ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାର ୧୪ ବର୍ଷ ପରେ ଶୁଣାଣି କରିଛନ୍ତି ରାୟଗଡ଼ା ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତ। ଏହି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଏନ ଭାସ୍କରଙ୍କ ସମେତ ମୋଟ ୬ ଜଣଙ୍କ ନାଁରେ ଅଦାଲତ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଛନ୍ତି।
ଅନ୍ୟମାନେ ହେଲେ ୟେଲା ଭେଙ୍କେଟେଶ୍ଵର ରାଓ (କୋଣ୍ଡାବାବୁ), କେ. କ୍ରୀଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ଏନ ଆଦି ନାରାୟଣା ଓ ପି ଦିଲୀପ କୁମାର। ସାକ୍ଷ୍ୟ ପ୍ରମାଣ ଏବଂ ତଦନ୍ତ ରିପୋର୍ଟକୁ ଆଧାର କରି ଏସଡିଜେଏମ କୋର୍ଟ ଏହି ଶୁଣାଣି କରିଛନ୍ତି।
କେମିତି ଘଟିଥିଲା ହତ୍ୟା ଘଟଣା?
୨୦୧୩ ମସିହା ଡିସେମ୍ବର ୧୫ ତାରିଖରେ ରାୟଗଡ଼ା ଜିଲ୍ଲାର ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ନିଖୋଜ ହୋଇଯାଇଥିଲେ। ପରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା। ଭାଗିରଥୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ରାଜ୍ୟ ବାହାରେ ଫିଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।
ଏହି ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ସେହି ସମୟରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସ୍ଥିତି ଅଣାୟତ୍ତ ହେବା ପରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।
Tags: #BhagirathiMandangiMurderCase #Rayagada #RayagadaSDJMCourt #Crime #NBW