ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରବିବାର ଦିନ ଭୁବନେଶ୍ୱର ମଞ୍ଚେଶ୍ୱରଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଆଗାମୀ କାଲିର ଶିଳ୍ପ ଦୁନିଆ ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରମୁଖ ଭୂମିକା ନେଉଛି ବୋଲି ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆହୁରି କହିଛନ୍ତି, ରାଜ୍ୟର ଯୁବପିଢ଼ିଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ କରିବା ସହ ସହିତ ସେମାନଙ୍କ ଦକ୍ଷତା ବିକାଶ କରିବା ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ବିଶେଷ ସହାୟକ ହେଉଛି।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ନିମନ୍ତେ ଚାଲୁ ରହିଥିବା ବିଭିନ୍ନ ପ୍ରଶିକ୍ଷଣ ଓ କାର୍ଯ୍ୟକ୍ରମକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସହ ରାଜ୍ୟପାଳ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଏନ ବି ଏସ୍ ରାଜପୁତ ଯୋଗ ଦେଇଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଥିବା ମୋଟ ୭ଟି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ସୁବିଧା ଦେବା ପାଇଁ ଅନ୍ତର୍ଜାତୀୟ ମାନର ଲାବୋରେଟୋରି ସ୍ଥାପନ କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ଲାବୋରେଟୋରି ବୁଲି ଦେଖିଥିଲେ। ତାଲିମ ପାଠ୍ୟକ୍ରମରେ ଏହା କିପରି ସହାୟକ ହେଉଛି ସେ ବିଷୟରେ ମୁଖ୍ୟ ଶାସନ ସଚିବ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକଙ୍କଠାରୁ ପଚାରି ବୁଝିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ପାଠ୍ୟକ୍ରମ ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଜରିଆରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରମୁଖ କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ମୁଖ୍ୟ ଶାସନ ସଚିବ ଏ ବିଷୟରେ ଜାଣିବା ସହିତ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ।

ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ‘‘ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଯେଉଁ ଅନନ୍ୟ ଦକ୍ଷତା ରହିଛି। ଏହାକୁ ଶାଣିତ କରିବା ସହିତ ଆଗାମୀ କାଲିର ଆଧୁନିକ ଶିଳ୍ପ ଦୁନିଆ ପାଇଁ ଆବଶ୍ୟକ ଯୁବ ମାନବ ସମ୍ବଳ ପ୍ରସ୍ତୁତି ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଫଳରେ ଓଡ଼ିଶାରେ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରୁଛି।”

ଓଡ଼ିଶାର ଯୁବପିଢ଼ିଙ୍କୁ ଆତିଥେୟତା ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ରହିଛି ରାଜ୍ୟର ପ୍ରଥମ ‘କୌଶଳ ଭବନ’। ମୁଖ୍ୟ ଶାସନ ସଚିବ ଏହି କୌଶଳ ଭବନ ପରିଦର୍ଶନ କରିଥିଲେ। ଓଡ଼ିଶାର ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ ପାଇଁ ଏଠାରେ ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାହା ସେ ବୁଲି ଦେଖିଥିଲେ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମିତା ପଣ୍ଡା, ବିଭାଗୀୟ ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ଟି ଥମ୍ବିରାଜା, ଉପାଧ୍ୟକ୍ଷା ଶ୍ରୀମତୀ ଜିତାମିତ୍ର ଶତପଥୀ, ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସର ନିର୍ଦ୍ଦେଶକଙ୍କ ସହ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

Tags: #WorldSkillCenter #WSC #ChiefSecretaryManojAhuja #Bhubaneswar #Odisha

LEAVE A REPLY

Please enter your comment!
Please enter your name here