ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାରରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ ପଞ୍ଚକ ବ୍ରତ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହେବ। ପଞ୍ଚକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି କରାଯାଇଛି। ଏନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ପଞ୍ଚକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମରିଚିକୋଟ ଛକରୁ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ। ସେହିପରି ପୁରୀରେ ସୁରକ୍ଷା ପାଇଁ ୫ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି, ୨୬ ଜଣ ଇନ୍ସପେକ୍ଟରଙ୍କ ସହ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ।
ଚଳିତବର୍ଷ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ ହେବ ପଞ୍ଚକ। ଚତୁର୍ଦ୍ଦଶୀରେ ତିଥୀ କ୍ଷୟ ଯୋଗୁଁ ଏଥର ଲକ୍ଷ୍ନୀ ନୃସିଂହ ବେଶ ହେବ ନାହିଁ। ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଚକ ନେଇ ଶ୍ରୀମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।
ପଞ୍ଚକର ପ୍ରଥମ ଦିନ ନଭେମ୍ବର ୧୨ ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ସେହିପରି ୧୩ ତାରିଖରେ ବାଙ୍କଚୂଡ଼ା ବେଶ, ୧୪ ତାରିଖରେ ତ୍ରିବିକ୍ରମ ବେଶ ଓ ୧୫ ତାରିଖ ଶେଷ ଦିନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ।
Tags: #PanchakBrata #KartikMonth #Culture #Srimandir #Puri