ମିନତି ମିଶ୍ର

ଦେବଭୂମି ଉତ୍ତରାଖଣ୍ଡ। ସୁଉଚ୍ଚ ପାହାଡ଼, ନଦୀ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ରାଜ୍ୟ। ଏଠାକୁ ଥରେ ଗଲେ ଫେରିବାକୁ ମନ ହୁଏନି। ତେବେ ପରିତାପର ବିଷୟ ଏହି ରାଜ୍ୟରେ ଗ୍ରାମୀଣ ଲୋକଙ୍କ ଜୀବନଶୈଳୀ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ। ଏମିତିକି ଦୁଇଓଳି ଦୁଇମୁଠା ଖାଦ୍ୟ ସଂଗ୍ରହ କରିବା ଏମାନଙ୍କ ପାଇଁ କାଠିକର ପାଠ ହୋଇପଡ଼େ।

ଅଧିକାଂଶ ଲୋକ ପେଟପାଟଣା ପାଇଁ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଯାଉଥିବାରୁ ଜନଶୂନ୍ୟ ହୋଇପଡ଼େ ଗାଁ ମାଟି। ଏମିତି ଏକ ଗାଁ ହେଉଛି ତେହରି ଗରୱାଲ ଜିଲ୍ଲାର ଉଖିପଟ। ହେଲେ ଏହି ଗାଁର ଭାଗ୍ୟ ଆଜି ବଦଳି ଯାଇଛି। ଗାଁର ଭାଗ୍ୟ ବଦଳାଇ ଦେଇଛନ୍ତି ବିମଳ ନଉଟିଆଲ। ଦୃଢ଼ ଇଚ୍ଛାଶକ୍ତି ଏବଂ କଠୋର ପରିଶ୍ରମ ଯୋଗୁଁ ଖାଲିପଡ଼ିଆକୁ ଆଜି ସବୁଜ ସୁନ୍ଦର କରିବାରେ ସଫଳ ହୋଇଛନ୍ତି ବିମଳ।

ହୋଟେଲ ମ୍ୟାନେଜମେଣ୍ଟ ପାଠ ସରିବା ପରେ ବିମଳଙ୍କ ନିକଟକୁ ଚାକିରି ପାଇଁ ଅନେକ ଅଫର  ଆସିଥିଲା। ବାହାର ରାଜ୍ୟରେ ଚାକିରି ନକରି ଗାଁ ମାଟିରେ କିଛି କରିବା ପାଇଁ ଯୋଜନା କରିଥିଲେ ସେ। ୨୦୨୦ ମସିହାରେ କୋଭିଡ ମହାମାରି ଯୋଗୁଁ ଗାଁକୁ ଫେରି ଆସିଥିଲେ ବିମଳ।

ଗାଁରେ ଥିବା ଏକ ପଡ଼ିଆ ଜମିରେ ସେ ଚାଷ କାମ କରିବାକୁ ଯୋଜନା କରିଥିଲେ। ସେଓ, କିୱି, ନାସ୍ପାତି ପରି ବିଭିନ୍ନ ଫଳ ସହ ସେ ବିଭିନ୍ନ ଋତୁ ଅନୁଯାୟୀ ଜୈବିକ ପଦ୍ଧତିରେ ପରିବା ଚାଷ କଲେ। ନୂତନ ଜ୍ଞାନକୌଶଳର ବ୍ୟବହାର କରିବା ଦ୍ୱାରା ଫସଲ ମଧ୍ୟ ଭଲ ହେଲା। ଫଳ ଏବଂ ପରିବା ବିକ୍ରି କରି ବେଶ ଭଲ ଲାଭ ପାଇଲେ ବିମଳ। ଫଳ ଓ ପରିବା ଚାଷ ବିମଳ ଏବଂ ତାଙ୍କ ପରିବାରର ଭାଗ୍ୟ ବଦଳାଇ ଦେଲା।

ବିମଳଙ୍କର ଏହି ସଫଳତା ଅନ୍ୟ ଚାଷୀଙ୍କୁ ପ୍ରେରଣା ଯୋଗାଇ ଥିଲା। ଚାଷରେ ଟେକ୍ନଲୋଜିର ବ୍ୟବହାର ପାଇଁ ସେମାନେ ବି ଆଗ୍ରହ ପ୍ରକାଶ କଲେ। ନିଜର ଏହି ସଫଳତା ପାଇଁ ବିମଳ ତିହରି ଗରବାଲର ଜିଲ୍ଲା ଅଧିକାରୀଙ୍କୁ ଶ୍ରେୟ ଦିଅନ୍ତି। ଜିଲ୍ଲା ଅଧିକାରୀଙ୍କ ସହଯୋଗରେ ସେ ନିଜର ଯୋଜନାକୁ ଆଗକୁ ବଢ଼ାଇ ପାରିଥିବା ବିମଳ କୁହନ୍ତି।

ଚାଷ କରିବା ପାଇଁ ମା’ଙ୍କଠାରୁ ପ୍ରେରଣା ପାଇଥିଲେ ବିମଲ। ପୁରୁଣା ଚାଷ ଜମିକୁ ପୁଣି ଥରେ ଜୀବିତ କରିବାର କଥା ଉଠିବା ପରେ ତାଙ୍କ ମା’ଙ୍କ ମୁହଁରେ ସବୁଠାରୁ ବେଶି ଖୁସି ଦେଖିବାକୁ ପାଇଥିଲେ ବିମଳ। ବିମଳ କୁହନ୍ତି ଚାଷବାସରେ ତାଙ୍କୁ ପରିବାର ଲୋକ ସମ୍ପୂର୍ଣ୍ଣ ସହଯୋଗ କରନ୍ତି। କିୱି ଚାରା ରୋପଣଠାରୁ ଅମଳ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ତାଙ୍କ ମା’ ନେଇଛନ୍ତି।

ବିମଳଙ୍କ ସଫଳତାକୁ ନେଇ ଚର୍ଚ୍ଚା ହେବା ପରେ ଗାଁ ଛାଡ଼ି ବାହାରକୁ ଦାଦନ ଖଟିବାକୁ ଯାଇଥିବା ଲୋକ ଧୀରେ ଧୀରେ ଗାଁକୁ ଫେରିଥିଲେ। ଗାଁକୁ ଫେରିବା ପରେ ସେମାନେ ନିଜ ପଡ଼ିଆ ଜମିରେ ଚାଷ କାମ କରି ବଞ୍ଚିବା ଲାଗି ସାହସ କରିପାରିଥିଲେ। ଫଳରେ ବୁଥକୋଟ, ବାଙ୍ଗସିଲ, ମାଲଧୋର, ଭୁରସାରୀ ପରି ଅନେକ ଗାଁର ଲୋକେ ନିଜ ମାଟିକୁ ଫେରି ଜମିରେ ଚାଷ କାର୍ଯ୍ୟ ଆରମ୍ଭ କଲେ।

ଯେଉଁ ଜମି ଦିନେ ପଡ଼ିଆ ପଡ଼ି କାମରେ ଲାଗୁନଥିଲା ଆଜି ସେହି ଜମି ସବୁଜିମାରେ ହସୁଛି। ଏହା ସେମାନଙ୍କ ଲାଗି ଜୀବିକା ନିର୍ବାହ କରିବାର ମାଧ୍ୟମ ପାଲଟିଛି। ବିମଳଙ୍କର ଏହି ଉଦ୍ୟମ ପାଇଁ ତାଙ୍କୁ ୨୦୨୩ ମସିହାରେ ପ୍ରତିଭା ସମ୍ମାନ ଏବଂ ୨୦୨୪ରେ ଉତ୍ତରାଖଣ୍ଡ ସ୍ତମ୍ଭ ସମ୍ମାନ ପ୍ରଦାନ କରାଯାଇଥିଲା।

ବିମଳ କୁହନ୍ତି, ଗାଁ ଛାଡ଼ିଥିବା ଅନେକ ପରିବାର ଏବେ ଗାଁକୁ ଫେରିଆସି ଚାଷବାସ କରୁଛନ୍ତି। ଆମ ଅଞ୍ଚଳର ଅଧିକାଂଶ ଗାଁରେ କୃଷି ସମ୍ବନ୍ଧିତ କାର୍ଯ୍ୟକ୍ରମ ବୃଦ୍ଧି ପାଉଛି। ଫଳ ଏବଂ ପନିପରିବା ଚାଷ ଉପରେ ଏବେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି। ଆତ୍ମନିର୍ଭରଶୀଳତା ବଢ଼ିବା ସହ ଗାଁର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଛି ବୋଲି ସେ କୁହନ୍ତି।

Tags: #Inspiration #SuccessStory #Uttarakhand #VimalNautiyal #India

LEAVE A REPLY

Please enter your comment!
Please enter your name here