ଓଡ଼ିଶାଲାଇଭ୍ ବ୍ୟୁରୋ

ଲେବାନନରେ ହୋଇଛି ସିରିଏଲ ପେଜର୍ ବ୍ଲାଷ୍ଟ। ଦେଶର ଆତଙ୍କବାଦୀ ସଂଗଠନ ହିଜବୁଲହାର ୪ ହଜାରରୁ ଅନେକ ସଦସ୍ୟଙ୍କ ପଜେର୍ ଏକ ସଙ୍ଗେ ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି। ଲେବାନନ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୦ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଏହାକୁ ନେଇ ହିଜବୁଲହା ଓ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି।     

ଇଜ୍ରାଏଲକୁ ଦାୟୀ କଲା ହିଜବୁଲହା

ଏହି ଆକ୍ରମଣ ଘଟଣା ପାଇଁ ହିଜବୁଲହା ଇସ୍ରାଏଲକୁ ଦାୟୀ କରିଛି। ପେଜର୍ ବ୍ଲାଷ୍ଟ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା ହିଜବୁଲହା ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ଉଚିତ୍ ଜବାବ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛି ହିଜବୁଲହା। ଅନ୍ୟପଟେ ଏହି ଅଭିଯୋଗ ଉପରେ ଇସ୍ରାଏଲ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ।

ହିଜବୁଲହାର ଏକାଧିକ ଟପ୍ ଲିଡରଙ୍କ ମୃତ୍ୟୁ ଆଶଙ୍କା

ଲେବାନନ ସରକାରୀ ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ରାଜଧାନୀ ବେରୁତଠାରୁ ଆରମ୍ଭ କରି ବାକାବେଲି ପର୍ଯ୍ୟନ୍ତ ଏକାଧିକ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ହିଜବୁଲହାର ଅନେକ ବରିଷ୍ଠ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଆକ୍ରମଣର ଏଭଳି ଢଙ୍ଗ ସାରା ବିଶ୍ୱକୁ ଚକିତ କରିଛି।

ବ୍ଲାଷ୍ଟ ପାଇଁ ପ୍ଲାନ କରିଥିଲା ମୋସାଦ!

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ବିସ୍ଫୋରଣ ହୋଇଥିବା ପେଜରଗୁଡ଼ିକ ଏପି୯୨୪ ମଡେଲର ଥିଲା। ହିଜବୁଲହା ପକ୍ଷରୁ କିଛି ମାସ ତଳେ ତାଇୱାନର ଏକ କମ୍ପାନି ଗୋଲ୍ଡ ଆପୋଲୋକୁ ୫୦୦୦ ପେଜର ଯୋଗାଇବା ପାଇଁ ଅର୍ଡର ଦିଆଯାଇଥିଲା। ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦକୁ ଏହି ସୂଚନା ମିଳିଥିଲା। ଲେବାନନରେ ପହଞ୍ଚିବା ପୂର୍ବରୁ ମୋସାଦ ଏହିସବୁ ପେଜରର ବ୍ୟାଟେରିରେ ଅଳ୍ପ ମାତ୍ରାରେ ବିସ୍ଫୋରକ ଖଞ୍ଜି ଦେଇଥିଲା।

କେମିତି ହେଲା ବିସ୍ଫୋରଣ?

ଲେବାନନରେ ମଙ୍ଗଳବାର ଦିନ ୩ ଟା ୩୦ ସମୟରେ ପେଜରରେ ଏକ ମେସେଜ ଆସିଥିଲା। ଏହି ମେସେଜ ହିଜବୁଲହାର କେହି ଶୀର୍ଷ ନେତୃତ୍ୱ ଦେଇଥିବା ପରି ମନେ ହୋଇଥିଲା। ଏହି ମେସେଜ ବିସ୍ଫୋରଣକୁ ଆକ୍ଟିଭ କରି ଦେଇଥିଲା।

ତେବେ ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ ପେଜରର ରେଡିଓ ଫ୍ରିକ୍ୱେନ୍ସିକୁ ହ୍ୟାକ କରି ବିସ୍ଫୋରଣ କରାଯାଇଛି। ହିଜବୁଲହାର ପେଜର ଯେଉଁ ରେଡିଓ ଫ୍ରିକ୍ୱେନ୍ସିରେ କାମ କରୁଛି ତାହାକୁ ହ୍ୟାକ କରାଯାଇଥିଲା।ସିଗନାଲ୍ ଜରିଆରେ ଏଥିରେ ଲାଗିଥିବା ଲିଥିୟମ ବ୍ୟାଟେରିକୁ ଓଭରହିଟ କରାଯାଇଥିଲା। ଏହି ପ୍ରିକ୍ରିୟାରେ ବ୍ୟାଟେରିରେ କେମିକାଲ ଚେନ୍ ରିଆକ୍ସନ ହୋଇ ଖୁବ ଜୋରରେ ବିସ୍ଫୋରଣ ହୋଇଥିଲା ବୋଲି କୁହାଯାଉଛି। 

କ’ଣ ଏହି ପେଜର୍ ଓ କାହିଁକି ଏହା ଆତଙ୍କବାଦୀଙ୍କ ପସନ୍ଦ?

ପେଜର ଏକ ଛୋଟ କମ୍ୟୁନିକେସନ ଡିଭାଇସ। ସାଧାରଣତଃ ମେସେଜିଂ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଏହା ତିନି ପ୍ରକାରର ହୋଇଥାଏ। ଗୋଟିକରେ କେବଳ ବାର୍ତ୍ତା ଆସିବ। ଦ୍ଵିତୀୟଟିରେ ମେସେଜ ଆସିବ ଏବଂ ଯିବ। ତୃତୀୟ ପ୍ରକାର ପେଜର ଡିଭାଇସରେ ଭଏସ ରେକର୍ଡିଂ ପଠାଇ ପାରିବ।

ପେଜରକୁ ଅନ୍ୟ କମ୍ୟୁନିକେସନ ଡିଭାଇସ ତୁଳନାରେ ଏହା ଅଧିକ ସୁରକ୍ଷିତ ବୋଲି ବିଚାର କରାଯାଏ। ଏହାର ମେସେଜ ସହଜରେ ଧରାପଡ଼ି ନଥାଏ। ପେଜରକୁ ରେଡିଓ ୱେବ୍ସ ଜରିଆରେ ପରିଚାଳନା କରାଯାଇଥାଏ। ରେଡିଓ ଫ୍ରିକ୍ୱେନ୍ସି ଜରିଆାରେ ଜଣେ ପେଜର ମାଧ୍ୟମରେ ମେସେଜ ପଠାଇ ପାରିବେ। ତେବେ ପେଜରରେ କଲିଂ ସୁବିଧା ଉପଲବ୍ଧ ନାହିଁ।

୯୦ ଦଶକ ଯାଏଁ ପେଜରର ବହୁଳ ବ୍ୟବହାର ହେଉଥିଲା। ତେବେ ମୋବାଇଲ ଏବଂ ଅନ୍ୟ ଡିଭାଇସ ଆସିବା ପରେ ଏହାର ବ୍ୟବହାର କମିବାକୁ ଲାଗିଲା। ହେଲେ ହିଜବୁଲହା ଭଳି ଅନେକ ଆତଙ୍କବାଦୀ ସଂଗଠନ ଏବେ ବି ପେଜରର ବ୍ୟବହାର କରୁଛନ୍ତି।

Tags: #PagerBlast #Hezbollah #Mossad #Lebanon #Israel

LEAVE A REPLY

Please enter your comment!
Please enter your name here