ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ରଭାବେ ପରିଚିତ ଯୁକ୍ତରାଷ୍ଟ୍ର ଆମେରିକାରେ ଚଳିତବର୍ଷ ୬୦ତମ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୫ ତାରିଖରେ ଆମେରିକାବାସୀ ସେମାନଙ୍କ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଭୋଟ୍ ଦେବେ। ଏହି ପଦ ପାଇଁ ଆମେରିକାରେ ଦୁଇ ଦଳ ଡେମୋକ୍ରାଟିକ୍ ପାର୍ଟି ଏବଂ ରିପବ୍ଲିକାନ୍ ପାର୍ଟି ମଧ୍ୟରେ ଲଢ଼େଇ ଜୋରଦାର ହୋଇଛି। ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ୁଥିବା କମଳା ହ୍ୟାରିସ୍‌ ଓ ରିପବ୍ଲିକାନ୍ ପାର୍ଟିରୁ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ପରସ୍ପରକୁ ଟକ୍କର ଦେଉଛନ୍ତି।

ଏହି ନିର୍ବାଚନରେ କମଳାଙ୍କ ରନିଂ ମେଟ୍ ବା ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଟିମ୍ ୱାଲ୍‌ଜ ନାମାଙ୍କନ ଭରିଛନ୍ତି। ସେହିପରି ଟ୍ରମ୍ପ୍‌ଙ୍କ ରନିଂ ମେଟ୍ ଭାବେ ରିପବ୍ଲିକାନ୍ ପାର୍ଟିରୁ ଜେଡି ଭାନ୍ସ ନିର୍ବାଚନୀ ମଇଦାନରେ ରହିଛନ୍ତି।

ଜମୁଛି ନିର୍ବାଚନୀ ପ୍ରଚାର

ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ଏବେ ଆମେରିକାର ଉପରାଷ୍ଟ୍ରପତି ରହିଛନ୍ତି। ସେ ରାଷ୍ଟ୍ରପତି ନିର୍ବାଚନରେ ଆମେରିକୀୟଙ୍କ ନିକଟତର ହେବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା, ମଧ୍ୟବିତ୍ତ ଓ ସ୍ୱଳ୍ପ ଆୟ କରୁଥିବା ବର୍ଗଙ୍କ ପାଇଁ ଆୟକରରେ ରିହାତି, ତ୍ରିସ୍ତରୀୟ ଗୃହ ନିର୍ମାଣ ଯୋଜନା, ସ୍ୱାସ୍ଥ୍ୟକ୍ଷେତ୍ରରେ ଔଷଧ ମୂଲ୍ୟ କମ୍ କରିବା ତଥା ମହିଳାଙ୍କୁ ଗର୍ଭପାତ କରିବାର ଅଧିକାର ଭଳି ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ସେ ନିର୍ବାଚନ ପ୍ରଚାର କରୁଛନ୍ତି।

ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ନିଜ ଅଭିଜ୍ଞତାକୁ ପାଥେୟ କରି ବିଭିନ୍ନ ନିର୍ବାଚନୀ ସଭାରେ ଆମେରିକାବାସୀଙ୍କୁ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ସେ ବେଆଇନ ଅନୁପ୍ରବେଶ ଓ ସୀମା ନିର୍ଦ୍ଧାରଣକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି।

ଏହାସହ ମୁଦ୍ରାସ୍ଫୀତି ହ୍ରାସ କରିବା, ମାନବ ଚାଲାଣକାରୀ ଓ ଡ୍ରଗ୍ ଡିଲର୍ସଙ୍କୁ ସାବାଡ଼ କରିବା, ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାୟ ବ୍ୟବସ୍ଥାରେ ସୁଧାର କରିବା ଭଳି ପ୍ରତିଶ୍ରୁତି ଦେଇ ଲୋକଙ୍କୁ ନିଜ ଆଡ଼କୁ ଟାଣୁଛନ୍ତି। ନିର୍ବାଚନୀ ଲହରକୁ ଜୋରଦାର କରିବା ପାଇଁ ସେ ସ୍ୱତନ୍ତ୍ର ସାକ୍ଷାତକାରଠାରୁ ଆରମ୍ଭ କରି ବିଭିନ୍ନ ସଭାରେ ଯୋଗ ଦେଇ ନିଜର ନିପୁଣତା ବଖାଣୁଛନ୍ତି।

ପରସ୍ପରକୁ ସମାଲୋଚନା

ଅଗଷ୍ଟ ପ୍ରଥମ ସପ୍ତାହରେ ଚିକାଗୋ ସହରରେ ନ୍ୟାସନାଲ୍ ଆସୋସିଏସନ୍ ଅଫ୍ ବ୍ଲାକ୍ ଜର୍ଣ୍ଣାଲିଷ୍ଟ ସଭାରେ ଯୋଗଦେଇ ଟ୍ରମ୍ପ୍ କହିଥିଲେ ଯେ, “ଆଜି ଯାଏଁ କମଳା ହ୍ୟାରିସ୍ ନିଜକୁ ଜଣେ ଭାରତୀୟ ବଂଶୋଦ୍ଭବ ବୋଲି ପରିଚୟ ଦେଇ ଆସୁଥିଲେ। ହେଲେ ଏବେ ସେ ପରିଚୟ ବଦଳାଇ ନିଜକୁ ଜଣେ କୃଷ୍ଣକାୟ ବୋଲି କହୁଛନ୍ତି। କମଳା ହଠାତ୍ ଭାରତୀୟରୁ କୃଷ୍ଣକାୟ (ଆଫ୍ରିକୀୟ) କିପରି ହୋଇଗଲେ ତାହା ଜଣାପଡୁନି।” ସେପଟେ କମଳା ମଧ୍ୟ ଟ୍ରମ୍ପ୍‌ଙ୍କ ଏପରି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି। ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ, “ମୁଁ ଉଭୟ ଭାରତୀୟ ଓ ଆଫ୍ରିକୀୟ ବଂଶୋଦ୍ଭବ। ଟ୍ରମ୍ପ୍‌ଙ୍କ ଏଭଳି ବୟାନ କୃଷ୍ଣକାୟଙ୍କ ପ୍ରତି ଅପମାନଜନକ ଓ ସେ ଜାତୀୟତା ବିଭେଦ ସୃଷ୍ଟି କରୁଛନ୍ତି।”

ପେନ୍‌ସିଲ୍‌ଭାନିଆର ୱିଲ୍‌-କିସ୍‌ବାରେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଟ୍ରମ୍ପ୍ ନିଜର ପ୍ରତିଦ୍ୱନ୍ଦ୍ୱୀ କମଳାଙ୍କୁ ସମାଲୋଚନା କରିଥିଲେ। ଆମେରିକାର ଅର୍ଥନୀତି ଉପରେ କମଳାଙ୍କ ଜ୍ଞାନ ଖୁବ୍ କମ୍ ଏବଂ ନିଜର ଅର୍ଥନୈତିକ ଯୋଜନାକୁ ସାର୍ବଜନୀନ କରି ସେ ଜନତାଙ୍କ ଆଗରେ ନିଜର ଦୁର୍ବଳତା ଦେଖାଇଛନ୍ତି ବୋଲି ଟ୍ରମ୍ପ କଟାକ୍ଷ କରିଥିଲେ। କମଳା ମଧ୍ୟ ଏହାର କଡ଼ା ଜବାବ ରଖିଥିଲେ।

କ’ଣ କହୁଛି ଓପିନିଅନ୍ ପୋଲ୍?  

ଆମେରିକାର ବିଭିନ୍ନ ନିର୍ବାଚନୀ ସଭାରେ ଦୁଇ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଯୋଗୁଁ ଏବେ ଆମେରିକାବାସୀ ପ୍ରକୃତପକ୍ଷେ କେଉଁ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ତାହାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ତେବେ ଆମେରିକାର କେତେକ ଜଣାଶୁଣା ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଓପିନିୟନ୍ ପୋଲ୍ କରାଯାଇ ତାହାକୁ ସାର୍ବଜନୀନ କରାଯାଇଥିଲା। ଏଥିରେ ଅଗଷ୍ଟ ମାସ ଶେଷ ସୁଦ୍ଧା କମଳାଙ୍କ ପ୍ରତି ଜନ ସମର୍ଥନ ଅଧିକ ରହିଥିବା ଦର୍ଶାଯାଇଛି।

ଓପିନିୟନ୍ ପୋଲ୍ ଅନୁସାରେ ଜୁଲାଇ ମାସ ତୁଳନାରେ ଅଗଷ୍ଟ ମାସରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଜନ ସମର୍ଥନ ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଘନ ଘନ ପ୍ରଚାର ତଥା ଲୋକଙ୍କୁ ଆକୃଷ୍ଟ କଲା ଭଳି ଦିଆଯାଉଥିବା ପ୍ରତିଶ୍ରୁତି କମଳା ହ୍ୟାରିସଙ୍କ ଲୋକପ୍ରିୟତା ବଢ଼ାଇବାରେ ସହାୟକ ହୋଇଥିବା କୁହାଯାଉଛି।

୨୦୨୪ ଆରମ୍ଭରେ ଜୋ-ବାଇଡେନଙ୍କୁ ପୁଣି ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ସମୟରେ ଡେମୋକ୍ରାଟିକ୍ ପାର୍ଟି ଲୋକଙ୍କ ଆସ୍ଥା ହରାଇ ଥିଲା। ଏହାର ପ୍ରମୁଖ କାରଣ ଥିଲା ଯେ, ଜୋ-ବାଇଡେନ୍ ଏକ ନିର୍ବାଚନୀ ସଭାରେ ନିଜର ବାର୍ଦ୍ଧକ୍ୟ ଜନିତ ଆଚରଣ ଦେଖାଇଥିଲେ ବୋଲି ରାଜନୈତିକ ମହଲରେ ନିନ୍ଦା କରାଯାଇଥିଲା। ରାଷ୍ଟ୍ରହିତ ପାଇଁ କଦାପି ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେବା ପରେ ଡେମୋକ୍ରାଟିକ୍ ପାର୍ଟି ପ୍ରତି ଜନ ସମର୍ଥନ କମିଥିଲା।

ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ୨୦୨୪ ନିର୍ବାଚନ ପାଇଁ କମଳାଙ୍କ ନାଁରେ ମୋହର ବାଜିବା ପରେ ଦଳ ପ୍ରତି ପୁଣି ଲୋକଙ୍କର ସମର୍ଥନ ବୃଦ୍ଧି ପାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ସେହିପରି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରାର୍ଥୀ କରିବା ପରେ ରିପବ୍ଳିକାନ ପାର୍ଟିର ମଧ୍ୟ ଜନମତ ବଢ଼ିଥିବା କୁହାଯାଉଛି।  

Tags: #USPresidentialElections2024 #KamalaHarris #DemocraticParty #DonaldTrump #RepublicanParty #Politics #USA   

LEAVE A REPLY

Please enter your comment!
Please enter your name here