ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ନଭେମ୍ବର ୨୪ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ତୃତୀୟ କିସ୍ତିରେ ୨୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ।

ଏହି ଯୋଜନାରେ ଆବେଦନ କରିଥିବା ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆବେଦନ ଖାରଜ ହୋଇଛି। ଖାରଜ ହୋଇଥିବା ପ୍ରାୟ ୨ ଲକ୍ଷ ୬୭ ହଜାର ଆବେଦନ ତାଲିକା ଏବେ ବିଭିନ୍ନ ବ୍ଲକକୁ ପଠାଯାଇଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ, ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ମଧ୍ୟରେ ସମନ୍ଵୟ ନଥିବାରୁ ସେମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କା ପଠାଇବାରେ ଅସୁବିଧା ହେଉଛି। ସୁଭଦ୍ରା ଯୋଜନାରୁ ରାଜ୍ୟର ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ଜଣେ ହିତାଧିକାରୀଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି ଏବଂ ଏଥିରେ ଗୋଟିଏ ମୋବାଇଲ ନମ୍ବର ଯୋଡ଼ାଯାଇଛି। ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ସଂଯୋଗ କରିବାକୁ ହିତାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି ଯଦି ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବାରୁ କୌଣସି ହିତାଧିକାରୀ ବଞ୍ଚିତ ହୁଅନ୍ତି, ଯାଞ୍ଚ କରାଯାଇ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ତଥାପି ଯଦି କେହି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିବେ, ତେବେ ନଭେମ୍ବର ୨୪ ତାରିଖ ପରେ ଗାଁ ଗାଁକୁ ଟିମ ଯିବ। ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଗତ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏହାପରେ ଗତ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।

ଆସନ୍ତା ୨୦୨୫ ମସିହା ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।

Tags: #SubhadraYojana #PravatiParida #Odisha

LEAVE A REPLY

Please enter your comment!
Please enter your name here