ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ଏହା ପାରା ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ରେକର୍ଡ। ମଙ୍ଗଳବାର ପ୍ରତିଯୋଗିତାର ଷଷ୍ଠ ଦିନରେ ଭାରତୀୟ ଖେଳାଳିମାନେ ମୋଟ ୫ଟି ପଦକ ହାସଲ କରିଛନ୍ତି। ଗତ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ଜିତିଥିଲା।
ମଙ୍ଗଳବାର ଭାରତୀୟ ଖେଳାଳିମାନେ ଜିତିଥିବା ୫ଟି ପଦକ ଆଥଲେଟିକ୍ସରୁ ଆସିଛି। ସେଥିମଧ୍ୟରୁ ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଛି। ଦିନର ପ୍ରଥମ ପଦକ ଆଥଲେଟିକ୍ସର ମହିଳା ୪୦୦ ମିଟର୍ (ଟି-୨୦) ଇଭେଣ୍ଟରୁ ଆସିଥିଲା। ନିଜର ପ୍ରଥମ ପାରା ଅଲିମ୍ପିକ୍ସର ଖେଳୁଥିବା ଦୀପ୍ତି ଜୀବନଜୀ ଏହି ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ।
ସେହିପରି ଆଥଲେଟିକ୍ସର ପୁରୁଷ ହାଇଜମ୍ପ (ଟି-୬୩) ଇଭେଣ୍ଟରେ ଶରଦ କୁମାର ୧.୮୮ ମିଟର ଉଚ୍ଚ ଡେଇଁ ରୌପ୍ୟ ପଦକ ଜିତିଥିଲେ। ସମାନ ଇଭେଣ୍ଟରେ ମାରିୟାପାନ୍ ଥଙ୍ଗାଭେଲୁ ୧.୮୫ ମିଟର ଉଚ୍ଚ ଡେଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
ଅନ୍ୟପଟେ ପୁରୁଷ ଜାଭେଲିନ୍ ଥ୍ରୋ (ଏଫ୍-୪୬) ଇଭେଣ୍ଟରେ ଅଜୀତ ସିଂହ ୬୫.୬୨ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏହାସହ ଉକ୍ତ ଇଭେଣ୍ଟରେ ସୁନ୍ଦର ସିଂହ ଗୁଜ୍ଜର ୬୪.୯୬ ମିଟର ଜାଭେଲିନ୍ ଥ୍ରୋ କରି ବ୍ରୋଞ୍ଜ ପଦକ ଜିତିଥିଲେ।
Tags: #ParisParaOlympics #Athletics #Medals #Sports #India