ଓଡ଼ିଶାଲାଇଭ୍ ବ୍ୟୁରୋ

ଭୀଷଣ ବାତ୍ୟା ‘ଦାନା’ ଗୁରୁବାର ମଧ୍ୟରାତ୍ରିରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁଛି। ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ନିକଟରେ ବାତ୍ୟାର ଲ୍ୟାଣ୍ଡଫଲ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା। ଏହାପରେ ୫-୬ ଘଣ୍ଟା ଧରି କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିଥିଲା ‘ଦାନା’।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିଥିଲା। ଏହା ପ୍ରଭାବରେ ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡିବା ସହ ଘରର ଚାଳ ଛପର ତଥା ଆଜବେଷ୍ଟସ ଆଦି ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ଗଛ ଡାଳ ପଡ଼ି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡି ରାସ୍ତାରେ ପଡ଼ିଛି।

ବାତ୍ୟା ଯୋଗୁଁ ଏବେ ଭଦ୍ରକ, କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି। ରାସ୍ତାରେ ଅନେକ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି। ଏହାଦ୍ୱାରା ରାସ୍ତାରେ ଜାମ୍‌ ହୋଇଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ାର ସାତଭାୟା ଅଞ୍ଚଳର ବଗପାଟିଆରେ ସାମୁଦ୍ରିକ ଜୁଆର ଆସି ଗାଁ ମଧ୍ୟ ପ୍ରବେଶ କରିଛି। ଏହାଦ୍ଵାରା ଲୋକେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ଅନେକ ଚାଷଜମିରେ ଲୁଣି ପାଣି ମାଡ଼ି ଯାଇଛି।

ଏବେ ବାତ୍ୟା ଦାନା ଧାମରାଠାରୁ ୩୦ କିଲୋମିଟର ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ରହିଛି। ବାତ୍ୟାର ବେଗ ଘଣ୍ଟାପ୍ରତି ୧୦ କିଲୋମିଟର ରହିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବାକୁ ଆହୁରି ୨ ଘଣ୍ଟା ସମୟ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଅପରାହ୍ଣରେ ବାତ୍ୟାଟି ଦୁର୍ବଳ ହେବାର ସମ୍ଭାବନା ରହିଛି।

Tags: #CycloneDana #Landfall #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here