ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ଘରୋଇ ମହାକାଶ କମ୍ପାନି ଫାୟାରଫ୍ଲାଏ ଏରୋସ୍ପେସର ‘ବ୍ଲୁ ଘୋଷ୍ଟ’ ମିଶନ ଐତିହାସିକ ସଫଳତା ହାସଲ କରିଛି। ରବିବାର ଏହି ମିଶନରେ ଯାଇଥିବା ମହାକାଶ ଯାନ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବାରେ ପ୍ରଥମ ଘରୋଇ ମହାକାଶ ଯାନ ହେବାରେ ରେକର୍ଡ କରିଛି।

ଫାୟାରଫ୍ଲାଏ ଏରୋସ୍ପେସ୍ ନାସା ସାହାଯ୍ୟରେ ଏହି ମିଶନ କାର୍ଯ୍ୟକାରୀ କରିଥିଲା। ଜାନୁଆରୀ ୧୫ରେ ଏହି ମହାକାଶ ଯାନକୁ ସ୍ପେସ୍‌ଏକ୍ସର ଫାଲକନ ୯ ରକେଟ ସାହାଯ୍ୟରେ ଉତ୍‌କ୍ଷେପଣ କରାଯାଇଥିଲା। ରବିବାର ଅବତରଣ କରିବାର ଅଧ ଘଣ୍ଟା ପରେ, ଏହା ଚନ୍ଦ୍ର ପୃଷ୍ଠରୁ ଫଟୋଗ୍ରାଫ୍ ଏବଂ ବୈଜ୍ଞାନିକ ତଥ୍ୟକୁ ପଠାଇବା ଆରମ୍ଭ କରିଦେଇଛି।

ଏହି ତଥ୍ୟ ବୈଜ୍ଞାନିକମାନଙ୍କୁ ଚନ୍ଦ୍ରପୃଷ୍ଠ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ସାହାଯ୍ୟ କରିବ। ଏଥିସହ ଭବିଷ୍ୟତର ମହାକାଶ ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ।

‘ବ୍ଲୁ ଘୋଷ୍ଟ’ର ବିଶେଷତ୍ୱ ​​କ’ଣ?

ବ୍ଲୁ ଘୋଷ୍ଟ ମହାକାଶ ଯାନରେ ମୋଟ ଦଶଟି ଯନ୍ତ୍ରାଂଶ ଖଞ୍ଜାଯାଇଛି। ଏହା ଚନ୍ଦ୍ର ପୃଷ୍ଠରେ ବିଭିନ୍ନ ଗବେଷଣା ପାଇଁ ବ୍ୟବହୃତ ହେବ। ଏଥିରେ ଚନ୍ଦ୍ରର ମୃତ୍ତିକା ବିଶ୍ଳେଷକ ଓ ଚନ୍ଦ୍ରରେ ନାଭିଗେସନ ସିଷ୍ଟମ ବ୍ୟବହାର କରିବାର ସମ୍ଭାବ୍ୟତା ପାଇଁ ପରୀକ୍ଷା କରାଯିବ।  

ସେହିପରି ଚନ୍ଦ୍ରର ଭିତର ଭାଗରେ ୭୦୦ ମାଇଲ ଗଭୀରତା ପର୍ଯ୍ୟନ୍ତ ଅନୁସନ୍ଧାନ କରିବା ପାଇଁ ଏକ ବୈଜ୍ଞାନିକ ଉପକରଣ ରହିଛି। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଏବଂ ମହାକାଶ ପାଣିପାଗ ସୂଚନା ପାଇଁ ଏକ୍ସ-ରେ ଇମେଜିଂ କ୍ୟାମେରା ମଧ୍ୟ ଏଥିରେ ଲଗାଯାଇଛି।

ଏକ ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ‘ବ୍ଲୁ ଘୋଷ୍ଟ’ ଚନ୍ଦ୍ରର ସୂର୍ଯ୍ୟାସ୍ତ ରେକର୍ଡ କରିବ, ଯାହା ସୌର ବିକିରଣରେ ପୃଷ୍ଠରୁ ଧୂଳି କିପରି ଉପରକୁ ଉଠେ ତାହା ବୁଝିବାରେ ସାହାଯ୍ୟ କରିବ।

Tags: #BlueGhost #MoonMission #FireFly #PrivateSpaceCompany #USA

Comment