ଓଡ଼ିଶାଲାଇଭ୍ ବ୍ୟୁରୋ

ହରିହର ମିଶ୍ର ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର। ଅଧ୍ୟାପନା ବୃତ୍ତିରେ ଥାଇ ସେ ସାହିତ୍ୟ ସର୍ଜନା ସହିତ ବେତାର ନାଟକରେ ଅଭିନୟ ମଧ୍ୟ କରିଛନ୍ତି। ୨୦୧୬ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମିର ୩୧ତମ ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ୧୯୭୦/୮୦ ଦଶକରେ ଓଡ଼ିଆ ସାହିତ୍ୟରେ ପ୍ରଭାବ ବିସ୍ତାର କରିଥିବା ଅନାମ କବିତା ଆନ୍ଦୋଳନରେ ସେ ସଂଶ୍ଳିଷ୍ଠ ଥିଲେ।

ଆଜି ଆମ ଗହଣରେ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ହରିହର ମିଶ୍ର। ସୋମବାର ସକାଳେ ୮୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ତାଙ୍କ ବିୟୋଗ ଓଡ଼ିଶା ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି।

ହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମଣିରାମ ମିଶ୍ର (ଓରଫ ଚିନ୍ତାମଣି ମିଶ୍ର) ଓ ମାତାଙ୍କ ନାମ ସେବତୀ ଦେବୀ। ସେ କବିତା, ଏକାଙ୍କିକା, ନାଟକ, ଉପନ୍ୟାସ, ଗଳ୍ପ ଓ ସମାଲୋଚନା ଆଦି ବିଭାଗରେ ନିଜ ଲେଖନୀ ଚାଳନା କରିଛନ୍ତି। ଅତୀତରେ ସମାବେଶ ପତ୍ରିକା ମଧ୍ୟ ସେ ସମ୍ପାଦନା କରିଛନ୍ତି।

ତାଙ୍କର କବିତା ସଙ୍କଳନ ମଧ୍ୟରେ ଶଙ୍ଖନାଭି (୧୯୭୩), ଅକ୍ଷମ ଦେବତା (୧୯୭୮), ସୂକ୍ତ ଶତକ (୧୯୭୮), ଚନ୍ଦ୍ରବିମ୍ବ (୧୯୮୧), ଲାଲକଢ଼ର ତପସ୍ୟା (୧୯୮୨), ଚାହାଣୀ ମଣ୍ଡପ (୧୯୮୩), ସ୍ୱପ୍ନ ବିନିମୟ (୧୯୯୨), ଭିତିରି ଚନ୍ଦନ (୧୯୯୪), ଦର୍ପଣ ଶୀଳା (୧୯୯୫), ଶବ୍ଦ ଏକା ଏକା ଏକତ୍ର (୧୯୯୫), ସନ୍ଧ୍ୟା ଦର୍ଶନ (୧୯୯୮), ଅଣଅକ୍ଷର (୧୯୯୮), ସ୍ୱରବର୍ଣ୍ଣ (ଗୀତିକବିତା-୧୯୯୯), ଶଙ୍ଖନାଭି ଓ ଅନ୍ୟାନ୍ୟ କବିତା (୨୦୦୨), ଦିବ୍ୟ ଅସନ୍ତୋଷ (୨୦୦୯) ଆଦି ରହିଛି।

ହରିହର ମିଶ୍ର ଅନେକ ନାଟକ ବି ଲେଖିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି କାଗଜ ଡ଼ଙ୍ଗା (୧୯୬୦), ରାତିର ଦୁଇଟି ଡେଣା (୧୯୭୪), ହେ ନିଷାଦ ନିବୃତ୍ତ ହୁଅ (୧୯୭୩), ନିନ୍ଦିତ ଗଜପତି (୧୯୭୬), ହଂସଧ୍ୱନୀ (୧୯୭୮), ମଝି ଦରିଆ (୧୯୭୮), ମଧୁଲିତା (୧୯୮୦), ସମ୍ଭବ ଅସମ୍ଭବ (୧୯୮୩), ଏବେ ନୁହେଁ ତ କେବେ ନୁହେଁ (୧୯୯୦) ଆଦି।

ତାଙ୍କର ଅନେକ ଗଳ୍ପ ସଂକଳନ ମଧ୍ୟ ପ୍ରକାଶିତ ହୋଇଛି । ସେଗୁଡ଼ିକ ହେଲା ମୂକ ଡାହୁକ (୧୯୭୫), ବୃଷଭର ଏକପାଦ (୧୯୭୭), ଇଚ୍ଛାର ସାମ୍ରାଜ୍ୟ (୧୯୯୦)। ତାଙ୍କର ଦୁଇଟି ଉପନ୍ୟାସ ହେଲା ବନବିହଙ୍ଗୀ (୧୯୬୦) ଓ ନୀଳ ହ୍ରଦର ରକ୍ତ କମଳ (୧୯୬୧)।

ସମାଲୋଚନା ସାହିତ୍ୟରେ ମଧ୍ୟ ତାଙ୍କର ଦକ୍ଷତା ରହିଥିଲା। ତାଙ୍କ ସମାଲୋଚନା ସାହିତ୍ୟ ସ୍ୱର ସାଧକ (୧୯୮୧) ଏବଂ ଏକାଙ୍କିକା ବନାଗ୍ନି (୧୯୭୮) ଖୁବ ଲୋକପ୍ରିୟତା ସାଉଣ୍ଟିଛି। ସେ ଅନୁବାଦ କରିଥିବା ପୁସ୍ତକ ହେଉଛି ଗରିଲା। ଏହାର ମୂଳ ଲେଖା ଜାମ୍ପଲ ସର୍ତ୍ତଙ୍କ Crimipassional।

ହରିହର ମିଶ୍ର କେତୋଟି ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗୀତ ମଧ୍ୟ ଲେଖିଛନ୍ତି। ୧୯୬୨ ମସିହାରେ ଶ୍ରୀ ପତିତପାବନ କଥାଚିତ୍ରର ଗୀତ ଓ ସଂଳାପ ରଚୟିତା ତଥା ସହ ନିର୍ଦ୍ଦେଶକ ଥିଲେ ସେ। ପରେ ଚିଲିକା ତୀରେ (୧୯୭୮) କଥାଚିତ୍ରର ସଂଳାପକାର ଓ ସହ ନିର୍ଦ୍ଦେଶକ ଥିଲେ ଏବଂ ତପସ୍ୟା (୧୯୮୦) କଥାଚିତ୍ରର ଗୀତ ଲେଖିଥିଲେ।

ସାହିତ୍ୟ ରଚନା ପାଇଁ ହରିହର ମିଶ୍ର ଅନେକ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି। ୧୯୭୭ ମସିହାରେ ରାତ୍ରିର ଦୁଇଟି ଡେଣା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେହିପରି ୨୦୧୧ରେ ଦିବ୍ୟ ସସନ୍ତୋଷ ପାଇଁ ଶାରଳା ପୁରସ୍କାର, ୨୦୦୭ ମସିହାରେ ଭାନୁଜୀରାଓ ସ୍ମାରକୀ ପୁରସ୍କାର, ୧୯୮୩ରେ ଜୀବନ ରଙ୍ଗ ପୁରସ୍କାର, ୧୯୬୦ରେ ଝଙ୍କାର ବିଷୁବ ଗଳ୍ପ ପୁରସ୍କାର, ୧୯୬୯ରେ ଝଙ୍କାର ବିଷୁବ କବିତା ପୁରସ୍କାର, ୧୯୭୪ ମସିହାରେ ସାମଗ୍ରିକ କୃତି ପାଇଁ ବିଷୁବ ପୁରସ୍କାର ଓ ୧୯୭୭ରେ ସେ ଧରିତ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

Tags: #HariharMishra #Poet #Poetry #OdiaLiterature #Odisha

LEAVE A REPLY

Please enter your comment!
Please enter your name here