ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ‘ଦାନା’ ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି। ବାତ୍ୟାଟି ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ାରେ ଲୋକମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।
ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ କେନ୍ଦ୍ରାପଡ଼ାରେ ଲୋକଙ୍କ ପାଇଁ ୫୫୦ଟି ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା ହୋଇଛି। ଏବେ ସୁଦ୍ଧା ଜିଲ୍ଲାରେ ପ୍ରାୟ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ରାଜନଗର ବ୍ଳକର ୧୮ଟି ପଞ୍ଚାୟତର ୧୮ ହଜାର ଜଣ ଓ ମହାକାଳପଡା ବ୍ଲକର ୧୪ଟି ପଞ୍ଚାୟତରୁ ପ୍ରାୟ ୪୦୦୦ ଲୋକ ସ୍ଥାନାନ୍ତର ହୋଇଛନ୍ତି।
ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ସମର୍ଥ ବର୍ମା ଓ ଜିଲ୍ଲାପାଳ ରଶ୍ମୀରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ାରେ ବିଭିନ୍ନ ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ପୋଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍, ଓଡ୍ରାଫ ଟିମ ସହ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମିଶି ସ୍ଥାନାନ୍ତର ଓ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଥଇଥାନ ବ୍ୟବସ୍ଥାରେ ଲାଗିଛନ୍ତି।
କେନ୍ଦ୍ରାପଡ଼ାରେ ଏବେଠାରୁ ବାତ୍ୟା ‘ଦାନା’ର ପ୍ରଭାବ ବଢିବାରେ ଲାଗିଛି। ପ୍ରବଳ ବର୍ଷା ସହ ଜୋରରେ ପବନ ବହିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛିl ସେଥିମଧ୍ୟରୁ ରାଜକନିକା ବ୍ଲକରେ ସର୍ବାଧିକ ୩୦ ମିଲିମିଟର ବର୍ଷା ହୋଇଛି। ଆଗକୁ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି।
Tags: #CycloneDana #Rainfall #Kendrapara #IMD #Odisha #CycloneUpdates