ ଥିବା ଏକ ଘରୋଇ ଇଞ୍ଜିନିରିଂ କଲେଜରେ ଏହି କାଣ୍ଡ ଘଟିଛି। ଲେଡିଜ ହଷ୍ଟେଲର ବାଥରୁମରେ ହିଡେନ କ୍ୟାମେରା ଲଗାଇ ଛାତ୍ରୀମାନଙ୍କ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ବିକ୍ରି କରାଯାଉଥିଲା। ଅଭିଯୁକ୍ତ ଜଣକ ଛାତ୍ରୀମାନଙ୍କ ଫଟୋ ଏବଂ ଭିଡିଓକୁ କଲେଜ ଓ କଲେଜ ବାହାରର କିଛି ଛାତ୍ରଙ୍କୁ ବିକ୍ରି କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ହିଡେନ କ୍ୟାମେରା ଘଟଣା ଜଣାପଡ଼ିବା ପରେ ଏହାର ପ୍ରତିବାଦ ରାସ୍ତାକୁ ଓହ୍ଲାଇ ଥିଲେ କଲେଜର ଶତାଧିକ ଛାତ୍ରଛାତ୍ରୀ। ଅଭିଯୁକ୍ତର ଗିରଫ ସହ ଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ନାରା ଲଗାଇଥିଲେ ଛାତ୍ରଛାତ୍ରୀ। ଖବର ପାଇଁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ।

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ତୁରନ୍ତ ଖୋଳତାଡ଼ ଆରମ୍ଭ କରିଥିଲା। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୋଲିସ ଜଣେ ଛାତ୍ରଙ୍କୁ ଗିରଫ କରିବା ସହ ଥାନାକୁ ନେଇ ପଚରା ଉଚରା ଜାରି କରୁଛି। ଏହି ଘଟଣାରେ କେବଳ ଜଣେ ଛାତ୍ର ନା ଏଥିରେ କୌଣସି ରାକେଟ କାମ କରୁଛି ତା’ର ଖୋଳତାଡ଼ ଆରମ୍ଭ କରିଛି ପୋଲିସ।

କେବେଠାରୁ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିଲା, ଏଥିରେ ସେ ଏକା ନା ଆଉ କେହି ସାମିଲ ଅଛନ୍ତି ଏବଂ ଲେଡିଜ ହଷ୍ଟେଲ ବାଥରୁମ ଭିତରେ ପଶି ଜଣେ ଛାତ୍ର କେମିତି କ୍ୟାମେରା ଖଞ୍ଜିଲେ, ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Tags: #AndhraPradesh #Hiddencamerainladieshostelbathroom #Protest #PoliceInvestigation

LEAVE A REPLY

Please enter your comment!
Please enter your name here