ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶାର ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ଓ କୋଲକାତା ବିମାନବନ୍ଦରରୁ ଉଡାଣ ବାତିଲ କରାଯାଇଛି।
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭୁବନେଶ୍ଵର ଓ କୋଲକାତା ବିମାନବନ୍ଦରରୁ ଗୁରୁବାର ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଉଡାଣ ବାତିଲ କରାଯାଇଛି। ଏହି ସମୟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପ୍ରାୟ ୪୦ଟି ଉଡାଣ ବନ୍ଦ ରହିବ।
ତେବେ ଅକ୍ଟୋବର ୨୫ ତାରିଖରେ ପାଣିପାଗରେ ପରିବର୍ତ୍ତନ ଦେଖି ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ଟ୍ରେନ୍ ଚଳାଚଳ ବାତିଲ ହୋଇଛି।
ଭୀଷଣ ବାତ୍ୟା ‘ଦାନା’ ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଏହା ପାରାଦୀପରୁ ୨୬୦ କିଲୋମିଟର ଏବଂ ଧାମରାଠାରୁ ୨୯୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ବାତ୍ୟାଟି ଓଡ଼ିଶା ଉପକୂଳ ଅଭିମୁଖେ ଆସୁଛି।
ତେବେ ଲ୍ୟାଣ୍ଡଫଲ୍ ପରେ ବାତ୍ୟାର ଗତିପଥ ସାମାନ୍ୟ ରିକର୍ଭ ହୋଇପାରେ। ଏହା ଦିଗ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Tags: #CycloneDana #Rainfall #FlightOperations #IMD #MCBBSR #Odisha #CycloneUpdates