ମିନତି ମିଶ୍ର
ମଣିପୁରରେ ୨୦୨୩ ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ଧରୁନି। ଗତକିଛି ଦିନ ଧରି ରାଜ୍ୟରେ ସ୍ଥିତି ଶାନ୍ତ ଥିଲାବେଳେ ଏବେ ପୁଣି କୁହୁଳିଛି ହିଂସାର ନିଆଁ। ସୋମବାର ସୁରକ୍ଷାକର୍ମୀଙ୍କ ଗୁଳିରେ କୁକି ସଂପ୍ରଦାୟର ୧୧ ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିବା ପରେ ସାରା ରାଜ୍ୟ ଏବେ ଅଶାନ୍ତ।
ସୋମବାର କିଛି କୁକି ଉଗ୍ରବାଦୀ ଜିରିବାମ ଜିଲ୍ଲାର ବୋରୋବେକରା ପୋଲିସ ଷ୍ଟେସନ ଏବଂ ପାଖାପାଖି ଇଲାକାରେ ଥିବା ସିଆରପିଏ କ୍ୟାମ୍ପ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ସେତିକି ନୁହେଁ, ସେମାନେ ବୋରୋବେକରା ପୋଲିସ ଷ୍ଟେସନରୁ ୧୦୦ ମିଟର ଦୂର ଜକୁରାଡୋର କରୋଙ୍ଗ ବଜାର ଏବଂ ଏହାର ଆଖପାଖରେ ଥିବା ଦୋକାନ, ଘରେ ନିଆଁ ଲଗାଇ ଦେଇଥିଲେ।
ଏହି ସମୟରେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୧୧ ଜଣ ଉଗ୍ରବାଦୀଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ସିଆରପିଏଫର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଘଟଣାର ପ୍ରତିବାଦରେ କୁକି-ଜୋ କାଉନସିଲ ମଙ୍ଗଳବାର ମଣିପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।
ମଣିପୁର ପୋଲିସ ପକ୍ଷରୁ କୁହାଯାଇଛି, “୨୦୨୪ ନଭେମ୍ବର ୧୧ ତାରିଖରେ ଜିରିବାମ ଜିଲ୍ଲାର ଜକୁରାଡୋର ଏବଂ ବୋରୋବେକରା ପୋଲିସ ଷ୍ଟେସନ ନିକଟରେ ସିଆରପିଏଫ ପୋଷ୍ଟ ଉପରେ ଅପରାହ୍ଣ ୩ଟା ସମୟରେ ସଶସ୍ତ୍ର ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୧୧ ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି। ଉଗ୍ରବାଦୀଙ୍କ ସହ ଗୁଳି ବିନିମୟବେଳେ ଜଣେ ସିଆରପିଏଫ କନଷ୍ଟେବଳଙ୍କ ଶରୀରରେ ଗୁଳି ବାଜିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ଆସାମର ସିଲଚର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।”
ସୋମବାର ସୁରକ୍ଷାର୍ମୀ-ଉଗ୍ରବାଦୀଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଗୁଳି ବିନିମୟ ଚାଲିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗୁଳିଗୁଳା ବନ୍ଦ ହେବା ପରେ ଏହି ଅଞ୍ଚଳର ତଲାସି ନେଇଥିଲେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ବିପୁଳମାତ୍ରାରେ ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ମିଳିଥିଲା। ଏଥିସହିତ ୧୧ ଜଣଙ୍କ ଉଗ୍ରବାଦୀଙ୍କ ମୃତଦେହ ଜବତ ହୋଇଥିଲା।
ଅନ୍ୟପଟେ କୁକି-ଜୋ କାଉନସିଲ ପକ୍ଷରୁ ଏକ ବୟାନରେ କୁହାଯାଇଛି, “ଜିରିବାମରେ ହୋଇଥିବା ଦୁଃଖଦ ଘଟଣାରେ ଆମେ ୧୧ ଜଣ କୁକି-ଜୋ ଗ୍ରାମସେବକଙ୍କୁ ହରାଇଛୁ। ଏମାନଙ୍କୁ ଅତି ନିର୍ଦ୍ଦୟ ଭାବେ ଗୁଳି କରାଯାଇଥିଲା। ମୃତକଙ୍କୁ ସମ୍ମାନ ତଥା ସାମୁହିକ ଶୋକ ପ୍ରକାଶ ପାଇଁ ମାନଳବର ୧୨ ନଭେମ୍ବର ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ମଣିପୁରରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। କୁକି-ଜୋ ଶାନ୍ତି, ନ୍ୟାୟ ଏବଂ ସରକ୍ଷା ପାଇଁ ଏକଜୁଟ ହୋଇଛନ୍ତି। ଆମେ ଏହି ହିଂସାକୁ କଡ଼ା ଭାଷାରେ ନିନ୍ଦା କରୁଛୁ। ଦୋଷୀକୁ ତୁରନ୍ତ ଧରିବା ସହ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଦାବି କରୁଛୁ।”
ପ୍ରଶାସନିକ ସୂତ୍ରରୁ କୁହାଯାଇଛି ଯେ , “ଯେଉଁ ବେରାବେକରା ପୋଲିସ ଷ୍ଟେସନ ଉପରକୁ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ ତାହା ନିକଟରେ ଏକ ଥଇଥାନ ଶିବିର ଥିଲା। ଏହି ଘଟଣା ପରେ ଶିବିରରେ ରହୁଥିବା ୫ ଜଣ ମୈତେଇ ସମ୍ପ୍ରଦାୟର ଲୋକ ନିଖୋଜ ଅଛନ୍ତି। ତେବେ ଏହି ୫ ଜଣଙ୍କୁ ଉଗ୍ରବାଦୀମାନେ ଅପହରଣ କରି ନେଇଛନ୍ତି ନା ଆକ୍ରମଣ ଭୟରେ ଏମାନେ କେଉଁଠି ଲୁଚି ଯାଇଛନ୍ତି ତାହା ଜଣାପଡିନି। ସେମାନେ କେଉଁଠି ଅଛନ୍ତି ପୋଲିସ ଯାଞ୍ଚ କରୁଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏ ଏଠାରେ କର୍ଫ୍ୟୁ ଲାଗୁ କରାଯାଇଛି।”
ଗତ ସପ୍ତାହରେ ଏହି ଅଞ୍ଚଳର ଜେରୋନ ହମାର ଗାଁରେ ସଶସ୍ତ୍ର ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ୩୧ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ କହିବାନୁସାରେ ଆକ୍ରମଣରେ ୬ ଜଣଙ୍କ ଘର ପୋଡ଼ି ଜଳି ପାଉଁଶ ହୋଇ ଯାଇଥିଲା।
ମଣିପୁରର ଇମ୍ଫାଲ ଘାଟିରେ ରହୁଥିବା ମୈତେଇ ସଂପ୍ରଦାୟ ଏବଂ ପାହାଡି ଇଲାକାରେ ରହୁଥିବା କୁକି-ଜୋ ସଂପ୍ରଦାୟ ମଧ୍ୟରେ ଗତ ବର୍ଷରୁ ଜାରି ରହିଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୨୦୦ ଜଣଙ୍କର ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକେ ବାସହରା ହେଲେଣି। ଜିରିବାମ ଏହି ହିଂସାଠାରୁ ଟିକିଏ ଦୂରରେ ଥିବାବେଳେ ଗତ ଜୁନରେ ଏଠାରେ ଜଣେ ଚାଷୀଙ୍କ କ୍ଷତବିକ୍ଷତ ମୃତଦେହ ଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଆଉ ଏହି ଘଟଣା ପରେ ହିଂସା ଏଠାରେ ଉଗ୍ର ରୂପ ନେଇଥିଲା। ଭୟରେ ହଜାର ହଜାର ଲୋକ ଘର ଛାଡି ରିଲିଫ କ୍ୟାମ୍ପରେ ଶରଣ ନେଇଛନ୍ତି।
Tags: #ManipurViolence #KukiMilitants #Encounter #CRPF #JiribamDistrict #Manipur