ମିନତି ମିଶ୍ର

ଧୀରେ ଧୀରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ, ଏବେ ବିଜେପିର ବଳ ବଢ଼ାଉଛନ୍ତି ଦଳ ଡିଆଁ ନେତା।

୨୦୨୪ ସାଧାରଣ ନିର୍ବାଚନ ଓଡ଼ିଶାରେ ଭାଙ୍ଗିଦେଲା ବିଜେଡିର ଗଡ଼। ଦଳ ହାରିବା ପରେ ଜଣକ ପରେ ଜଣେ ନେତା ଏବେ ବିଜେପି ମୁହାଁ। ବିଜେଡି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିବା ସୁଜିତ କୁମାର ଶୁକ୍ରବାର ଦିନ ସାଂସଦ ପଦ ଏବଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଇସ୍ତଫାର ମାତ୍ର କିଛି ସମୟ ମଧ୍ୟରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ଗତ ଜୁଲାଇ ୩୧ ତାରିଖରେ ବିଜେଡି ତଥା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫ ଦେଇଥିଲେ ମମତା ମହାନ୍ତ। ସେ ମଧ୍ୟ ଇସ୍ତଫା ପରେ ପରେ ବିଜେପିରେ ଯୋଗ ଦେଇଥିଲେ। ମମତାଙ୍କ ପରେ ଏବେ ସୁଜିତ କୁମାରଙ୍କର ଇସ୍ତଫା ବିଜେଡିକୁ ବଡ଼ ଝଟକା ଦେଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଉଭୟ ନେତା ଅସନ୍ତୋଷ କାରଣରୁ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ବିଜେଡି ନିର୍ବାଚନ ହାରିବା ପରେ ଏବେ ଦଳରେ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢ଼ୁଛି। ବିଜେଡି ସାଂସଦଙ୍କ ଏହି ଇସ୍ତଫା ଓ ମିଶ୍ରଣ ସିରିଜରେ ଆହୁରି ନାଁ ଯୋଡ଼ା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

ଅସନ୍ତୋଷ ଝାଡ଼ିଲେ ସୁଜିତ

ଦଳ ଛାଡ଼ୁ ଛାଡ଼ୁ ବିଜେଡି ଉପରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି ସୁଜିତ କୁମାର। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ବିଧିବଦ୍ଧ ଭାବେ ଦଳରେ ମିଶିବା ପରେ ବିଜେଡି ବିରୋଧରେ ମୁହଁ ଖୋଲିଛନ୍ତି। ଦଳ ପକ୍ଷରୁ ବିଭିନ୍ନ ସମୟରେ ତାଙ୍କ ଉପରେ ଚାପ ପକାଯାଉଥିଲା ବୋଲି ସେ କହିଛନ୍ତି। କଳାହାଣ୍ଡିରେ ଟେଣ୍ଡରଫିକ୍ସିଂଠାରୁ ଆରମ୍ଭ କରି ଛତୁଆ ଦୁର୍ନୀତି ହୋଇଛି ଓ ଏଥିରେ ବିଜେଡିର ଅନେକ ନେତାଙ୍କର ସମ୍ପୃକ୍ତି ରହିଛି। ଏହି ଦୁର୍ନୀତି ବିରୋଧରେ ଦଳର ନେତାଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଶୁଣିନଥିବା ଅଭିଯୋଗ କରିଛନ୍ତି ସୁଜିତ କୁମାର।

ସେ କହିଛନ୍ତି, ବିଜେଡି ଶାସନ କାଳରେ କଳାହାଣ୍ଡି ଜିଲ୍ଲାର ଯେତିକି ବିକାଶ ହେବା କଥା ହୋଇନାହିଁ। ସେଠାକାର ବିକାଶ କରିବା ପାଇଁ ମଧ୍ୟ ସୁଯୋଗ ଦେଉନଥିଲା ଦଳ। ଗତ କିଛି ବର୍ଷ ହେଲା ଦଳ ତାଙ୍କୁ କୌଣସି ଦାୟିତ୍ଵ ଦେଉନଥିଲା।   

ସୁଜିତ କୁମାର ଆହୁରି କହିଛନ୍ତି, “ମୋ ପାଇଁ ମାଟି ଆଗ, ପାର୍ଟି ପଛ। କଳାହାଣ୍ଡିର ବିକାଶ ମୋର ପ୍ରଥମ ଲକ୍ଷ୍ୟ ରହିବ।”

ଯେଉଁ ଲକ୍ଷ୍ୟ ନେଇ ସେ ବିଜେଡିରେ ସାମିଲ ହୋଇଥିଲେ, ସେ ଲକ୍ଷ୍ୟ ପୂରଣ କରିବାକୁ ଦଳ ସୁଯୋଗ ନଦେବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି।

ଯେଉଁ ଅଭିଯୋଗ ଆଣି ମମତା ମହାନ୍ତ ବିଜେଡି ଛାଡ଼ିଥିଲେ, ସେଇ ସମାନ ଅଭିଯୋଗ ଆଣିଛନ୍ତି ସୁଜିତ କୁମାର।

ବଢୁଛି ବିଜେପି ବଳ

ସାଂସଦଙ୍କ ଇସ୍ତଫା ସିରିଜ କେବଳ ରାଜ୍ୟରେ ନୁହେଁ, ରାଜ୍ୟସଭାରେ ବି ବିଜେଡିର ସ୍ଥିତିକୁ ଦୁର୍ବଳ କରିଛି। ରାଜ୍ୟସଭାରେ ଓଡ଼ିଶାର ୧୦ଟି ଆସନ ମଧ୍ୟରୁ ବିଜେଡି ହାତରେ ୯ଟି ଏବଂ ବିଜେପି ହାତରେ ଗୋଟିଏ ଆସନ ଥିଲା। ଦୁଇଜଣ ସାଂସଦଙ୍କ ଇସ୍ତଫା ପରେ ଏବେ ବିଜେଡି ସାଂସଦଙ୍କ ସଂଖ୍ୟା ୭କୁ ଖସିଆସିଛି।

ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ସେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟରେ ରାଜ୍ୟସଭା ଆସନ ଜିତିଥିବା ମମତା ମହାନ୍ତ ନିଜ କାର୍ଯ୍ୟକାଳ ପୂରଣ ହେବାର ୨୧ ମାସ ପୂର୍ବରୁ ଇସ୍ତଫା ଦେଇଥିଲେ। ସେହି ଆସନରେ ପୁଣି ବିଜେପିରୁ ସାଂସଦ ହୋଇଛନ୍ତି।

ସୁଜିତଙ୍କୁ ପୁଣି ସୁଯୋଗ ଦେବ କି ବିଜେପି

ମମତା ମହାନ୍ତଙ୍କ ପରି ପୁଣି ଥରେ ସୁଜିତ କୁମାରଙ୍କୁ ବିଜେପି ରାଜ୍ୟସଭା ପଠାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ବିଜେଡି ଛାଡ଼ି ମମତା ମହାନ୍ତ ବିଜେପିରେ ଯୋଗ ଦେବା ପରେ ଖାଲିପଡ଼ିଥିବା ରାଜ୍ୟସଭା ସାଂସଦ ଆସନ ପାଇଁ ବିଜେପିର ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ଏହି ରେସରେ ମଧ୍ୟ ମମତାଙ୍କ ନାଁ ସାମିଲ ଥିଲା। ତେବେ ମମତାଙ୍କୁ ପୁଣି ସୁଯୋଗ ଦେଇଛି ବିଜେପି।

ଆସନ୍ତା ୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ପୂରଣ ହୋଇଥାନ୍ତା। କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ସୁଜିତଙ୍କ ଇସ୍ତଫା ପରେ ଖାଲିପଡ଼ିଛି ଏହି ଆସନ।

ମମତାଙ୍କ ପରି ସୁଜିତ କୁମାର ମଧ୍ୟ ବିଜେଡିରୁ ଇସ୍ତଫା ପରେ ବିଜେପିରେ ଯୋଗ ଦେଇଛନ୍ତି। ଏହି କାରଣରୁ ବିଜେପି ସୁଜିତ କୁମାରଙ୍କୁ ସୁଯୋଗ ଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଯଦି ବିଜେପି ପୂର୍ବ ଥର ରିପିଟ୍ ଗେମ ନଖେଳେ ତେବେ ଏହି ଆସନ ଲାଗି ଦଳର କୌଣସି ବିରିଷ୍ଠ ସଦସ୍ୟଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।

“ବିଜେଡି ମଜଭୁତ, କିଛି ପ୍ରଭାବ ପଡ଼ିବନି”

ବିଜେଡିର ରାଜ୍ୟସଭା ସାଂସଦ ପଦରୁ ଦୁଇ ଦୁଇ ଜଣ ନେତା ଇସ୍ତଫା ଦେବା ପରେ ବିଜେଡି ଦୁର୍ବଳ ହୋଇପଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ବିଜେଡି ମଜଭୁତ, କିଛି ପ୍ରଭାବ ପଡ଼ିବନି।

ସେହି ଆହୁରି କହିଛନ୍ତି, “ବିଜେଡି ଛାଡ଼ିଥିବା ଦୁଇ ସାଂସଦ ଦଳ ପାଇଁ କିଛି କରିନାହାନ୍ତି। ନିଜ ସ୍ଵାର୍ଥ ପାଇଁ ଥିଲେ, ନିଜ ସ୍ଵାର୍ଥ ପାଇଁ ହିଁ ସେମାନେ ଦଳ ଛାଡ଼ିଛନ୍ତି। ସେମାନେ ଦଳ ଛାଡ଼ିବା ଦ୍ଵାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।”  

ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ରାଜ୍ୟସଭା ସାଂସଦ ପଦ କିଏ ପୂରଣ କରିବେ ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

 Tags: #Politics #OdishaPolitics #BJP #SujitKumar #BJD #Odisha

LEAVE A REPLY

Please enter your comment!
Please enter your name here