ଓଡିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। ପୂର୍ବରୁ କରୋନା ସଂକ୍ରମଣକୁ ସଂସର୍ଗଜନିତ ବୋଲି କୁହାଯାଉଥିଲା। କିନ୍ତୁ ଏବେ ବୈଜ୍ଞାନିକମାନେ ଏହି ସଂକ୍ରମଣକୁ ବାୟୁବାହିତ ବୋଲି ଦାବି କରିଛନ୍ତି। ବୈଜ୍ଞାନିକମାନଙ୍କର ଏଭଳି ଦାବି ବିଶ୍ଵ ସମୁଦାୟକୁ ଆହୁରି ଭୟଭୀତ କରିଛି।

ଏକ ରିପୋର୍ଟ ଅନୁସାରେ, କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପୁଥିବାର ପ୍ରମାଣ ମିଳିଛି ବୋଲି ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଦାବି କରିଛନ୍ତି। ସେମାନଙ୍କର କହିବା ଅନୁସାରେ, ବାୟୁମଣ୍ଡଳରେ ଉଡ଼ି ବୁଲୁଥିବା କରୋନା ଭୂତାଣୁର ଛୋଟ କଣିକାଟିଏ ମଧ୍ୟ ମଣିଷକୁ ସଂକ୍ରମିତ କରିପାରେ। ତେଣୁ ଗହଳି ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିଲେ ମଧ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। କାରଣ ଘରର ବାୟୁମଣ୍ଡଳରେ ଘୂରି ବୁଲୁଥିବା କରୋନା ଭୂତାଣୁ ମଧ୍ୟ ଯେ କୌଣସି ଲୋକକୁ ସଂକ୍ରମିତ କରିପାରେ। ତେଣୁ କରୋନା ସଂକ୍ରମଣ ବିଷୟରେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପୂର୍ବରୁ ଯେଉଁ ପରାମର୍ଶବଳୀ ଜାରି କରିଥିଲା ସେଥିରେ ପରିବର୍ତ୍ତନ କରାଯାଉ ବୋଲି ଏହି ବୈଜ୍ଞାନିକମାନେ ଦାବି କରିଛନ୍ତି।ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଅନୁସାରେ, କୌଣସି କରୋନା ସଂକ୍ରମିତ କାଶିବା, ଛିଙ୍କିବା ବା କଥା କହିବାବେଳେ ତାଙ୍କ ପାଟି ଏବଂ ନାକରୁ ବାହାରୁଥିବା ଜଳକଣାରେ ଅଭିନବ କରୋନା ଭୂତାଣୁ ସାର୍ସ-କୋଭ୍-୨ ଥାଏ। ଏହି ଭୂତାଣୁ ସଂସ୍ପର୍ଶରେ ଆସିଲେ ସୁସ୍ଥ ବ୍ୟକ୍ତିକୁ କରୋନା ସଂକ୍ରମିତ ହୋଇଥାଏ।

କିନ୍ତୁ ସମ୍ପୃକ୍ତ ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ନାକ ଓ ପାଟିରୁ ବାହାରୁଥିବା ବଡ଼ ଜଳକଣା ସହ ବାୟୁମଣ୍ଡଳରେ ଘୂରୁଥିବା କ୍ଷୁଦ୍ର ଜଳକଣାରେ ମଧ୍ୟ କରୋନା ଭୂତାଣୁ ପରିବାହିତ ହେବାର ପ୍ରମାଣ ମିଳିଛି। ସଙ୍ଗରୋଧରେ ରହିଲେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ରହିଛି।

ତେଣୁ କରୋନା ସଂକ୍ରମଣ ରୋକିବା ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ସେଥିରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ସେମାନେ ସତର୍କ କରିଛନ୍ତି। ଏଥିସହ ଜଣେ ବ୍ୟକ୍ତି ହୋମ୍ କ୍ଵାରେଣ୍ଟାଇନରେ ରହିଲେ ମଧ୍ୟ ଉଚ୍ଚମାନର ଏନ୍୯୫ ମାସ୍କ ପିନ୍ଧିବା ଉପରେ ବୈଜ୍ଞାନିକମାନେ ଜୋର ଦେଇଛନ୍ତି।ଅନ୍ୟପଟେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ବିଭାଗର ବୈଷୟିକ ମୁଖ୍ୟ ଡା. ବେନେଦେତ୍ତା ଆଲେଗ୍ରାଞ୍ଜି ଲୋକମାନଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। କରୋନା ଭୂତାଣୁ ବାୟୁବାହିତ କି ନୁହେଁ ସେନେଇ ଗତ ଦୁଇ ମାସ ହେଲା ଅନୁଧ୍ୟାନ କରାଯାଉଛି। କିନ୍ତୁ ଏଯାଏଁ ସେଭଳି କିଛି ବଳିଷ୍ଠ ପ୍ରମାଣ ମିଳିନାହିଁ ବୋଲି ସେ ସୂଚନା ଦେଇଛନ୍ତି।

Comment