ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନକୁ ଆଉ ଦୁଇ ଦିନ ବାକି ଥିବାବେଳେ ଛତିଶଗଡ଼ରେ ବଡ଼ ଧରଣର ମାଓ ଅପରେସନ୍ ହୋଇଛି। ମଙ୍ଗଳବାର କାଙ୍କେର ଜିଲ୍ଲାରେ ହୋଇଥିବା ଏହି ଏନକାଉଣ୍ଟରରେ ଏବେ ସୁଦ୍ଧା ୨୯ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ମାଓବାଦୀଙ୍କ ଟପ୍ କମାଣ୍ଡର ଶଙ୍କର ରାଓଙ୍କ ମୃତ୍ୟୁ ହୋଇଛି। ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ଏହି ଏନକାଉଣ୍ଟରରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୧୮ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଏବେ ଏହି ସଂଖ୍ୟା ୨୯ରେ ପହଞ୍ଚିଥିବା କାଙ୍କେର ଜିଲ୍ଲା ଏସପି କଲ୍ୟାଣ ଏଲସେଲା ସୂଚନା ଦେଇଛନ୍ତି। ମୃତ ମାଓବାଦୀମାନେ ବସ୍ତର ଡିଭିଜନରେ ସାମିଲ ଥିଲେ ବୋଲି ସେ କହିଛନ୍ତି।   

ତେବେ ମାଓ କମାଣ୍ଡର ଶଙ୍କର ରାଓ ଅନେକ ବର୍ଷରୁ ଅନେକ ଅପରାଧିକ ଗତିବିଧିରେ ସାମିଲ ରହିଥିଲା। ତାଙ୍କୁ ଧରାଇବା ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା ହୋଇଥିଲା। ଶଙ୍କର ରାଓଙ୍କ ବ୍ୟତୀତ ମୃତକଙ୍କ ମଧ୍ୟରେ ଅନ୍ୟ କିଛି ଟପ୍ କ୍ୟାଡର ମାଓବାଦୀ ସାମିଲ ଥିବା ପୋଲିସ ପକ୍ଷରୁ କୁହାଯାଇଛି।   

ଅନ୍ୟପଟେ ଏହି ଏନକାଉଣ୍ଟର ପରେ ଏବେ ଓଡ଼ିଶା-ଛତିଶଗଡ଼ ବର୍ଡର ସିଲ୍ କରିଦିଆଯାଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯିବାଆସିବା କରୁଥିବା ଗାଡ଼ିଗୁଡ଼ିକର କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି।   

କାଙ୍କେର ଜିଲ୍ଲା ଛୋଟେବେଥିଆ ଥାନା ଅନ୍ତର୍ଗତ ଜଙ୍ଗଲରେ ଜଙ୍ଗଲରେ ୫୦ରୁ ଅଧିକ ମାଓବାଦୀ କ୍ୟାମ୍ପ କରିଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଛତିଶଗଡ଼ ପୋଲିସର ଡିଆରଜି ବାହିନୀ, ବିଏସଫ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।

କୁମ୍ବିଂ ଅପରେସନବେଳେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ। ପୋଲିସଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଏହି ଗୁଳି ବିନମୟରେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଥିଲା। ଏହାସହ ମାଓ କ୍ୟାମ୍ପରୁ ବିପୁଳ ପରିମାଣରେ ବନ୍ଧୁକ, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ଏବେ ସମଗ୍ର ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି।  

ଛତିଶଗଡ଼ରେ ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ। ଏହାପୂର୍ବରୁ ରାଜ୍ୟରେ ପୋଲିସ ଓ ସୁରକ୍ଷା ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ମାଓ ଦମନ ଅଭିଯାନକୁ ବଢ଼ାଇ ଦିଆଯାଇଛି।  

Tags: #Encounter #Maoists #SecurityForces #Kanker #Chhattisgarh

Comment