ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର କ୍ୟାମ୍ପସରେ ପାରମ୍ପରିକ କିଷମର ବିହନ ସଂରକ୍ଷଣ ଓ ଗବେଷଣା କ୍ଷେତ ଉଦଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ।
୧୦୪ ପ୍ରକାରର ଦେଶୀ ଧାନ, ୮୭ ପ୍ରକାର ଫିଙ୍ଗର ମିଲେଟ, ୩୦ ପ୍ରକାର ସ୍ଥାନୀୟ ନାଇଜର, ୧୫ ପ୍ରକାର କ୍ଷୁଦ୍ର ବାଜରା, ୫ ପ୍ରକାର ଫକ୍ସଟେଲ ମିଲେଟ, ୧୫ ପ୍ରକାର ମକା ଏବଂ ୮ ପ୍ରଜାତିର ଜଙ୍ଗଲୀ କନ୍ଦା ସଂରକ୍ଷଣ ଓ ଗବେଷଣା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।
ପାରମ୍ପରିକ ଚାଷ ପ୍ରଣାଳୀ ଆମ ସାଂସ୍କୃତିକ ଐତିହ୍ୟ ସହିତ ଜଡ଼ିତ। କେବଳ ଖାଦ୍ୟ ନିରାପତ୍ତା ନୁହେଁ, ସ୍ୱାସ୍ଥ୍ୟ ଓ ନିରନ୍ତରତାକୁ ପ୍ରୋତ୍ସାହିତ କରିବା ପାଇଁ ହଜିବାକୁ ବସିଥିବା ବିହନଗୁଡ଼ିକର ସଂରକ୍ଷଣ ଜରୁରୀ ବୋଲି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଥିଲେ।
ଏହି ଅବସରରେ ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପଳିତା ଯୋଗ ଦେଇ ବୈଜ୍ଞାନିକ ଗବେଷଣା ଏବଂ ବ୍ୟବହାରିକ ପ୍ରୟୋଗକୁ ‘ଲ୍ୟାବ୍ ଟୁ ଲ୍ୟାଣ୍ଡ’ ପଦ୍ଧତି ମାଧ୍ୟମରେ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ।
“ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏହି ପଦକ୍ଷେପ ପାରମ୍ପରିକ ଫସଲ ବିବିଧତାକୁ ସୁରକ୍ଷିତ ରଖିବ। ଏହା ସହ ପାରମ୍ପରିକ କୃଷି କ୍ଷେତ୍ରରେ ଗବେଷଣା ଓ ବିକାଶକୁ ସମୃଦ୍ଧ କରିବ। ପରିବେଶ ରକ୍ଷଣାବେକ୍ଷଣ ଓ ସାଂସ୍କୃତିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ଉତ୍ସର୍ଗୀକୃତ ପ୍ରୟାସ”, କହିଛନ୍ତି ଲୋକସମ୍ପର୍କ ଅଧିକାରୀ ଡକ୍ଟର ଫଗୁନାଥ ଭୋଇ।
ବିଶ୍ୱବିଦ୍ୟାଳୟର ଉପଦେଷ୍ଟା-ପ୍ରଶାସନ ଓ ଶିକ୍ଷା ପ୍ରଫେସର ବିଭାଷ ଚନ୍ଦ୍ର ଝା, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପଳିତା, ସ୍ୱର୍ଣ୍ଣିମ ଗୁଜୁରାଟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଯତୀନ ସୋନି, କ୍ରୀଡ଼ା ଭାରତୀର ସର୍ବଭାରତୀୟ ଯୁଗ୍ମ ସଂଗଠନ ସମ୍ପାଦକ ମଧୁମୟ ନାଥ ଓ ଏହି ପ୍ରକଳ୍ପର ସଂରକ୍ଷଣ ପାଇଁ ପଦକ୍ଷେପ ନେଉଥିବା ତଥା ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ଡକ୍ଟର ଦେବବ୍ରତ ପଣ୍ଡା ପ୍ରମୁଖ ଉଦାଘଟନୀ କାର୍ଯ୍ୟକକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଡକ୍ଟର ଦେବବ୍ରତ ପଣ୍ଡା ଓ ଡକ୍ଟର କାକୋଲି ବାନାର୍ଜୀ ସଂଯୋଜନା କରିଥିଲେ।
Tags: #CentralUniversityofOdishaKoraput #InaugurationCeremony #IndigenousCropGermplasmPlot #Odisha