ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କ୍ରମାଗତ ଭାବେ ଦଶମ ଥର ପାଇଁ ଅପରିବର୍ତ୍ତିତ ରହିଲା ‘ରେପୋ’ ରେଟ୍‌। ଏହି ଦର ପୂର୍ବଭଳି ୬.୫ ପ୍ରତିଶତ ରହିବ। ଏନେଇ ଗୁରୁବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଦେଶରେ ମୁଦ୍ରାସ୍ଫୀତିର ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟି ବୈଠକରେ ଦେଶରେ ‘ରେପୋ’ ରେଟ୍‌ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। କମିଟିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ସପକ୍ଷରେ ମତ ଦେଇଥିଲେ।

ବୁଧବାର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ବୈଠକ ହୋଇଥିଲା। ଏଥିରେ ଦେଶର ଆର୍ଥିକ ସ୍ଥିତକୁ ନେଇ ବିଭିନ୍ନ ସମୀକ୍ଷା ଓ ଆଲୋଚନା କରାଯାଇଥିଲା।   

ସେହିପରି ଗୁରୁବାର ରିଭର୍ସ ରେପୋ ରେଟକୁ ମଧ୍ୟ ୩.୩୫ ପ୍ରତିଶତ ରଖାଯାଇଛି। ଏହାସହ ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ (ଏସଡିଏଫ୍‌) ରେଟ୍‌ ୬.୨୫ ପ୍ରତିଶତ ଏବଂ ‘ମାର୍ଜିନାଲ୍‌ ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ (ଏମଏସଏଫ୍‌) ରେଟକୁ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି।

ରିଜର୍ଭ ବ୍ୟାଙ୍କ ୨୦୨୨ ମସିହା ଏପ୍ରିଲ ମାସରୁ ଏ ପର୍ଯ୍ୟନ୍ତ ରେପୋ ରେଟରେ ୨୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ଏହା ପୂର୍ବରୁ ୨୦୨୩ ଫେବ୍ରୁଆରି ମାସରେ ଶେଷ ଥର ପାଇଁ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବଢ଼ିଥିଲା।

ଦେଶରେ ଆର୍ଥିକ ସ୍ଥିତି ତଥା ମୁଦ୍ରାସ୍ଫୀତିର ଆକଳନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ପ୍ରତି ଦୁଇ ମାସରେ ବୈଠକ ଅନୁଷ୍ଠିତ ହୋଇଥାଏ। ଏଠାରେ ରେପୋ ରେଟ୍ ଓ ଅନ୍ୟାନ୍ୟ ବ୍ୟାଙ୍କ ଦରକୁ ନେଇ ନିଷ୍ପତ୍ତି ନିଆଯାଏ। ଏହାପରେ ଡିସେମ୍ବର ମାସରେ କମିଟିର ପରବର୍ତ୍ତୀ ବୈଠକ ବସିବ।

Tags: #RBI #Reporate #Inflation #MonetaryPolicyCommitte #India

LEAVE A REPLY

Please enter your comment!
Please enter your name here