ମିନତି ମିଶ୍ର

ଓଡ଼ିଶାରେ ଜାତୀୟ ଦଳ କଂଗ୍ରେସର ଘର ଏବେ ଅସଜଡ଼ା ହୋଇ ପଡ଼ିରହିଛି। ଘରକୁ ମିଳୁନାହାନ୍ତି ମୁଖିଆ। ଗୋଷ୍ଠୀ କନ୍ଦଳରେ ଫାଳ ଫାଳ ହୋଇଛି ଦଳ। ହାଟରେ ଗଡୁଛି ହାତ ରାଜନୀତି। ଦୁଇ ମାସ ପୂରିବାକୁ ଯାଉଛି। ହେଲେ ଦଳର ମଙ୍ଗ କିଏ ଧରିବେ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରୁନି। ବିନା ମୁଖିଆରେ ରାଜ୍ୟରେ ରାଜନୀତି କରୁଛି କଂଗ୍ରେସ।

ଗତ ଜୁଲାଇ ୨୧ ତାରିଖରେ ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ଭାଙ୍ଗି ଦିଆଯାଇଛି। ଏଥିସହିତ ସମସ୍ତ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ପିସିସି ସଭାପତି ଥିବା ଶରତ ପଟ୍ଟନାୟକଙ୍କୁ ପଦରୁ ହଟାଇଛନ୍ତି ହାଇକମାଣ୍ଡ।

ଦିଲ୍ଲୀ ଦରବାରରେ ବଢୁଛି ଲବି

ଇତି ମଧ୍ୟରେ ଅଗଷ୍ଟ ଯାଇ ସେପ୍ଟେମ୍ବର ଅଧା ହେବାକୁ ବସିଲାଣି। କିନ୍ତୁ ଦଳ ସଭାପତି କିଏ ହେବେ ସ୍ଥିର ହୋଇପାରୁନି। ପିସିସି ସଭାପତି ପାଇଁ ଲବି ଜୋର ଧରିଛି। ପର୍ଯ୍ୟାୟ କ୍ରମେ ଏକାଧିକ ନେତା ସଭାପତି ପଦ ପାଇବା ପାଇଁ ଦିଲ୍ଲୀ ଦରବାରରେ ପହଞ୍ଚିଛନ୍ତି।

ରେସରେ ଆଗରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହମ୍ମଦ ମୋକିମ ଏବଂ ଶ୍ରୀକାନ୍ତ ଜେନା ପ୍ରମୁଖ।

ଭକ୍ତ ଦାସ ପଶ୍ଚିମ ଓଡ଼ିଶାର ଜଣାଶୁଣା ନେତା। ଦଳରେ ତାଙ୍କର ପ୍ରଭାବ ମଧ୍ୟ ରହିଛି। ତେଣୁ ତାଙ୍କୁ ଦଳ ସଭାପତି କରିପାରେ ବୋଲି କୁହାଯାଉଛି।

ସେପଟେ ଦୁଇଥର କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଥିବା ସପ୍ତଗିରି ଉଲ୍ଲାକାଙ୍କୁ ଓଡ଼ିଶାର କମାଣ ସମ୍ଭାଳିବାକୁ କଂଗ୍ରେସ ସୁଯୋଗ ଦେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସେ ଜଣେ ଯୁବ ଚେହେରା ଆଉ ଆଦିବାସୀ ସମ୍ପ୍ରଦାୟର। ଆଦିବାସୀ କାର୍ଡ ଖେଳି ବିଜେପି ଯେଉଁଭଳି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଏବଂ ମୋହନ ଚରଣ ମାଝୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରିଛି, ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ହୁଏତ ସପ୍ତଗିରି ଉଲ୍ଲାକାଙ୍କୁ ଓଡ଼ିଶାର ଦାୟିତ୍ୱ ଦେଇପାରେ ବୋଲି କୁହାଯାଉଛି।

କଂଗ୍ରେସ ବିଧାୟକ ଦଳର ନେତା ଭାବେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ଦାୟିତ୍ୱ ଦିଆଯାଇଛି। ପୁଣି ଜଣେ ଆଦିବାସୀ ସମ୍ପ୍ରଦାୟର ନେତାଙ୍କୁ ପିସିସି ସଭାପତି କରିବା ପୂର୍ବରୁ ଦଳ ଭାବି ଚିନ୍ତି ନିଷ୍ପତ୍ତି ନେବ ବୋଲି କୁହାଯାଉଛି।

ପୂର୍ବରୁ ପିସିସି ସଭାପତି ଦାୟିତ୍ୱ ତୁଲାଇଥିବା ଜୟଦେବ ଜେନାଙ୍କ ନାଁ ଏହି ରେସରେ ଥିବାବେଳେ ପୂର୍ବତନ ବିଧାୟକ ମହମ୍ମଦ ମୋକମଙ୍କ ପାଇଁ ମଧ୍ୟ କିଛି ଗୋଷ୍ଠୀ ଲବି କରୁଛନ୍ତି। ପ୍ରସାଦ ହରିଚନ୍ଦନ ଏବଂ ତାରା ବାହିନୀପତିଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ହେଉଛି। ଅନ୍ୟ ପକ୍ଷେ ବରିଷ୍ଠତା ଦୃଷ୍ଟିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓଡ଼ିଶା ପିସିସି ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏଆଇସିସିର ଚିନ୍ତା ବଢୁଛି

ଓଡ଼ିଶା ପିସିସି ସଭାପତି ଆସନ ପାଇଁ ଏକାଧିକ ଆଶାୟୀ ରହିଥିବାରୁ ଏଆଇସିସିକୁ ଚିନ୍ତାରେ ପକାଇଛି। ହୁଏତ ସଭାପତି ଚୂଡ଼ାନ୍ତ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଖୁବ ଶୀଘ୍ର ଭୁବନେଶ୍ୱର ଆସିପାରନ୍ତି। କାରଣ ଏବେଠାରୁ ଅସଜଡ଼ା ଘରକୁ ନସଜାଡ଼ିଲେ ଆଗାମୀ ପଞ୍ଚାୟତ ନିର୍ବାଚନ ଦଳ ପାଇଁ ମହଙ୍ଗା ପଡ଼ିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ତଳକୁ ଖସୁଛି କଂଗ୍ରେସ

ଏଠି ପ୍ରଶ୍ନ ଉଠୁଛି, ଗୋଟିଏ ଜାତୀୟ ଦଳର ଏପରି ଅଧପତନ କାହିଁକି ଘଟିଲା? ୨୦୦୦ ମସିହା ପୂର୍ବରୁ କଂଗ୍ରେସ କ୍ଷମତାରେ ଥିଲା। ୧୯୯୫ ମସିହା ବିଧାନସଭା ନିର୍ବାଚନରେ ଓଡ଼ିଶାରେ ୧୪୭ ଆସନରୁ ୮୦ଟି ଆସନ ଜିତି ସରକାର ଗଢ଼ିଥିଲା କଂଗ୍ରେସ। ତେବେ ୨୦୦୦ ମସିହା ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ମାତ୍ର ୨୬ଟି ଆସନ। ୫୪ଟି ଆସନ ଚାଲି ଯାଇଥିଲା ବିରୋଧୀଙ୍କ ହାତକୁ।

୨୦୦୪ ନିର୍ବାଚନରେ ଦଳ କିଛି ମାତ୍ରାରେ ନିଜକୁ ସଜାଡ଼ି ପାରିଥିଲା। ପୁଣି ୧୨ଟି ଆସନ ବିରୋଧୀଙ୍କ ହାତରୁ ଛଡ଼ାଇ ଆଣିବାକୁ ସମର୍ଥ ହୋଇଥିଲା। ୩୮ଟି ଆସନ କଂଗ୍ରେସ ହାତକୁ ଆସିଥିଲା।

୨୦୦୯ ପରଠାରୁ ଦଳ କ୍ରମାଗତ ଭାବେ ସମର୍ଥନ ହରାଇ ଚାଲିଲା। ତଥାପି ୨୦୦୯  ଓ ୨୦୧୪ରେ ବିରୋଧୀ ଦଳ ଆସନରେ ରହିଥିଲା କଂଗ୍ରେସ। ୨୦୦୯ରେ କଂଗ୍ରେସ ୨୭ଟିରେ ଜିତି ଥିବାବେଳେ ୨୦୧୪ରେ ୧୬ଟି ଆସନ ପାଇଥିଲା।

ଏହା ପରେ ଦଳର ଗୋଷ୍ଠୀ କନ୍ଦଳ ବଢ଼ି ଚାଲିଲା, ଯାହାର ଫଳ ଦେଖିବାକୁ ମିଳିଲା ୨୦୧୯ ନିର୍ବାଚନରେ। ମାତ୍ର ୯ଟି ଆସନ ହାତେଇବାରେ ସମର୍ଥ ହୋଇପାରି ଥିଲା କଂଗ୍ରେସ। କିନ୍ତୁ ରାଜ୍ୟର ବିରୋଧୀ ଦଳ ପଦ ହରାଇବାକୁ ପଡ଼ିଲା କଂଗ୍ରେସକୁ। ୨୦୨୪ ନିର୍ବାଚନରେ ପୂର୍ବ ନିର୍ବାଚନ ଠାରୁ ଅଧିକ ୫ଟି ଆସନ ଦଖଲ କରିଛି କଂଗ୍ରେସ। ଓଡ଼ିଶାରେ କଂଗ୍ରେସ ୧୪ଟି ବିଧାନସଭାଭ ଆସନ ଜିତିବା ସହ ରାଜ୍ୟର ଦ୍ଵିତୀୟ ବିରୋଧୀ ଦଳର ସ୍ଥାନରେ ରହିଛି।

୨୦୨୪ ନିର୍ବାଚନରେ ନିଜକୁ ସୁଧାରିବା ପାଇଁ ଯଥେଷ୍ଟ ସୁଯୋଗ ପାଇଥିଲା କଂଗ୍ରେସ। ହେଲେ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ, ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତି ଅସନ୍ତୋଷ ମନୋଭାବ କାରଣରୁ ନିର୍ବାଚନ ପୂର୍ବରୁ ବହୁ ନେତାଙ୍କ ସହ ଅନେକ ତୃଣମୂଳ କର୍ମୀ କଂଗ୍ରେସ ଛାଡ଼ିଥିଲେ। ନିର୍ବାଚନ ପରେ ବଡ଼ ବଡ଼ ନେତାଙ୍କ ପରାଜୟ ଦଳର ସ୍ଥିତିକୁ ଆହୁରି ଦୋହଲାଇ ଦେଇଛି।

ତେଣୁ ତୃଣମୂଳ କର୍ମୀଙ୍କୁ ଯୋଡ଼ିବା ସହ ଦଳର ଭାବମୂର୍ତ୍ତିକୁ ବଦଳାଇ ପାରିବା ଭଳି ଜଣେ ଚେହେରା ଖୋଜୁଛି କଂଗ୍ରେସ। ତେବେ କେନ୍ଦ୍ର ନେତୃତ୍ୱ କାହାକୁ ଦେବେ ଓଡ଼ିଶା ଦାୟିତ୍ଵ ତା’ ଉପରେ ରହିଛି ସମସ୍ତଙ୍କ ନଜର।

Tags: #Politics #OdishaPolitics #Congress #OPCC #AICC #OPCCPresident #Odisha

LEAVE A REPLY

Please enter your comment!
Please enter your name here