କପିଳାସ ଭୂୟାଁ

ଅକ୍ଟୋବର ମାସ ତୃତୀୟ ସପ୍ତାହରେ ବନ୍ଧୁ ବରିଷ୍ଠ ଚିତ୍ରଶିଳ୍ପୀ ରାମହରି ଜେନାଙ୍କ ସହ ବ୍ରହ୍ମପୁର ଯାଇଥିଲି। ସମ୍ପ୍ରତି ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ଟାଗୋର ଫେଲୋ ରୂପେ ଗଞ୍ଜାମ ଜିଲ୍ଲାର ଲୋକ କଳା, ଲୋକ ନୃତ୍ୟ ଓ ଲୋକ ସଂସ୍କୃତି ଧାରାର ସ୍ଥିତି ଆକଳନ କରୁଛନ୍ତି।

ଅକ୍ଟୋବର ୧୯ ତାରିଖ ଶନିବାର ଅପରାହ୍ଣ ସୁଦ୍ଧା ଆମେ ବ୍ରହ୍ମପୁରରେ ପହଞ୍ଚି ଯାଇଥିଲୁ। ସନ୍ଧ୍ୟା ପ୍ରାୟ ଛ’ଟା ବେଳକୁ ଦିଗପହଣ୍ଡିର ଯୁବ କଳାକାର ଆଲୋକ ବିଷୋୟୀ ଓ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ଉପରେ ପୁସ୍ତକ ଲେଖୁଥିବା ଅଧ୍ୟାପକ ବାୟାମନୁ ଚର୍ଚ୍ଚି ଆସି ଆମ ପାଖେ ପହଞ୍ଚିଲେ। ଆଳାପ ଆଲୋଚନା କାଳରେ ଆଲୋକଙ୍କ ପାଖରେ ଖବର ପହଞ୍ଚିଲା ଯେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ସେଦିନ ସକାଳ ପ୍ରାୟ ୧୦ ଟାରୁ ବାଦି ‘ରଜା ନାଟ’ ଆରମ୍ଭ ହୋଇଛି ଓ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ। ମୋ ପାଇଁ ଏହା ଏକ ବଡ଼ ସୁଯୋଗ ଥିଲା ଦେଖିବା ପାଇଁ ଯେ ବାଦ ‘ରଜା ନାଟ’ କେମିତି ହୁଏ। ଆମେ ସେଠାକୁ ଯିବା ପାଇଁ ନିଷ୍ପତ୍ତି ନେଲୁ।

ପ୍ରଥମେ ହାଇ ୱେରେ ଓ ଗଞ୍ଜା ପରେ ହାଇ ୱେରୁ ଅଙ୍କାବଙ୍କା ପିଚୁ ରାସ୍ତାରେ ପ୍ରାୟ ୪୫ ମିନିଟ ଗାଡ଼ିରେ ଯାଇ ଆମେ ସେଠାରେ ପହଞ୍ଚିଲୁ। ଜଣେ ଯୁବକ ଆମକୁ ବାଟ କଢ଼େଇ ଅଭିନୟ ସ୍ଥାନକୁ ନେଇଗଲେ। ଅଭିନୟ ସ୍ଥାନ ମାନେ ଗାଁ ଦାଣ୍ଡ। ଦୁଇ ପାଖରେ ଲୋକମାନଙ୍କ ଘର ଓ ମଝିରେ ପ୍ରାୟ ୧୨ ଫୁଟ ଓସାର ଓ ୨୫୦ ଫୁଟ ଲମ୍ବର ଗାଁ ଦାଣ୍ଡ ଓ ତାହା ହିଁ ଦୁଇ ଦଳର ରଜା ନାଟ ଅଭିନୟ ପାଇଁ ମୁକ୍ତାକାଶ ମଞ୍ଚ।

ବାଦ ମାନେ ଲଢ଼େଇ ଓ ସେଦିନ ଦୁଇ ଦଳର ଲଢ଼େଇ ଭିତ୍ତିକ ରଜା ନାଟ ପରିବେଷଣ ଚାଲିଥିଲା। ପୂରା ଦାଣ୍ଡକୁ ମଝିରେ ଆଡ଼ ବାଗରେ ବାଉଁଶ ବାନ୍ଧି ଦୁଇ ଭାଗ କରାଯାଇଥିଲା ଓ ଉଭୟ ପାର୍ଶ୍ୱରେ ଗୋଟିଏ କରି ଦଳ ସେମାନଙ୍କ ପରିବେଷଣ କରୁଥିଲେ। ଗାଁ ଲୋକେ ସେମାନଙ୍କ ପିଣ୍ଡାରେ ବସି କିମ୍ବା ଦାଣ୍ଡରେ ରହି ଉଭୟ ଦଳର ଅଭିନୟ ପରାକାଷ୍ଠା ଦେଖୁଥିଲେ।

ଶେଷକୁ ଗାଁ ଲୋକେ କେଉଁ ଦଳ ଅନ୍ୟଠାରୁ ଭଲ କଲା ତା’ର ବିଚାର କରିବେ ଓ ସେହି ଅନୁଯାୟୀ ଯେଉଁ ଦଳର ଜିତାପଟ ହେବ ତାଙ୍କୁ ପୁରସ୍କାର ଦିଆଯିବ। ଏହା ବ୍ୟତୀତ ବ୍ୟକ୍ତିଗତ ଭାବେ ଯାହାକୁ ଯାହାର ଅଭିନୟ ଭଲ ଲାଗୁଥିଲା ପରିବେଷଣ ସମୟରେ ଯାଇ ଅଭିନେତାମାନଙ୍କ ମୁକୁଟ କିମ୍ବା ଛାତିରେ ଟଙ୍କା ଲଗେଇ ଦେଉଥିଲେ।

ଏହି ଲୋକାଭିନୟକୁ ‘ପ୍ରହ୍ଲାଦ ନାଟକ’ କୁହାଯାଏ। କିନ୍ତୁ ଲୋକମୁଖରେ ଏହା ‘ରଜା ନାଟ’ ଭାବେ ବହୁଳ ପରିଚିତ। ଏହାର ବିଷୟବସ୍ତୁ ମୁଖ୍ୟତଃ ପୁରାଣରେ ବର୍ଣ୍ଣିତ ‘ନୃସିଂହ ଅବତାର’ ଆଧାରିତ। ରାଜା ହିରଣ୍ୟ କଶ୍ୟପୁ ଜଣେ ଶିବ ଭକ୍ତ ହୋଇଥିବା ବେଳେ ତାଙ୍କ ପୁତ୍ର ପ୍ରହ୍ଲାଦ ଥିଲା ବିଷ୍ଣୁ ଭକ୍ତ। ଶିବଙ୍କ ବରପ୍ରାପ୍ତ ହୋଇଥିବାରୁ ହିରଣ୍ୟକୁ କେହି ଭୂମିରେ କି ଶୂନ୍ୟରେ ବଧ କରି ପାରିବ ନାହିଁ। ତେଣୁ ସେ ନିଜକୁ ସର୍ବବଳୀୟାନ ବୋଲି ମନେ କରୁଥିଲା।

ଶିବଙ୍କ ଅନୁଗାମୀ ହୋଇଥିବାରୁ ସେ ପୁଅ ପ୍ରହ୍ଲାଦକୁ ମଧ୍ୟ ସେହି ରାସ୍ତାରେ ଯିବାକୁ ଚାହୁଁଥିଲା। କିନ୍ତୁ ପୁତ୍ର ପ୍ରହ୍ଲାଦ ତାହା ମାନୁ ନଥିଲା। ଏହା ହିଁ ଥିଲା ବାପା ଓ ପୁଅଙ୍କ ମଧ୍ୟରେ କନ୍ଦଳ। ଏ ଦୁଇ ଜଣଙ୍କ ମଧ୍ୟରେ ହନ୍ତସନ୍ତ ହେଉଥିଲେ ରାଣୀ ଲୀଳାବତୀ। ପୁତ୍ର ପ୍ରହ୍ଲାଦର ଜିଦି ପାଇଁ ରାଜା ହିରଣ୍ୟ ତାକୁ ନାନାଦି ଶାସ୍ତି ଦେଉଥିଲେ, କିନ୍ତୁ ସେଥିରେ ସେ ହାରି ଯାଉଥିଲେ। ଶେଷକୁ ବିଷ୍ଣୁ କେଉଁଠାରେ ଅଛନ୍ତି ବୋଲି ସେ ପଚାରନ୍ତେ, ସେ ସର୍ବବିଦ୍ୟମାନ ବୋଲି ପ୍ରହ୍ଲାଦ କୁହେ।

ତେବେ ସେ ଏହି ଖମ୍ବରେ ଅଛିକି ବୋଲି ହିରଣ୍ୟ ପଚାରିବାରୁ ପ୍ରହ୍ଲାଦ ସମ୍ମତି ଜଣାଏ। ହିରଣ୍ୟ ସେହି ଖମ୍ବକୁ ଭାଙ୍ଗିଦେବା କ୍ଷଣି ତହିଁରୁ ବିଷ୍ଣୁ ନୃସିଂହ ରୂପରେ ଆବିର୍ଭାବ ହୁଅନ୍ତି ଏବଂ ଉଆସର ଦୁଆର ବନ୍ଧରେ ବସି ନିଜ ଜାନୁବନ୍ଧରେ ହିରଣ୍ୟର ଅନ୍ତ ଫାଡ଼ି ତାକୁ ମାରନ୍ତି।

ଊଣାଅଧିକେ ଏହି ବିଷୟବସ୍ତୁ ପ୍ରାୟ ସମସ୍ତଙ୍କୁ ଜଣା। କିନ୍ତୁ ରଜା ନାଟରେ ଅଭିନେତାମାନେ ଏହାକୁ କିପରି ସେମାନଙ୍କ ଅଭିନୟ ମାଧ୍ୟମରେ ପରିବେଷଣ କରନ୍ତି ତାହା ଦେଖିବାକୁ ସମସ୍ତଙ୍କର ଆଗ୍ରହ। ଆଉ ବାଦ ରଜା ନାଟରେ ଦୁଇ ଦଳ ଏହାକୁ କିଭଳି ପରିବେଷଣ କରନ୍ତି ତାହାକୁ ଏକ ସମୟରେ ଦେଖିବା ଓ ପରଖିବା ସହ ଭଲ କରୁଥିବା ଦଳକୁ ପୁରସ୍କାର ଦେବା ଏହି ଆୟୋଜନ କରୁଥିବା ଗାଁ ପାଇଁ ଗୋଟିଏ ବିଶେଷ ଘଟଣା।

ହିରଣ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ନାଁରେ ସେହି ଦଳର ପରିଚୟ। ସେଦିନ ସନ୍ଧ୍ୟାରେ ଦୁଇ ପଟର ପରିବେଷଣରେ ହିରଣ୍ୟ ଭୂମିକାରେ ଅଭିନୟ କରୁଥିଲେ ତାପସ ପ୍ରଧାନ ଓ ଦୁର୍ଗା ଚରଣ ସାହୁଙ୍କ ଦଳ। ସେମାନେ ଉଭୟ ପରସ୍ପରର ଭଲ ବନ୍ଧୁ, କିନ୍ତୁ ବାଦ ରଜା ନାଟରେ ସେମାନେ ସେଦିନ ଥିଲେ ପରସ୍ପରର ଚରମ ପ୍ରତିଦ୍ଵନ୍ଦ୍ଵୀ।

ହୁଏତ ଶୈବ ଓ ବୈଷ୍ଣବଙ୍କ ଦ୍ଵନ୍ଦ୍ଵରୁ ରଜା ନାଟର ଉତ୍ପତ୍ତି ହୋଇଥାଇପାରେ। ନଚେତ ବିଷ୍ଣୁଙ୍କ ନୃସିଂହ ଅବତାରର ମାହାତ୍ମ୍ୟ ବର୍ଣ୍ଣନା କରିବା ପାଇଁ ଏହା ପ୍ରଦର୍ଶନ କରାଯାଉ ଥାଇପାରେ। ସେ ଯାହା ବି ହେଉ, ରଜା ନାଟ ବା ପ୍ରହ୍ଲାଦ ନାଟକ ଗଞ୍ଜାମର ଏକାଧିକ ଲୋକକଳା ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖି ଆସୁଛି। ବଡ଼ କଥା ହେଉଛି ଯେ ଟେକ୍ନୋଲୋଜି ଯୁଗର ଅଭ୍ୟୁଦୟ ଓ ମୋବାଇଲ ଫୋନ ପରି ଅହରହ ମନୋରଞ୍ଜନ ଯୋଗାଇ ଆସୁଥିବା ଯୁଗରେ ମଧ୍ୟ ରଜା ନାଟ ବଞ୍ଚି ରହିଛି। ଏବେ ବି ଗଞ୍ଜାମର ଗାଁ ଗାଁରେ ଆବାଳ ବୃଦ୍ଧବନିତା ଅତି ଆଗ୍ରହରେ ରଜା ନାଟ ପରିବେଷଣର ଆୟୋଜନ କରିବା ସହ ତାହାକୁ ଅତି ଆଗ୍ରହରେ ଦେଖୁଛନ୍ତି।

ରଜା ନାଟ ପରିବେଷଣ ପାଇଁ ଗାଁ ଦାଣ୍ଡର ଗୋଟିଏ ପଟେ ପାଞ୍ଚ ପାହାଚ ବିଶିଷ୍ଟ କାଠର ମଞ୍ଚ ରହିଥାଏ, ଯାହାର ଉପର ପାହାଚରେ ହିରଣ୍ୟ ବସିବା ସହ ଅନ୍ୟ ପାହାଚଗୁଡ଼ିକରେ ଓ ଭୂମିରେ ଦୃତ ପଦଚାଳନା କରି ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରେ। ଲୀଳାବତୀ, ପ୍ରହ୍ଲାଦ ତଥା ଶବର ଶବରୁଣୀ ଆଦି ଅନ୍ୟ ମୁଖ୍ୟ ଚରିତ୍ରଗୁଡ଼ିକ ଭୂମିରେ ସେମାନଙ୍କ ଅଭିନୟ କରନ୍ତି। ଅବଶ୍ୟ ପ୍ରହଲାଦ ବେଳେ ବେଳେ କାଠ ମଞ୍ଚ ଉପରକୁ ମଧ୍ୟ ଯାଇ ଅଭିନୟ କରେ।

ରଜା ପୋଷାକ ପିନ୍ଧିବା ସହ ମୁଣ୍ଡରେ କାଠ ମୁକୁଟ, ମୁହଁରେ ଭାଲୁ ଚମଡ଼ାରେ ପ୍ରସ୍ତୁତ ଘଞ୍ଚ ଦାଢ଼ି ଓ ଆଖିରେ ସବୁଜ କିମ୍ବା କଳା ଚଷମା ପିନ୍ଧି ହିରଣ୍ୟ ଜଣେ ଭୀଷଣ ପ୍ରତାପୀ ଦାନବ ପରି ପ୍ରତୀୟମାନ ହୁଏ। ନାକ ତଳେ ଆକର୍ଣ୍ଣ ଲମ୍ବିତ ମୋଟା ସୂତା ନିଶ ରହିଥାଏ। ମୋଟାମୋଟି ହିରଣ୍ୟର ରୂପକୁ ଲକ୍ଷ୍ୟ କଲେ ଲାଗେ ଯେ ରଜା ନାଟର ବେଶଭୂଷା ପରିପାଟି ଉପରେ ଦକ୍ଷିଣ ଭାରତୀୟ ନୃତ୍ୟକଳାର ଛାପ ରହିଥିବା ପରି ଲାଗେ। ବ୍ରିଟିଶ ଅମଳରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଶାସନ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ହୋଇ ରହିଥିବା ଯୋଗୁଁ ଏପରି ହୋଇଥିବାର କାରଣ ପରି ଲାଗେ। 

ରଜା ନାଟ ପରିବେଷଣ କାଳରେ ବାଦ୍ୟକାରମାନେ ମଞ୍ଚ ସମ୍ମୁଖରେ ଗୋଟିଏ କଡ଼ରେ ବସି ବାଦ୍ୟଯନ୍ତ୍ର ବଜାନ୍ତି। ହିରଣ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅତି ଉଚ୍ଚ କଣ୍ଠରେ ଗଞ୍ଜାମିଆ ଭାଷାରେ ତା’ର ବାକ୍ୟ ବା ଡାଏଲଗ କହେ। ଉଚ୍ଚାରଣ ସାଧାରଣ ନହୋଇ ଅତି କର୍କଶ ଓ ଧ୍ୱନୀ ଅତି ଉଚ୍ଚ ଓ ସ୍ୱତନ୍ତ୍ର। ଅନ୍ୟ ପକ୍ଷରେ ପ୍ରହ୍ଲାଦର ସ୍ଵରର ଧ୍ୱନୀ ଅତି ଉଚ୍ଚ ହୋଇଥିଲେ ବି କୋମଳ।

ସହଯୋଗ କରୁଥିବା ବାଦ୍ୟଯନ୍ତ୍ରଗୁଡ଼ିକର ଧ୍ୱନୀ ମଧ୍ୟ ଅତି ଉଚ୍ଚ। ସେହି ବାଦ୍ୟଯନ୍ତ୍ରଗୁଡ଼ିକର ବାଦନ ସହ ରାଣୀ ଲୀଳାବତୀ ତଥା ଶବର ଶବରୁଣୀ ଆଦି ଓଡ଼ିଆ ରାଗ ରାଗିଣୀ ଆଧାରିତ ଗୀତ ବୋଲିଥାନ୍ତି। ରାଣୀ ଲୀଳାବତୀଙ୍କ ଦୁଃଖପୂର୍ଣ୍ଣ ଗୀତ ଅତି ମାତ୍ରାରେ ହୃଦୟସ୍ପର୍ଶୀ।

ଉଲ୍ଲେଖନୀୟ କି ପ୍ରହ୍ଲାଦ ନାଟକର ପରିବେଷଣ ଲଗାତାର ଭାବେ ଗୋଟିଏ ଦିନରେ ପ୍ରାୟ ୧୨ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ହୁଏ। ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲେ। ଏହି ଦୃଷ୍ଟିରୁ ବିଚାର କଲେ ଏହାର ପରିବେଷଣ କିଛି ସହଜ କଥା ନୁହେଁ। କାରଣ ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦର୍ଶକଙ୍କ ମନକୁ ଅଭିନୟ ଦ୍ଵାରା ବାନ୍ଧି ରଖିବାକୁ ପଡ଼େ। ବାଦ ରଜା ନାଟ ପରିବେଷଣ କାଳରେ ଏହା ଆହୁରି କଷ୍ଟସାଧ୍ୟ ମଧ୍ୟ ହୋଇଥାଏ। ଗୋଟିଏ ଦିନରେ ଏତେ ଦୀର୍ଘ ଅବଧିର ମୁକ୍ତାକାଶ ପରିବେଷଣ ହୁଏତ ଓଡ଼ିଶାର କିମ୍ବା ଦେଶର ଅନ୍ୟ କେଉଁ ଠାରେ ହେଉ ନଥାଇପାରେ।     

ଏହା ମଧ୍ୟ ଉଲ୍ଲେଖନୀୟ କି ରଜା ନାଟର ସମସ୍ତ ଚରିତ୍ରରେ କେବଳ ପୁରୁଷମାନେ ଅଭିନୟ କରନ୍ତି। ଏହା ହୁଏତ ଆମ ରାଜ୍ୟର ଏକ ମାତ୍ର ଲୋକ ନାଟକ ମାଧ୍ୟମ ଯେଉଁଥିରେ କେବଳ ପୁରୁଷମାନେ ସେମାନଙ୍କ ପ୍ରାଧାନ୍ୟ ବଜାୟ ରଖିଛନ୍ତି। ରଜା ନାଟ ପରିବେଷଣ ବେଳେ ଯେଉଁ ମାତ୍ରାରେ କଷ୍ଟ ସ୍ଵୀକାର କରିବାକୁ ପଡ଼େ ହୁଏତ ନାରୀମାନଙ୍କ ପକ୍ଷରେ ତାହା ସହ୍ୟ କରିବା ସମ୍ଭବ ହେଉନଥିବାରୁ ଏଭଳି ହୋଇଥାଇପାରେ।

ବାସ୍ତବରେ କହିବାକୁ ଗଲେ ସେଦିନ ସନ୍ଧ୍ୟାରେ ଗୋବିନ୍ଦପୁର ଗାଁରେ ବାଦ ରଜା ନାଟ ପରିବେଷଣ ଦେଖିବା ଥିଲା ଏକ ଅନନ୍ୟ ଅନୁଭୂତି ଯାହା ବହୁ ଦୀର୍ଘ କାଳ ପର୍ଯ୍ୟନ୍ତ ଅବିସ୍ମୃତ ରହିବ।          

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Tags: #RajaNata #Ganjam #Play #Entertainment #Prahlad #HiranyaKashyap

LEAVE A REPLY

Please enter your comment!
Please enter your name here