ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକାଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ବିଷମକଟକ ବିଧାନସଭା ଆସନରୁ ୭ ଥର ବିଧାୟକ ନିର୍ବାଚିତ ହୋଇଥିଲେ।

ଡମ୍ବରୁଧର ଉଲାକା କିଛି ଦିନ ଧରି ଅସୁସ୍ଥ ଥିଲେ। ପରିବାର ଲୋକେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ମଙ୍ଗଳବାର ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।  

ଡମ୍ବରୁଧର ଉଲାକାଙ୍କ ବିୟୋଗରେ ରାଜନୈତିକ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବୁଧବାର ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନକୁ ନିଆଯିବ। ଏହାପରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଡମ୍ବରୁଧର ଉଲାକା ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଉଲାକାଙ୍କ ସାନ ଭାଇ ଏବଂ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଦାଦା। ସେ ୧୯୭୪ ମସିହାରେ ପ୍ରଥମଥର କଂଗ୍ରେସ ଟିକେଟରେ ରାୟଗଡ଼ା ଜିଲ୍ଲା ବିଷମକଟକ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଏଠାରୁ ୧୯୭୭, ୧୯୮୦, ୧୯୮୫, ୧୯୯୫, ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୮୦ ଦଶକରେ ଓଡ଼ିଶାରେ କଂଗ୍ରେସ ସରକାର ସମୟରେ ସେ ରାଜ୍ୟ ଗୃହ ବିଭାଗ, ଜଙ୍ଗଲ ବିଭାଗ, ଅବକାରୀ ବିଭାଗ, ନଗର ଉନ୍ନୟନ ବିଭାଗ ଏବଂ ଜଳ ଓ ପରିମଳ ବିଭାଗର ମନ୍ତ୍ରୀ ହୋଇଥିଲେ।

Tags: #DamburudharaUlaka #FormerMinister #Politician #Politics #BissamCuttack #Rayagada #Odisha

LEAVE A REPLY

Please enter your comment!
Please enter your name here