ମୀନତି ମିଶ୍ର

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’ ଏବେ ବିବାଦ ଘେରରେ। ସେପ୍ଟେମ୍ବର ୬ ତାରିଖରେ ରିଲିଜ ହେବାକୁ ଥିବା ତାଙ୍କର ଏହି ବହୁଚର୍ଚ୍ଚିତ ଫିଲ୍ମକୁ ମିଳିପାରିନି ସେନ୍ସର ସାର୍ଟିଫିକେଟ। ଫିଲ୍ମରେ ଖାଲିସ୍ତାନ ଆତଙ୍କବାଦ ପ୍ରସଙ୍ଗରେ ଶିଖ୍ ସମୁଦାୟକୁ ଭୁଲ ଭାବେ ଦେଖିଯାଇଥିବା ଅଭିଯୋଗ ହୋଇଛି। ଅନେକ ଶିଖ୍ ସଂଗଠନ ଫିଲ୍ମକୁ ବ୍ୟାନ କରିବାକୁ ଦାବି କରିଛନ୍ତି। ତେଣୁ କେବେ ଫିଲ୍ମ ରିଲିଜ ହେବ ଏହାକୁ ନେଇ ସଂଶୟ ଦେଖା ଦେଇଛି।

ଟ୍ରେଲର ରିଲିଜ ପରେ ବିବାଦ
ଫିଲ୍ମ ଏମର୍ଜେନ୍ସିରେ ଅଭିନେତ୍ରୀ କଙ୍ଗନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିଭାଇଛନ୍ତି। ଖାଲି ସେତିକି ନୁହେଁ, ସେ ଏହି ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ। ଅଗଷ୍ଟ ୧୪ ତାରିଖରେ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଆରମ୍ଭ ହୋଇଥିଲା ବିବାଦ। ଫିଲ୍ମର ରିଲିଜ ତାରିଖ ସେପ୍ଟେମ୍ବର ୬ ତାରିଖ ଥିବାବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି।

ଶିଖ୍ ସଂପ୍ରଦାୟ କାହିଁକି କରୁଛନ୍ତି ବିରୋଧ?
କଙ୍ଗନା ନିଜ ଫିଲ୍ମରେ ଶିଖ୍ ସଂପ୍ରଦାୟର ଭାବନାକୁ ଆଘାତ ଦେଇଛନ୍ତି ଏବଂ ଶିଖମାନଙ୍କର ଏକ ଭୁଲ ପ୍ରତିଛବି ଏଥିରେ ଦେଖାଇଛନ୍ତି ବୋଲି ଶିଖ୍ ସଂଗଠନମାନେ କହିଛନ୍ତି। ଖାଲିସ୍ତାନ ଆନ୍ଦୋଳନକୁ ଏଥିରେ ଭୁଲ ଭାବେ ଦେଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରି ବିବାଦକୁ ଦେଖି ସେନ୍ସର ବୋର୍ଡ ଫିଲ୍ମକୁ ସେନ୍ସର ସାର୍ଟିଫିକେଶନ ଦେଇନାହାନ୍ତି।  

ଏମର୍ଜେନ୍ସି ଫିଲ୍ମକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୀତିକାର ଏବଂ ସ୍କ୍ରିପ୍ଟ ରାଇଟର ମନୋଜ ମୁନ୍ତଶିର ଏକ ଭିଡିଓ ସେୟାର କରି ଜୋରଦାର ବର୍ଷିଛନ୍ତି। ଲୋକଙ୍କଠାରୁ ସେମାନଙ୍କ ଅଭିବ୍ୟକ୍ତି ପ୍ରକାଶ କରିବାର ସ୍ୱାଧୀନତା ଛଡ଼ାଇ ନିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏପରିକି କ୍ଷୁବ୍ଧ ହୋଇ ସେ କହିଛନ୍ତି, “କଙ୍ଗନାଙ୍କୁ ନେଇ ସମସ୍ୟା ରହିଛି, ତେବେ ତାଙ୍କୁ କୋର୍ଟରେ ଛିଡ଼ା କରାଇ ଦିଅ।” ମନୋଜଙ୍କର ଏହି ଭିଡିଓକୁ କଙ୍ଗନା ନିଜ ଇନଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି।

ମନୋଜ ମୁନ୍ତଶିର ଆହୁରି ମଧ୍ୟ କହିଛନ୍ତି, “ସ୍ୱାଧୀନ ଅଭିବ୍ୟକ୍ତିକୁ ସମ୍ମାନ ଦେଉଥିବା ବ୍ୟକ୍ତି ଆଜି ଆମଠାରୁ ଆମ ଅଭିବ୍ୟକ୍ତିର ଅଧିକାରକୁ ଛଡ଼ାଇ ନେବାକୁ ଉଦ୍ୟମ କରୁଛନ୍ତି। ଯେଉଁମାନେ ନିଜକୁ ମହାନ ବୋଲି କହି ବୁଲୁଛନ୍ତି ସେମାନଙ୍କୁ ଏପରି ନାଟକ କରିବା ଛାଡ଼ିଦେବା ଦରକାର। ସେମାନେ ଗୋଟିଏ ଫିଲ୍ମକୁ ସହ୍ୟ କରିପାରୁ ନାହାନ୍ତି, ତେବେ ସ୍ୱାଧୀନ ଅଭିବ୍ୟକ୍ତିର କଥା କ’ଣ କହିବେ।”

ଏହି ଭିଡିଓରେ ମନୋଜ ଶିଖ୍ ସଂପ୍ରଦାୟକୁ ପ୍ରଶଂସା ମଧ୍ୟ କରିଛନ୍ତି। କଙ୍ଗନାଙ୍କ ବିରୋଧରେ ଅଭିଯୋଗ ଥିଲେ ତାହାକୁ କୋର୍ଟରେ ଉପସ୍ଥାପନ କରିବାକୁ ସେ ଆହ୍ଵାନ ଦେଇଛନ୍ତି।

ଏମର୍ଜେନ୍ସି ଫିଲ୍ମରେ ସମସ୍ୟା କେଉଁଠି?
ଇନ୍ଦିରା ଗାନ୍ଧୀଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ‘ଏମର୍ଜେନ୍ସି’। ଫିଲ୍ମରେ ଇନ୍ଦିରାଙ୍କୁ ତାଙ୍କର ଦୁଇ ଜଣ ଶିଖ୍ ସୁରକ୍ଷାକର୍ମୀ ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖାଯାଇଛି। ଏହାସହ ଖାଲିସ୍ତାନୀ ନେତା ଜରନେଲ ସିଂହ ଭିଣ୍ଡରବାଲେଙ୍କୁ ଆତଙ୍କବାଦୀ ବୋଲି ଦର୍ଶାଯାଇଛି। ଏହାସହ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଅପରେସନ ବ୍ଲୁ ଷ୍ଟାରକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଏହାକୁ ଅନେକ ଶିଖ୍ ସଂଗଠନ ବିରୋଧ କରୁଥିବା ଦେଖିବାକୁ ମିଳୁଛି।

‘ଏମର୍ଜେନ୍ସି’ ପରେ ‘ଭାରତ ଭାଗ୍ୟ ବିଧାତା’
ଏପଟେ ଏମର୍ଜେନ୍ସିକୁ ନେଇ ବିବାଦ ଲାଗି ରହିଥିବାବେଳେ କଙ୍ଗନା ରାଣାଓ୍ୱତ ବିରୋଧୀଙ୍କୁ ଜବାବ ଦେଇ ଆଉ ଗୋଟିଏ ପାଦ ଆଗେଇ ଯାଇଛନ୍ତି। ସେ ଆଉ ଏକ ନୂଆ ଫିଲ୍ମରେ କାମ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଫିଲ୍ମର ନାଁ ‘ଭାରତ ଭାଗ୍ୟ ବିଧାତା’ ହେବାକୁ ଯାଉଛି। ଏଥିରେ ମଧ୍ୟ ସେ ଲିଡ୍ ରୋଲରେ ଅଭିନୟ କରିବେ।

Tags: #KanganaRanaut #EmergencyMovie #Protest #CensorBoard #India

LEAVE A REPLY

Please enter your comment!
Please enter your name here