କପିଳାସ ଭୂୟାଁ
କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ୨୦୨୩ ମସିହା ପାଇଁ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଓ ଚଳଚ୍ଚିତ୍ର ଆଧାରିତ ପୁସ୍ତକ ଓ ସମୀକ୍ଷା ଆଦି ନିମନ୍ତେ ପ୍ରଯୋଜକ ଓ ଲେଖକ/ସମୀକ୍ଷକମାନଙ୍କଠାରୁ ଆବେଦନ ଗ୍ରହଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ପ୍ରତିବର୍ଷ ନିର୍ଦ୍ଧାରିତ ସମୟ ଜାନୁଆରି ମାସ ହୋଇଥିବା ବେଳେ ପୂର୍ବ ବର୍ଷ ତଥା ଏ ବର୍ଷ ପାଇଁ ସେଥିରେ ବିଳମ୍ବ ହୋଇଛି।
ସେ ଯାହା ବି ହେଉ, ୧ ଜାନୁଆରି, ୨୦୨୩ ଓ ୩୧ ଡିସେମ୍ବର ୨୦୨୩ ମଧ୍ୟରେ ସିବିଏଫସି ପକ୍ଷରୁ ପ୍ରମାଣପତ୍ର ହାସଲ କରିଥିବା ଚଳଚ୍ଚିତ୍ରଗୁଡ଼ିକର ପ୍ରଯୋଜକମାନେ ଏବଂ ସେହି ସମୟ ଅବଧିରେ ପ୍ରକାଶ ପାଇଥିବା ବିଭିନ୍ନ ଭାରତୀୟ ଭାଷାରେ ଚଳଚ୍ଚିତ୍ର ଆଧାରିତ ପୁସ୍ତକ ଓ ସମୀକ୍ଷାଗୁଡ଼ିକୁ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ନିମନ୍ତେ ବିଚାରଭୁକ୍ତ କରାଯିବ।
ଉଲ୍ଲେଖନୀୟ କି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ପାଇଁ ଚଳଚ୍ଚିତ୍ର ପ୍ରଯୋଜକମାନେ ୧୮ ସେପ୍ଟେମ୍ବର, ୨୦୨୪ ସନ୍ଧ୍ୟା ୫ଟା ସୁଦ୍ଧା ଆବେଦନ କରିପାରିବେ।
ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିୟମଟି ହେଲା ଯେ ବିଚାରଭୁକ୍ତ ହେବା ପାଇଁ ବିଭିନ୍ନ ଭାରତୀୟ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ରଗୁଡ଼ିକର ଇଂରାଜୀରେ ସବଟାଇଟଲ ହୋଇଥିବା ଜରୁରୀ, ନଚେତ ତାହା ବିଚାରଭୁକ୍ତ ହେବ ନାହିଁ। କାହିଁକି?
ମୂଳ କଥା ହେଲା ଆମ ଦେଶର ବିଭିନ୍ନ ପ୍ରଦେଶରେ ରହୁଥିବା ଲୋକେ ଏକାଧିକ ଭାରତୀୟ ଭାଷା ବ୍ୟବହାର କରନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଚୟନ କରିବାକୁ ଗଠିତ ବିଚାରକ ମଣ୍ଡଳୀକୁ ବିଭିନ୍ନ ରାଜ୍ୟର ଯଶସ୍ଵୀ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକମାନେ ରହିଥାନ୍ତି। ତେଣୁ ସେମାନେ ସମସ୍ତେ ବିଭିନ୍ନ ଆଞ୍ଚଳିକ ଭାଷାକୁ ବୁଝି ପାରିବା ସମ୍ଭବ ନୁହେଁ। ଚଳଚ୍ଚିତ୍ରଗୁଡ଼ିକର ବିଭିନ୍ନ ଭାଷାରେ କୁହାଯାଉଥିବା କଥା ସେହି ବିଚାରକମାନେ ବୁଝି ନପାରିଲେ ସେମାନେ ପୁରସ୍କାର ପାଇଁ କେଉଁ ଚଳଚ୍ଚିତ୍ରଗୁଡ଼ିକ ଯୋଗ୍ୟ କି ନୁହେଁ ତାହା ଜାଣିବେ କେମିତି?
ଏଭଳି ସ୍ଥିତିରେ ଇଂରାଜୀକୁ ଏକ ବ୍ରିଜିଂ ବା ଯୋଗାଯୋଗ ଭାଷା ରୂପେ ଗ୍ରହଣ କରାଯାଇଛି। ତେଣୁ ପୁରସ୍କାର ପାଇଁ ଆବେଦନ କରୁଥିବା ଚଳଚ୍ଚିତ୍ରଗୁଡ଼ିକର ଇଂରାଜୀ ସବଟାଇଟଲ ରହିବାକୁ ବାଧ୍ୟତାମୂଳକ କରାଯାଇଛି, ଯାହାକି ସମୁଦାୟ ଚୟନ ପ୍ରଣାଳୀକୁ ସହଜସାଧ୍ୟ କରୁଛି।
ଆଜିର ଦିନରେ କୁହାଯାଉଛି କି ସ୍ଥାନୀୟ ହିଁ ବୈଶ୍ଵିକ, ଅର୍ଥାତ ‘ଲୋକାଲ ଇଜ ଗ୍ଲୋବାଲ’। ଏହାକୁ ଆଧୁନିକ ଯୁଗର ଏକ ବାସ୍ତବିକତା କହିଲେ କିଛି ଭୁଲ ହେବନାହିଁ। ସାରା ବିଶ୍ଵ ବିଭିନ୍ନତାର ସମାହାର। ସେଥିରେ ରହିଛି କେତେ ଦେଶ, କେତେ ଲୋକ, କେତେ ନଦନଦୀ ଓ ସାଗର, କେତେ ସମାଜ, ସଂସ୍କୃତି, ରୀତିନୀତି ଓ ପରମ୍ପରା ତଥା ଐତିହ୍ୟ – ସେସବୁ ପ୍ରତ୍ୟେକ ଅନ୍ୟଠାରୁ ପୃଥକ। ସେହିଭଳି କୋଟିକୋଟି ଲୋକ ଭାବ ପ୍ରକାଶ କରିବା ପାଇଁ ବ୍ୟବହାର କରନ୍ତି ଅସଂଖ୍ୟ ଭାଷା ଓ ଉପଭାଷା – ସମସ୍ତେ ତାହାକୁ ବୁଝିବା ଆଦୌ ସମ୍ଭବ ନୁହେଁ।
ସେହିଭଳି ଗୋଟିଏ ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମ ରୂପେ ଓ ବୈଷୟିକ ବିଜ୍ଞାନର ଅଭିବୃଦ୍ଧି କ୍ରମେ ଚଳଚ୍ଚିତ୍ର ହିଁ ସାରା ବିଶ୍ଵର ସମସ୍ତଙ୍କ ନିକଟରେ ସହଜରେ ପହଞ୍ଚି ପାରିବାର ସମ୍ଭାବନାଟିଏ ରହିଛି। ସେହି ସମ୍ଭାବନାକୁ ବାସ୍ତବ କରିବା କ୍ଷେତ୍ରରେ ସବଟାଇଟଲର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ।
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ପାଇଁ ଚୟନ ନିମନ୍ତେ ସିନା ଇଂରାଜୀ ସବଟାଇଟଲରେ କାମ ଚଳି ଯାଉଛି, କିନ୍ତୁ ସର୍ବସାଧାରଣରେ ପ୍ରଦର୍ଶନ କାଳରେ ହୁଏତ ସେତିକି ଯଥେଷ୍ଟ ନୁହେଁ। ଅର୍ଥାତ, ଆମ ଦେଶ ବା ପୃଥିବୀର ଅନ୍ୟ କୌଣସି ଦେଶର ଚଳଚ୍ଚିତ୍ରକୁ ଇଂରାଜୀ ସବଟାଇଟଲ ସହ ଓଡ଼ିଶାରେ ପ୍ରଦର୍ଶିତ କରାଗଲେ ଏଠାକାର ସମସ୍ତ ଦର୍ଶକମାନଙ୍କ ପାଇଁ ତାହା ହୁଏତ ବୋଧଗମ୍ୟ ହେବା ପାଇଁ ଯଥେଷ୍ଟ ହେବନାହିଁ। ଏଭଳି ସ୍ଥିତିରେ ଇଂରାଜୀ ସମେତ ଅନ୍ୟ ସମସ୍ତ ଭାଷାରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକର ଓଡ଼ିଆରେ ସବଟାଇଟଲ କରିବା ଅଧିକନ୍ତୁ ଗ୍ରହଣୀୟ ହୋଇପାରିବ ନିଶ୍ଚୟ। ତାହା ବ୍ୟବସାୟିକ କାରଣରୁ କିମ୍ବା ସୂଚନା ପ୍ରସାରଣ କାରଣ ନିମନ୍ତେ ହୋଇଥାଉ ନା କାହିଁକି।
ଅବଶ୍ୟ ସମସ୍ତଙ୍କ ପାଇଁ ସହଜରେ ବୁଝିବା ଲାଗି ଚଳଚ୍ଚିତ୍ରଗୁଡ଼ିକର ଡବିଙ୍ଗ ବା ପାରା-ଡବିଙ୍ଗ କରିବା ଆଉ ଏକ ଉପାୟ। ତେବେ ପାରା-ଡବିଙ୍ଗ ଚଳଚ୍ଚିତ୍ରଗୁଡ଼ିକର ଗତିଶୀଳତାରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ତାହା ସାର୍ବଜନୀନ ଗ୍ରହଣୀୟତା ହାସଲ କରିପାରି ନାହିଁ।
ଅନ୍ୟ ପକ୍ଷରେ ଡବିଙ୍ଗ ଯଥେଷ୍ଟ ପ୍ରଭାବଶାଳୀ ବୋଲି ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରେ। କିନ୍ତୁ ଏହା କରିବାକୁ ଏକ ନିର୍ଦ୍ଦିଷ୍ଟ ଭାଷାରେ ଯଥେଷ୍ଟ ସଂଖ୍ୟାରେ ବାକ୍ ନିପୁଣ କଳାକାର ଥିବା ଦରକାର, ନଚେତ ତାହା ଫଳବତୀ ହେବ ନାହିଁ।
ତେଣୁ ଇଂରାଜୀ ତଥା ସ୍ଥାନୀୟ ଭାଷାରେ ଚଳଚ୍ଚିତ୍ରଗୁଡ଼ିକର ସବଟାଇଟଲ କରିବା ହେଉଛି ଅଳ୍ପ ବ୍ୟୟରେ ଓ ସହଜରେ ଲକ୍ଷ୍ୟ ହାସଲ କରିବାର ଉପାୟ।
ସମ୍ପ୍ରତି ଆମ ରାଜ୍ୟ ଓଡ଼ିଶାରେ ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତାକୁ ଯଥେଷ୍ଟ ଗୁରୁତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକର ସାର୍ବଜନୀନ ପ୍ରଦର୍ଶନ ଓ ସର୍ବାଧିକ ଆବେଦନ ନିମନ୍ତେ ଇଂରାଜୀ, ହିନ୍ଦୀ ତଥା ଅନ୍ୟାନ୍ୟ ପ୍ରାଦେଶିକ ଭାଷାରେ ସବଟାଇଟଲ କରିବା ଗୁରୁତ୍ୱପୂର୍ଣ୍ଣ। ସେହିଭଳି ବିଶ୍ଵ ଓ ଆମ ଦେଶର ଅନ୍ୟ ଭାଷାରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକର ବ୍ୟବସାୟ ଓ ସୂଚନା ପ୍ରସାରଣ ପାଇଁ ଓଡ଼ିଆ ଭାଷାରେ ମଧ୍ୟ ସବଟାଇଟଲ କରି ପ୍ରଦର୍ଶନ ଓ ପ୍ରସାରଣ କରିବା ପ୍ରତି ଧ୍ୟାନ ଦେବାର ସମୟ ବୋଲି କୁହାଯାଇପାରେ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)
Tags: #Cinema #Film #Subtitles #Entertainment #SubtitlesOfFilm