ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲାରେ ଧୀରେ ଧୀରେ ବନ୍ୟା କମିବାରେ ଲାଗିଛି। ଜିଲ୍ଲାର କାଙ୍ଗରୁକୋଣ୍ଡା, କନ୍ୟାଆଶ୍ରମ, ଏମଭି-୯୦, ଏମଭି-୯୬ ଓ ପାଙ୍ଗାମ ପୋଲ ଉପରୁ ପାଣି ତଳକୁ ଖସିଛି। ଏହାପରେ ମାଲକାନଗିରିରୁ ବିଭିନ୍ନ ଅଞ୍ଚଳକୁ ଯାତାୟାତ ଆରମ୍ଭ ହୋଇଛି। ତେବେ ବନ୍ୟାରେ ତଳିଆ ଅଞ୍ଚଳରେ ଅନେକ ମାଟି ଘର ଭୁଷୁଡି ପଡ଼ିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି।

ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାସ୍ତା ଘାଟ ନଷ୍ଟ ହୋଇଥିବା ବେଳେ ଲୋକଙ୍କ ଘରଦ୍ଵାର ମଧ୍ୟ ଭାଙ୍ଗି ଯାଇଛି। ଲୋକଙ୍କ ଆସବାବପତ୍ର ବନ୍ୟା ପାଣିରେ ଭାସିଯାଇଛି। ଯେଉଁଠି ପାଣି କମିଛି ସେଠାରେ ଲୋକେ ପୁଣି ଥରେ ନିଜର ଘରକୁ ସଜାଡ଼ିବାରେ ଲାଗିଛନ୍ତି। 

ମାଲକାନଗିରିରେ ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ଗତ ତିନି ଦିନ ଧରି ଯାନ ବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ବୁଧବାରରୁ ୩୨୬ ନମ୍ବର ଜାତୀୟ ରାଜପଥରେ ପୁଣି ଗାଡ଼ି ଗଡ଼ିଛି। ମାଲକାନଗିରିରୁ କାଲିମେଳା, ମୋଟୁ, ଓ ଜୟପୁର ମଧ୍ୟରେ ପୁଣି ଯୋଗାଯୋଗ ଆରମ୍ଭ ହୋଇଛି।

ଅନ୍ୟପଟେ ବନ୍ୟା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରୁ ୧୦୦୦ରୁ ଅଧିକ ପରିବାରକୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା। ସେମାନଙ୍କୁ ରନ୍ଧା ଖାଦ୍ୟ ସହ ପାନୀୟ ଜଳ ଯୋଗାଇ ଦିଆଯାଉଛି।

ସେହିପରି ଜିଲ୍ଲାରେ ଘର ଭାଙ୍ଗିବା, ଫସଲହାନୀ ବାବଦରେ ଆକଳନ କରାଯାଇ କ୍ଷୟକ୍ଷତି ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Tags: #HeavyRainfall #Floods #Malkangiri #Odisha

Comment