ମିନତି ମିଶ୍ର

ଜନସଂଖ୍ୟା ବୃଦ୍ଧି ଏବେ ଅନେକ ଦେଶ ପାଇଁ ବଡ଼ ସମସ୍ୟା ହୋଇଥିବାବେଳେ ବିଶ୍ଵରେ ଏପରି କିଛି ଦେଶ ରହିଛି ଯେଉଁଠି ଜନ୍ମହାର ହ୍ରାସ ଚିନ୍ତାର ବିଷୟ ପାଲଟିଛି। ବିଶ୍ଵର ସବୁଠାରୁ ବଡ଼ ଦେଶ ରୁଷରେ ଜନ୍ମହାର ହ୍ରାସ ହେଉଥିବା ଦେଖିବାକୁ ମିଳିଛି। ତେଣୁ ସନ୍ତାନ ଜନ୍ମ ପାଇଁ ଦମ୍ପତ୍ତିଙ୍କୁ ରୁଷ ସରକାର ଅର୍ଥ ସହ ଅନ୍ୟାନ୍ୟ ପ୍ରୋତ୍ସାହନ ଦେବାକୁ ବିଚାର କରୁଛନ୍ତି।

ଏବେ ରୁଷର ଯୁବଗୋଷ୍ଠୀ ସନ୍ତାନ ଜନ୍ମ କରିବାରୁ ମୁହଁ ଫେରାଉଛନ୍ତି। ଏପରି ସ୍ଥିତି ରୁଷ ସରକାରଙ୍କର ଚିନ୍ତା ବଢ଼ାଇ ଦେଇଛି। ଜନ୍ମହାର ବୃଦ୍ଧି ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି। ଏପରକି ସନ୍ତାନ ଜନ୍ମ କଲେ ଦମ୍ପତ୍ତିଙ୍କୁ ମୋଟା ଅଙ୍କର ଅର୍ଥ ରାଶି ବି ଦିଆଯିବାକୁ ଯୋଜନା କରାଯାଉଛି।

ଗତ ୨୫ ବର୍ଷ ମଧ୍ୟରେ ରୁଷର ଜନ୍ମ ହାର ସର୍ବନିମ୍ନ ସ୍ତରକୁ ଖସି ଯାଇଛି। ଦେଶରେ ଜନ୍ମହାର ୬ ପ୍ରତିଶତ ହ୍ରାସ ପାଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଦେଶରେ ମାସିକ ଜନ୍ମ ସଂଖ୍ୟା ଏକ ଲକ୍ଷ ତଳକୁ ଖସି ଆସିଛି। ଭବିଷ୍ୟତ ପାଇଁ ଏହା ଯେ ବିନାଶକାରୀ ହେବାର ସମ୍ଭାବନା ଥିବା ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।   

ଏପରି ସ୍ଥିତିକୁ ଦେଖିବା ପରେ ରୁଷ ସରକାର ସନ୍ତାନ ପ୍ରସବ ଉପରେ ଗୁରୁତ୍ୱ ଦେବାକୁ ଯାଇ ଅନେକ ପ୍ରକାର ନିୟମ କାର୍ଯ୍ୟକାରୀ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରୁଷ ସରକାର ନବ ବିବାହିତ ଯୋଡ଼ିଙ୍କ ବିବାହ ଖର୍ଚ୍ଚ ବହନ କରିବା ନେଇ ବିଚାର କରୁଛନ୍ତି। ସନ୍ତାନ ଜନ୍ମ କରିବା ପରେ ୧୮ରୁ ୨୩ ବର୍ଷୀୟ ମହିଳାଙ୍କୁ ପ୍ରୋତ୍ସାହନ ରାଶି ୧.୧୩ ଲକ୍ଷ ରୁବେଲ୍ ବା ୯୮ ହଜାର ଟଙ୍କା ମିଳିବ।

କିଛି ଦିନ ପୂର୍ବରୁ ରୁଷ ସଂସଦ ଏକ ନୂଆ ଆଇନ ଉପରେ ମଧ୍ୟ ଆଲୋଚନା କରୁଥିଲେ। ଏହି ଆଇନ ଅନୁଯାୟୀ ଯଦି କୌଣସି ଦମ୍ପତ୍ତିଙ୍କ ସନ୍ତାନ ନାହିଁ କିମ୍ବା ସେମାନେ ସନ୍ତାନ ଜନ୍ମ ସପକ୍ଷରେ ନାହାନ୍ତି କିମ୍ବା ସନ୍ତାନ ରହିତ ଜୀବନଶୈଳୀରେ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କ ଉପରେ ୧ ହଜାର ଡଲାରର ଜରିମାନା ଲାଗୁ କରାଯିବ।  

ଜନ୍ମ ହାର ହ୍ରାସ ଏକ ଦେଶ ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ। ରୁଷରେ କ୍ରମାଗତ ଭାବେ ଜନ୍ମ ହାର ହ୍ରାସ ପାଉଥିବାବେଳେ ଦୀର୍ଘଦିନ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏଠାକାର ଲୋକଙ୍କ ମାନସିକତାରେ ମଧ୍ୟ ପ୍ରଭାବ ପକାଉଛି। ଯୁଦ୍ଧ ଭୟ ଭିତରେ ସନ୍ତାନ ଜନ୍ମ ପ୍ରତି ଏକ ପ୍ରକାର ବିମୁଖତା ଦେଖା ଦେଇଛି। ତେବେ ଏ ସବୁ ଯୋଜନା କାର୍ଯ୍ୟକାରୀ ହେଲେ ଜନ୍ମହାର ବୃଦ୍ଧି ପାଇବ ବୋଲି ରୁଷର ବିଶେଷଜ୍ଞମାନଙ୍କର ବିଶ୍ୱାସ ରହିଛି।

Tags: #LowBirthRate #Population #FertilityRate #Russia

LEAVE A REPLY

Please enter your comment!
Please enter your name here