ଓଡ଼ିଶାଲାଇଭ୍ ବ୍ୟୁରୋ

ସମୁଦ୍ରରେ ବଳ ଗୋଟାଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ବାତ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟତଃ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ସେମାନଙ୍କର ଖାଦ୍ୟ ପାନୀୟ ଜଳ ସଠିକ ସମୟରେ ଯୋଗାଇବା ଉପରେ ଗୁରୁତ୍ଵ ଦିଆଯାଇଛି।

ଜଗତସିଂହପୁର ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି ନେଇ ରାଜ୍ୟ ଶିଳ୍ପ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ସମୀକ୍ଷା କରିଛନ୍ତି। ସେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଜିଲ୍ଲାରେ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଦିଗରେ ଗୁରୁତ୍ଵ ଦିଆଯାଇଛି।

ଜଗତସିଂହପୁର ଜିଲ୍ଲାରେ ୪୫ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୨୧୪ଟି ବିକଳ୍ପ ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ଗର୍ଭବତୀ ମହିଳାମାନଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ନିଆଯିବା ପାଇଁ ପଦକ୍ଷେପ ନିଆଯାଇଛି। ଏହାସହ ଲୋକଙ୍କ ପାଇଁ ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଏବଂ ଔଷଧର ବ୍ୟବସ୍ଥା କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳକୁ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। ଅନେକ ସମୁଦ୍ର କୂଳରେ ବିଏନଏସ୍ ଧାରା ୧୬୩ ଜାରି କରାଯାଇଛି।  ବାତ୍ୟାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଏକାଧିକ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି।

ଅନ୍ୟପଟେ ବାତ୍ୟା ‘ଦାନା’କୁ ନେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷକରି ବନ୍ଦର ମଧ୍ୟରେ ଥିବା ସମସ୍ତ ପଣ୍ୟବାହୀ ଜାହାଜ ବୁଧବାର ମଧ୍ୟାହ୍ନଠାରୁ ବର୍ଥ ଛାଡ଼ି ସମୁଦ୍ର ଭିତରକୁ ଯାଇଛନ୍ତି। ବାତ୍ୟା ପ୍ରଭାବ କମିବା ପରେ ଜାହାଜଗୁଡ଼ିକ ପୁଣି ବନ୍ଦରକୁ ଆସିବେ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ପୋର୍ଟ ଟାଉନସିପ୍‌ ଭିତରେ ଥିବା ୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟବସ୍ଥିତ କରାଯାଇଛି। 

Tags: #CycloneDana #Rainfall #Jagatsinghpur #IMD #Odisha #CycloneUpdates

Comment