ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷ ୨୦୨୪ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ଏଥର ୫ଟି ବର୍ଗରେ ୧୬ ଜଣ ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିଭିନ୍ନ ବିଷୟରେ ଉତ୍କର୍ଷ ପାଇଁ ବୈଜ୍ଞାନିକଙ୍କୁ ଏହି ସମ୍ମାନ ମିଳିବ। ଏନେଇ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ କିଟ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ବାୟୋଟେକ୍‌ନୋଲୋଜିର ପ୍ରଫେସର କ୍ଷୀରୋଦ କୁମାର ଜେନାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ।

ସେହିପରି କଟକସ୍ଥିତ ଆଇସିଏଆର୍‌-ଏନ୍‌ଆର୍‌ଆର୍‌ଆଇର ପ୍ରମୁଖ ବୈଜ୍ଞାନିକ ଡକ୍ଟର ସଂଘମିତ୍ରା ସାମନ୍ତରାୟଙ୍କୁ ଜୀବ ବିଜ୍ଞାନ, ଜଟଣୀସ୍ଥିତ ନାଇଜରର ପ୍ରଫେସର ବେଦାଙ୍ଗଦାସ ମହାନ୍ତିଙ୍କୁ ଭୌତିକ ବିଜ୍ଞାନ, ନିଟ୍‌ ରାଉରକେଲାର ପ୍ରଫେସର ସୁବ୍ରତ କୁମାର ପଣ୍ଡାଙ୍କୁ ଯାନ୍ତ୍ରିକ ଓ ପ୍ରାଦ୍ୟୋଗିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ରେ ସମ୍ମାନିତ କରାଯିବ।

ଏଥିସହ ରାଜ୍ୟ ବାହାରେ କାର୍ଯ୍ୟରତ ପିଜିଆଇଏମ୍‌ଇଆର୍‌, ଚଣ୍ଡୀଗଡ଼ର ପ୍ରଫେସର ପିନାକୀ ଦତ୍ତଙ୍କୁ ଲାଇଫ୍‌ ସାଇନ୍ସ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ନିମନ୍ତେ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯିବ।

କଟକର ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ସହକାରୀ ପ୍ରଫେସର ଡାକ୍ତର ସରିତା ଶେଖର ପଟ୍ଟନାୟକ, , ଭୁବନେଶ୍ୱର ରିଜିଓନାଲ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଏଜୁକେସନର ସହକାରୀ ପ୍ରଫେସର ଡକ୍ଟର ଅପ୍ରମିତା ଚାନ୍ଦ, ଏନ୍‌ଆଇଟି ରାଉରକେଲାର ସହକାରୀ ପ୍ରଫେସର ଡକ୍ଟର ରାଜେଶ କୁମାର ପୃଷ୍ଟିଙ୍କୁ ଯୁବ ବୈଜ୍ଞାନିକ ସମ୍ମାନ ପ୍ରଦାନ କରାଯିବ।

ସେହିଭଳି ରାଜ୍ୟ ବାହାରେ କାର୍ଯ୍ୟରତ ଶ୍ରେଣୀରେ ତେଲେଙ୍ଗାନାର ୱାରାଙ୍ଗଲର ଜାତୀୟ ବୈଷୟିକ ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ ମଧ୍ୟ ଓଡ଼ିଶା ଯୁବ ବୈଜ୍ଞାନିକ ସମ୍ମାନ ପ୍ରଦାନ କରାଯିବ। ଏଥି ସହ ରବିନ୍ଦନାଥ ମାଝୀ ଓ ତୁଳସୀ ସ୍ୱାଇଁଙ୍କୁ ଯଥାକ୍ରମେ ସାଧାରଣ ଓ ଶିଶୁ ବର୍ଗରେ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଯିବ।

ଏହା ବ୍ୟତୀତ ଡକ୍ଟର ରାଜା କିଶୋର ପରମଗୁରୁ, ଡକ୍ଟର ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରଫେସର କୃଷ୍ଣଚନ୍ଦ୍ର ମହାନ୍ତି, ପ୍ରଫେସର ଡକ୍ଟର ଆର୍‌. ଭୀମା ରାଓ ଏବଂ ପ୍ରଫେସର ମଳୟ କୁମାର ମିଶ୍ରଙ୍କୁ ମଧ୍ୟ ବୈଜ୍ଞାନିକ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ।

ବୈଜ୍ଞାନିକମାନଙ୍କୁ ରାଜ୍ୟସ୍ତରୀୟ ସମାରୋହରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ। ସମାରୋହ ବାବଦରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଆଗକୁ ଘୋଷଣା କରାଯିବ।

Tags: #OdishaBigyanAcademy #Scientists #Science&Technology #Odisha

LEAVE A REPLY

Please enter your comment!
Please enter your name here