ଭାସ୍କର ପରିଚ୍ଛା

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଗତି କୁଆଡ଼େ? ଏହି ପ୍ରଶ୍ନଟି ଦଶ ବର୍ଷ ତଳେ ଯେତିକି ପଚରା ଯାଉନଥିଲା ଆଜି ତାଠାରୁ ବେଶୀ ଉତ୍ଥାପିତ ହେଉଛି। ଏକବିଂଶ ଶତାବ୍ଦୀର ଦ୍ଵିତୀୟ ଦଶକରେ ଭାରତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଯେତିକି ଆତ୍ମନିର୍ଭର ହେବା ଦରକାର ତାହା ହାସଲ କରିବା ପାଇଁ ହେଲେ ସର୍ବ ପ୍ରଥମେ ରାଜନେତାଙ୍କ ଆଭିମୁଖ୍ୟ ଓ ଅଂଶଗ୍ରହଣରେ ପରିବର୍ତ୍ତନ ଆବଶ୍ୟକ। ଯେହେତୁ ରାଜନେତାଙ୍କ ଦ୍ୱାରା ହିଁ ଦେଶରେ ସମସ୍ତ ନୀତି ନିୟମ ପ୍ରଣୟନ ହୋଇଥାଏ ସେହି ଦୃଷ୍ଟିରୁ ସେମାନଙ୍କ ଜ୍ଞାନ, ଭାଗିଦାରୀ ଓ ଉପଲବ୍ଧିର ବ୍ୟାପକତା ପ୍ରକଟିତ ହେବା ନିତାନ୍ତ ଜରୁରୀ।

ନିକଟରେ ସଂସଦ ସହିତ ଜଡ଼ିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କମିଟି ବୈଠକ, ବିଳମ୍ବ ସତ୍ତ୍ୱେ ଆହୁତ ହୋଇଥିଲା। ଏହି ସଂସଦୀୟ କମିଟିରେ ଉଭୟ ଗୃହର ତିରିଶି ଜଣ ସଦସ୍ୟ ଥାଆନ୍ତି। ଦୁର୍ଭାଗ୍ୟଜନକ ବିଷୟ ହେଲା, ତିରିଶି ପରିବର୍ତ୍ତେ ମାତ୍ର ଛଅ ଜଣ ସାଂସଦ ସେହି କମିଟି ବୈଠକରେ ଉପସ୍ଥିତ ଥିଲେ। ଏହି କମ ଉପସ୍ଥାନ ନିତାନ୍ତ ନିରାଶାଜନକ। ହୁଏତ କରୋନା ମହାମାରୀ କାରଣରୁ ଅନ୍ୟ ସାଂସଦମାନେ ଯୋଗ ଦେଇ ପାରିନଥିଲେ। ତେବେ କମ ସଦସ୍ୟଙ୍କ ଉପସ୍ଥିତି ସତ୍ତ୍ୱେ ଗୋଟିଏ ଭଲ କଥା ସାମ୍ନାକୁ ଆସିଛି ଯେ ଦେଶର ବିଜ୍ଞାନ ବିଷୟକ ଚିନ୍ତା ଓ ଆଲୋଚନା ଠିକ ରାସ୍ତାରେ ଅଛି ଓ ସାଂସଦମାନେ ନିକଟ ଅତୀତରେ ଘଟିଯାଇଥିବା ଘଟଣା ସମ୍ପର୍କରେ ସେମାନଙ୍କ ବହୁମୂଲ୍ୟ ମତ ରଖିଛନ୍ତି।

ସଂସଦୀୟ କମିଟି ବୈଠକରେ ଚୀନ ଓ ତାହାର ବିସ୍ତାରବାଦୀ ନୀତି ଉପରେ ସାଂସଦମାନେ ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ। ଯେହେତୁ ଦେଶର ପ୍ରତିରକ୍ଷା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ, ସେହି ଦୃଷ୍ଟିରୁ ଦେଶ, ସାଂସଦ ଓ ଅଧିକାରୀ ସମସ୍ତେ ଚିନ୍ତିତ ହେବା ସ୍ଵାଭାବିକ।

ଆତ୍ମନିର୍ଭରଶୀଳ ଭାରତ

ପ୍ରତିରକ୍ଷା ବ୍ୟତୀତ ଆଉ କେଉଁ ସବୁ ବିଷୟରେ ଆମକୁ ଚିନ୍ତା କରିବା ପାଇଁ ହେବ ଏବଂ ତତ୍ପରତା ପ୍ରଦର୍ଶନ କରିବାକୁ ହେବ ତାହାର ବିଚାର ଏଠି କରାଯିବ। କେଉଁ କ୍ଷେତ୍ରରେ ଭାରତ ଯଥାଶୀଘ୍ର ଆତ୍ମନିର୍ଭର ହେବା ଆବଶ୍ୟକ ତାହା ବୁଝିବା ଆମ ପାଇଁ ନିତାନ୍ତ ଆବଶ୍ୟକ।କରୋନା ମହାମାରୀ ଓ ଚୀନର ଲଦାଖ ଆକ୍ରମଣର ସନ୍ଧିକ୍ଷଣରେ ସୋସିଆଲ ମିଡିଆ ସମେତ ବିଭିନ୍ନ ମଞ୍ଚରେ କଥା ଉଠିଥିଲା କେଉଁ କେଉଁ ସାମଗ୍ରୀ ପାଇଁ ଭାରତ ଚୀନ ଉପରେ କେତେ ନିର୍ଭରଶୀଳ ଓ ଏହି ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ କଣ କରାଯିବା ଦରକାର।

ଯେହେତୁ କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତର ନିର୍ଭରଶୀଳତା କଥା ଆଲୋଚିତ ହେଉଛି ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ, ଭାରତର ଔଷଧ ଉଦ୍ୟୋଗ କାହିଁକି ଏତେ ମାତ୍ରାରେ ଚୀନ ଉପରେ ନିର୍ଭରଶୀଳ? ବିଗତ ପଚାଶ ବର୍ଷ ଧରି  ଔଷଧ ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ଉପରେ ଆମର କୌଣସି କର୍ତ୍ତୃତ୍ୱ ରହିନାହିଁ ଏବଂ ଏଥିପାଇଁ ଆମକୁ ଚୀନ ଉପରେ ନିର୍ଭର କରିବା ପାଇଁ ହୋଇଛି। ଏଣୁ ପ୍ରଶ୍ନ ଉଠୁଛି ଔଷଧୀୟ କଞ୍ଚାମାଲ ବି ଆମେ କଣ ଭାରତରେ ଉତ୍ପାଦନ କରିପାରିବା ନାହିଁ?

ଗତ ବର୍ଷ ସଂସଦରେ ଏକ ଲିଖିତ ଉତ୍ତରରେ ସମ୍ପୃକ୍ତ ବିଭାଗର ମନ୍ତ୍ରୀ କହିଥିଲେ ଯେ ୨୦୧୬ରୁ ୨୦୧୯ ମଧ୍ୟରେ ଔଷଧ ସାମଗ୍ରୀ ଓ କଞ୍ଚାମାଲ ଅମଦାନୀରେ ଚୀନର ଭାଗ ଥିଲା ୬୫ ପ୍ରତିଶତ। ଏହା ନିଶ୍ଚିତରେ ଏକ ବଡ଼ ନିର୍ଭରଶୀଳତା ଏଥିରେ ଦ୍ଵିମତ ନାହିଁ। ଚୀନରୁ କଞ୍ଚାମାଲ ଆସିବ ନାହିଁ ତ ଏଠି ଔଷଧ ପ୍ରସ୍ତୁତ ହୋଇପାରିବ ନାହିଁ – ଏଭଳି ସ୍ଥିତି।ବିଶ୍ଵାସଘାତକ ଦେଶ

ଜୁନ ୧୫ ତାରିଖରେ ଗଲୱାନ ଘାଟିରେ ଯାହା ହେଲା ତାହା ଆମକୁ ଚେତେଇ ଦେଇଛି ଯେ ନିର୍ଭରତା ସେହି ଦେଶ ଉପରେ ରହିବା ଉଚିତ ଯେଉଁ ଦେଶ ଉପରେ ଆମର ପୂରା ବିଶ୍ୱାସ ଓ ଭରସା ଅଛି! ବିଶ୍ୱାସ ତାଲିକାରେ ଯେଉଁ ଦେଶ ନାହିଁ ସେହି ଦେଶ ଉପରେ ଜୀବନ ବଞ୍ଚାଇବା ସାମଗ୍ରୀ ପାଇଁ ନିର୍ଭର କରିବା ନିତାନ୍ତ ବିପଜ୍ଜନକ।

କହିବାର କଥା ହେଲା, ଏବେ ଆମକୁ ଏକଥା ଗୁରୁତ୍ୱର ସହ ବିଚାର କରିବାକୁ ହେବ ଯେ, ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଆମର ନିର୍ଭରଶୀଳତାର ଫାଇଦା ଅନ୍ୟ ଦେଶ ଉଠାଉ ନାହିଁ ତ? ନିର୍ଭରଶୀଳତା ଯେତେବେଳେ ନାଚାର ଅବସ୍ଥା ସୃଷ୍ଟି କରେ ସେଠି ହିଁ ଅସୁବିଧା ସୃଷ୍ଟି ହୁଏ ଓ ହାତ ଟେକିଦେବା ଭଳି ପରିସ୍ଥିତି ଜନ୍ମ ନିଏ।

କୁହାଯାଉଛି ସଂସଦୀୟ କମିଟି ବୈଠକରେ ଏହି ନିର୍ଦ୍ଦିଷ୍ଟ ବିଷୟ ଉପରେ ଗମ୍ଭୀର ଆଲୋଚନା ହୋଇଥିଲା ଓ କିଛି ସାଂସଦ ଏଥିରେ ନିଷ୍ଠା ଦେଖାଇଥିଲେ। ସୁତରାଂ ଆମେ ଆଶା କରିବା, ଜରୁରୀ ପଦାର୍ଥର ଆତ୍ମନିର୍ଭରଶୀଳତା ଆଡ଼କୁ ଏହା ଏକ ଅଭିନବ ପ୍ରୟାସ ଓ ଏଣିକି ସରକାରଙ୍କ ପକ୍ଷରୁ ଏ ଦିଗରେ କାର୍ଯ୍ୟ ଆରମ୍ଭ ହେବ।

ଅତ୍ୟାବଶ୍ୟକ ସାମଗ୍ରୀ

ଗତ ଦୁଇ ଦଶନ୍ଧି ଭିତରେ ଏକ ବିକାଶଶୀଳ ଦେଶରୁ ବିକଶିତ ଦେଶର ମର୍ଯ୍ୟାଦା ଭାରତ ହାସଲ କରିଥିଲେ ମଧ୍ୟ ବିଭିନ୍ନ ଜରୁରୀ ସାମଗ୍ରୀ ଓ ଜ୍ଞାନ କୌଶଳ ଆମ ପାଖରେ ନାହିଁ ଯାହାକି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ଭଳି ଏକ ଜୈବ ବିବିଧତା ସମ୍ପନ୍ନ ଦେଶରେ ଔଷଧୀୟ ସାମଗ୍ରୀ ଉପରେ ଦକ୍ଷତା ହାସଲ କରିବା ବେଶୀ କଷ୍ଟକର ନୁହେଁ କି ଅସମ୍ଭବ ନୁହେଁ। ବୋଧହୁଏ ଏ ଦିଗରେ ବ୍ୟାପକ ଦୃଷ୍ଟି ଦିଆ ଯାଇନାହିଁ।

କରୋନା ମହାମାରୀ ପରିପ୍ରେକ୍ଷୀରେ ମାସ୍କ, ଭେଣ୍ଟିଲେଟର ଠାରୁ ଆରମ୍ଭ କରି ପିପିଇ କିଟ୍ ପର୍ଯ୍ୟନ୍ତ ଗୋଟିଏ ସମୟରେ ଦେଶରେ ଯେଉଁଭଳି ଅସହାୟ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାକୁ ଆମେ କଦାପି ଭୁଲିଯିବା ଉଚିତ ନୁହେଁ। ଏଣୁ ସମୟର ଆବଶ୍ୟକତା ହେଉଛି ଦେଶ ଭିତରେ ଏହି ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ସରକାର ସବୁ ପ୍ରକାର ଉଦ୍ୟମ ହେବା ଦରକାର।

ଫାର୍ମା ଶିଳ୍ପ

ଔଷଧ ବଟିକା, ମେଡିକାଲ ଉପକରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଭାରତ ଉପରେ ପୁରା ଦୁନିଆର ଭରସା ରହଆସିଛି ଓ ଫାର୍ମା ଶିଳ୍ପରେ ଭାରତ ଏକ ମର୍ଯ୍ୟାଦାଜନକ ସ୍ଥାନ ହାସଲ କରିପାରିଛି। ଏହାର କାରଣ ଶସ୍ତା ଜେନେରିକ ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତର ପାରଦର୍ଶିତାକୁ ପ୍ରାୟ ସବୁ ଦେଶ ସ୍ୱୀକାର କରୁଛନ୍ତି। ଏପରିକି କରୋନା ଟିକା ଉତ୍ପାଦନରେ ଭାରତର ଅଗ୍ରଗତିକୁ ମଧ୍ୟ ଅନ୍ୟ ଦେଶ ଅପେକ୍ଷା ରଖିଛନ୍ତି।କୋଡ଼ିଏ ତିରିଶି ବର୍ଷ ତଳେ ଭାରତରେ ବଲକ ଡ୍ରଗ୍‌ର ଉତ୍ପାଦନ ବି ହେଉଥିଲା ଏବଂ ଏଥିରୁ ଅଧିକାଂଶ ବାହାର ଦେଶକୁ ରପ୍ତାନୀ ହେଉଥିଲା। ତେବେ ଜଗତିକରଣର ପ୍ରତିଦ୍ଵନ୍ଦ୍ଵିତାରେ ଆମେ ପଛରେ ରହିଗଲୁ। ତେଣେ ଚୀନରୁ ଯେଉଁ ମୋଟା ଆକାରରେ ଔଷଧୀୟ ସାମଗ୍ରୀ ଆସିଲା ତାହା ଶସ୍ତା ଦାମରେ ମିଳିଲା।

ଯଦି ଚୀନରେ ବଲକ ଡ୍ରଗ୍ ଖୁବ ଶସ୍ତା ହୋଇପାରିଛି ତା’ର କାରଣ ସେଠାକାର ସରକାର ଔଷଧ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଇଥା’ନ୍ତି। ଏଠି ଅସୁବିଧା ସୃଷ୍ଟି ହେଲା ଯେଉଁଦିନ ଠାରୁ ଅଧିକ ଲାଭ ଉଦ୍ଦେଶ୍ୟ ରଖି ଭାରତୀୟ କମ୍ପାନିଗୁଡ଼ିକ ଚୀନରୁ ବଲକ ଡ୍ରଗ୍ ଆଣିବା ଆରମ୍ଭ କଲେ ଓ ସରକାର ବି ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରିବା ଆରମ୍ଭ କଲେ।

କୁହାଯାଏ ବଜାର ଅର୍ଥନୀତିରେ ମାନବିକତା ବୋଲି କିଛି ନଥାଏ ଏବଂ ଏହି ପ୍ରସଙ୍ଗଟି କାହା ମନକୁ ଆସେ ନାହିଁ। ଆଉ ଏହି କାରଣରୁ ଭାରତର ଘରୋଇ ଔଷଧ ତିଆରି କମ୍ପାନିଗୁଡ଼ିକ ଦେଶକୁ ଏକ ସଂକଟପୂର୍ଣ୍ଣ ସ୍ଥିତିରେ ଛିଡ଼ା କରାଇଦେଲେ। ଉଲ୍ଲେଖଯୋଗ୍ୟ ଯେ, ଆଜି ବି ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତ ହେଉଛି ବିଶ୍ୱରେ ତୃତୀୟ ବୃହତ୍ତମ ଦେଶ। କିନ୍ତୁ ଅଧିକାଂଶ ଫାର୍ମା କମ୍ପାନି ଔଷଧୀୟ ଉପାଦାନଗୁଡ଼ିକୁ ଚୀନରୁ ହିଁ ଆଣିଥା’ନ୍ତି।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଏହି ବଲକ ଡ୍ରଗ୍‌ରୁ ହିଁ ଜୀବନ ରକ୍ଷକ ଔଷଧ ତିଆରି ହୋଇଥାଏ। ଗତ ବର୍ଷ ଚୀନ ସରକାର ଯେତେବେଳେ ପରିବେଶଗତ କାରଣରୁ କିଛି ଔଷଧୀୟ କଞ୍ଚାମାଲର ରପ୍ତାନି ବନ୍ଦ କରିଦେଲେ ଭାରତରେ ସାଧାରଣ ଔଷଧର ଦାମ ହଠାତ ବୃଦ୍ଧି ପାଇବା ଆରମ୍ଭ କଲା।

ସଂସଦୀୟ କମିଟି ବୈଠକ

ଶୁଣାଯାଉଛି ସଂସଦୀୟ କମିଟି ବୈଠକରେ ଦେଶର କିଛି ବିଶିଷ୍ଟ ବୈଜ୍ଞାନିକ ଉପସ୍ଥିତ ଥିଲେ ଓ ସେମାନେ ଏନେଇ ନିଜ ନିଜ ମତ ଦେଇଥିଲେ। ଏହି ବୈଠକରେ ଦୈନନ୍ଦିନ ଔଷଧ, ଭେଣ୍ଟିଲେଟର ସମେତ ଅନ୍ୟାନ୍ୟ ଶସ୍ତା ମେଡିକାଲ ଉପକରଣ ତିଆରି ଉପରେ ଆଲୋଚନା ହୋଇଥିଲା।

ଉଲ୍ଲେଖ ଅନାବଶ୍ୟକ ଯେ, ଦେଶକୁ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାକୁ ହେଲେ ସଂସଦୀୟ କମିଟି ବୈଠକ ନିରନ୍ତର ଅନୁଷ୍ଠିତ ହେବା ଦରକାର ଯାହା ଫଳରେ କି ବିଭିନ୍ନ କ୍ଷେତ୍ରରେ ଯେଉଁ ସବୁ ପ୍ରତିବନ୍ଧକ ଓ ଅସଙ୍ଗତି ରହିଛି ତାହାକୁ ଦୂର କରା ଯାଇପାରିବ ଓ ସମସ୍ୟାର ସମାଧାନ ବି ବାହାରିପାରିବ। ଯେହେତୁ ସଂସଦରେ ହିଁ ସବୁ କିଛି ନିର୍ଦ୍ଧାରଣ ହୁଏ, ଆଶା କରାଯାଉଛି ଅଧିକରୁ ଅଧିକ ଲୋକ ପ୍ରତିନିଧି ଏହି ଭଳି ବୈଠକରେ ଯୋଗ ଦେଇ ସେମାନଙ୍କର ସୁଚିନ୍ତିତ ମତ ରଖିବେ।କରୋନା ମହାମାରୀର ପ୍ରଭାବ ଅନ୍ତତଃ ଆହୁରି ଛଅ ମାସ ରହିବା ଆଶଙ୍କା କରାଯାଉଛି। ଏହି ସମୟ ମଧ୍ୟରେ ସଂସଦର କାର୍ଯ୍ୟ ସମ୍ପାଦନରେ କୌଣସି ପ୍ରକାର ଅବହେଳା ପ୍ରଦର୍ଶନ ହେବା ଅନୁଚିତ। ଯଦି ଦରକାର ହୁଏ ସଂସଦୀୟ ନିୟମାବଳୀରେ ପରିବର୍ତ୍ତନ ଆଣିବାକୁ ହେବ ଯାହାଦ୍ୱାରା ସାଂସଦମାନେ ଅନଲାଇନ୍ ବୈଠକରେ ସାମିଲ ହୋଇ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିବେ।

ପ୍ରତିରକ୍ଷା ସାମଗ୍ରୀ ହେଉ କି ଔଷଧ ହେଉ ଆଗାମୀ ଦିନରେ ଭାରତ ନିଜକୁ ସ୍ୱାବଲମ୍ବୀ କରିବା ଦରକାର। ଏହା ଯେତେ ଶୀଘ୍ର ହୋଇପାରିବ ସେତେ ଭଲ।

   (ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment