ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ବର୍ଷର ଯୁକ୍ତ ୨ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ଏକାସଙ୍ଗେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। କଳାରେ ପାସ୍‌ ହାର ୮୦.୯୫ ପ୍ରତିଶତ, ବିଜ୍ଞାନର ପାସ୍‌ ହାର ୮୬.୯୩ ପ୍ରତିଶତ, ବାଣିଜ୍ୟର ପାସ୍‌ ହାର ୮୨.୨୭ ପ୍ରତିଶତ ରହିଛି। ସବୁ ବିଷୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ସେହିପରି ଯୁକ୍ତ ୨ ଧନ୍ଦାମୂଳକ ଶିକ୍ଷାରେ ପାସ୍‌ ହାର ୬୮.୦୨ ପ୍ରତିଶତ ରହିଛି। ଏନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।

ଯୁକ୍ତ ୨ ବିଜ୍ଞାନରେ ୬୦,୯୭୩ ଛାତ୍ରଙ୍କ ମଧ୍ୟରୁ ୫୨,୫୬୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ଛାତ୍ରଙ୍କ ପାସ୍‌ ହାର ୮୬.୨୧ ପ୍ରତିଶତ ରହିଛି। ତେବେ ବିଜ୍ଞାନରେ ୫୪,୯୨୨ ଜଣ ଛାତ୍ରୀଙ୍କ ମଧ୍ୟରୁ ୪୮,୧୯୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ପାସ୍‌ ହାର ୮୭.୭୪ ପ୍ରତିଶତ ରହିଛି।

ସେହିପରି ଯୁକ୍ତ ୨ ବାଣିଜ୍ୟରେ ୯,୪୩୧ ଛାତ୍ରୀଙ୍କ ମଧ୍ୟରୁ ୮,୦୬୯ ଜଣ ପାସ୍‌ କରିଛନ୍ତି। ଏହାସହ ୧୬,୪୬୬ ଛାତ୍ରଙ୍କ ମଧ୍ୟରୁ ୧୩,୨୩୯ ଜଣ ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୮୫ ପ୍ରତିଶତ ଓ ଛାତ୍ରଙ୍କ ପାସ୍‌ ହାର ୮୦.୪୦ ପ୍ରତିଶତ ରହିଛି।

ଯୁକ୍ତ ୨ କଳାରେ ମୋଟ୍‌ ୨ ଲକ୍ଷ ୩୫ ହଜାର ୨୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୦ ହଜାର ୪୨୯ ଜଣ ପାସ୍‌ କରିଛନ୍ତି। ଏଥିରେ ୧ ଲକ୍ଷ ୪ ହଜାର ୪୪୭ ଛାତ୍ରଙ୍କ ମଧ୍ୟରୁ ୭୫ ହଜାର ୯୧୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ପାସ୍‌ ହାର ୭୨.୬୮ ପ୍ରତିଶତ ରହିଛି। ସେହିପରି କଳାରେ ମୋଟ ୧ ଲକ୍ଷ ୩୦ ହଜାର ୭୭୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ୫୧୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୮୭.୫୬ ପ୍ରତିଶତ ରହିଛି।

ଏହି ଯୁକ୍ତ ୨ ରେଜଲ୍ଟ ଅନଲାଇନରେ ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ www.orissaresults.nic.in ୱେବସାଇଟରେ ନିଜ ରୋଲ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ।

ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ଫେବ୍ରୁଆରି ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା। ଏଥିରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Tags: #Plus2Results #Plus2Exam #Arts #Science #Commerce #Education #CHSE #Odisha

LEAVE A REPLY

Please enter your comment!
Please enter your name here