ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମିଡିଆ ସାମ୍ରାଜ୍ୟର ବାଦଶାହ ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।
ରାମୋଜୀ ରାଓ, କେବଳ ଜଣେ ବ୍ୟକ୍ତି ନଥିଲେ, ଥିଲେ ଏକ ଅନୁଷ୍ଠାନ। ଗଣମାଧ୍ୟମ କ୍ଷେତ୍ରରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନର ସେ ଥିଲେ ମୁଖ୍ୟ ସୂତ୍ରଧର। କେବଳ ସାମ୍ବାଦିକତା ନୁହେଁ, ସାହିତ୍ୟ, ସମାଜ, ସିନେମା ଜଗତ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ।
ମିଡିଆ ସାମ୍ରାଜ୍ୟର ବାଦଶାହ ରାମୋଜୀ ରାଓ ୧୯୩୬ ନଭେମ୍ବର ୧୬ ତାରିଖରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ପେଡ଼ାପାରୁପୁଡ଼ିଠାରେ ଜନ୍ମ ଗ୍ରହଣ କରିଥିଲେ। ଦୁଇ ଭଉଣୀରେ ଗୋଟିଏ ଭାଇ ଥିଲେ ରାମୋଜୀ।
୧୯୬୧ ମସିହାରେ ବିବାହ ପରେ ସେ ଦିଲ୍ଲୀ ଚାଲିଯାଇଥିଲେ। ଦିଲ୍ଲୀରେ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ରାମୋଜୀ ରାଓ। ମାତ୍ର କିଛି ଦିନ ପରେ ସେ ଦିଲ୍ଲୀରୁ ଫେରିଆସିଥିଲେ। ଏହା ପରେ ସେ ବ୍ୟାବସାୟିକ ଦୁନିଆରେ ପାଦ ଦେଇଥିଲେ। ୧୯୬୨ ମସିହାରେ ରାମୋଜୀ ରାଓ ଆରମ୍ଭ କରିଥିଲେ ‘ମାର୍ଗଦର୍ଶୀ’ ଚିଟଫଣ୍ଡ। ସେଇଠୁ ହିଁ ପଡ଼ିଥିଲା ତାଙ୍କର ବ୍ୟାବସାୟିକ ସଫଳତାର ମୁଳଦୂଆ। ଏହାପରେ ରାମୋଜୀ ଫିଲ୍ମ ସିଟି, ପ୍ରିୟା ଫୁଡ୍, ଇନାଡୁ ଭଳି ବ୍ରାଣ୍ଡ ପ୍ରତିଷ୍ଠା କରି ବନିଯାଇଥିଲେ ବିଜନେସ ଟାଇକୁନ୍ ରାମୋଜୀ ରାଓ।
ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଭାରତରେ ସୀମିତ ଥିବା ରାମୋଜୀ ରାଓଙ୍କୁ ୯୦ ଦଶକରେ ସାରା ଭାରତ ଜାଣିଲା। ୧୯୯୫ ମସିହାରେ ରାମୋଜୀ ରାଓ ତେଲୁଗୁ ଭାଷାରେ ଆରମ୍ଭ କଲେ ଘରୋଇ ସାଟେଲାଇଟ୍ ଟେଲିଭିଜନ ଚ୍ୟାନେଲ ଈଟିଭି। ଏହିଠାରୁ ଆରମ୍ଭ ହୋଇଥିଲା ଘରୋଇ ଟେଲିଭିଜନ ସାମ୍ବାଦିକତାର ଜୟଯାତ୍ରା। ପରବର୍ତ୍ତୀ ସମୟରେ ମରାଠୀ, କନ୍ନଡ଼, ବାଂଲା ଓ ଉର୍ଦ୍ଦୁ ଭାଷାରେ ସାଟେଲାଇଟ୍ ଟେଲିଭିଜନ ଚ୍ୟାନେଲ ଆରମ୍ଭ ହୋଇଥିଲେ।
୨୦୦୨ ମସିହାରେ ଏକକାଳୀନ ୬ଟି ଚ୍ୟାନେଲ, ଈଟିଭି ଓଡ଼ିଆ, ଈଟିଭି ଗୁଜରାଟୀ, ଈଟିଭି ରାଜସ୍ଥାନ, ଈଟିଭି ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ, ଈଟିଭି ବିହାର ଓ ଝାଡ଼ଖଣ୍ଡ ଏବଂ ଈଟିଭି ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଶୁଭାରମ୍ଭ କରି ସାରା ଭାରତରେ ଚହଳ ପକାଇଥିଲେ ରାମୋଜୀ ରାଓ। ଏହାପରେ ତେଲୁଗୁ ଭାଷାରେ ଈଟିଭି ଗୋଟିଏ ପରେ ଗୋଟିଏ ନ୍ୟୁଜ୍ ଚ୍ୟାନେଲ ଖୋଲି ଚାଲିଥିଲା। ୨୦୦୦ରୁ ୨୦୦୩ ମସିହା ଭିତରେ ୧୧ଟି ଆଞ୍ଚଳିକ ଭାଷାରେ ଚ୍ୟାନେଲ ସହ ପେସାଦାର ସାମ୍ବାଦିକତା କ୍ଷେତ୍ରରେ ନୂଆ ବିପ୍ଳକ ସୃଷ୍ଟି ହୋଇଥିଲା।
କେବଳ ସାମ୍ବାଦିକତା ନୁହେଁ କଳା, ସଂସ୍କୃତି ଓ ମନୋରଂଜନ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଥିଲେ ରାମୋଜୀ ରାଓ। ମେଗା ଧାରାବାହିକ ସହ ସିନେମା ପ୍ରସ୍ତୁତ ହେଲା।
ପ୍ରଥମ ଘରୋଇ ସାଟେଲାଇଟ୍ ଚ୍ୟାନେଲ ଭାବେ ଈଟିଭିର ଆତ୍ମପ୍ରକାଶ ହିଁ ଓଡ଼ିଶା ଟେଲିଭିଜନ ଇତିହାସରେ ସୃଷ୍ଟି କରିଥିଲା ଏକ ନୂଆ ଧାରା। ଈଟିଭି ପରିବେଷଣ କଲା ସମାଜ, ସମସ୍ୟା ଆଉ ସରକାରର କଥା। ସ୍ୱଦେଶ, ପ୍ରଦେଶ ଓ ବିଦେଶର କଥା। ଓଡ଼ିଶାରେ ଓଡ଼ିଆ ହେଉ କି ଓଡ଼ିଶା ବାହାରେ ଓଡ଼ିଆ, ତା’ର ଖବର କିମ୍ୱା ତାକୁ ପ୍ରଭାବିତ କରୁଥିବା ଖବରକୁ ଓଡ଼ିଆ ଭାଷାରେ ପ୍ରସାରଣ କରିବାର ଧାରା ଆରମ୍ଭ କରିଥିଲା ଈଟିଭି। ନୂଆ ନୂଆ ଧାରାକୁ ଆପଣେଇ ଖବରକୁ ନୂଆ ରଙ୍ଗ ଓ ଢଙ୍ଗରେ ଉପସ୍ଥାପନ କରିଥିଲା ଈଟିଭି।
ରାମୋଜୀ ରାଓଙ୍କୁ ମିଡିଆ ଜଗତର ଭୀଷ୍ମ ପିତାମହ ବୋଲି ମଧ୍ୟ କୁହାଯାଏ। ଏହା କହିବା ପଛରେ କାରଣ ବି ରହିଛି। ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ନିଜ ଉଦ୍ୟମରେ ଆଗାମୀ ପିଢ଼ି ପାଇଁ ଟେଲିଭିଜନ ସାମ୍ବାଦିକ ତିଆରି କରିବାର ଦୁଃସାହସ କରିଥିଲେ ରାମୋଜୀ ରାଓ। ସେ କହୁଥିଲେ, ପ୍ରତିଯୋଗିତା କି ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ପ୍ରତିବଦ୍ଧତାରେ ବିଶ୍ଵାସ କର। ଗଣମାଧ୍ୟମର ଦାୟିତ୍ୱବୋଧ ଏବଂ ଖବର ପ୍ରସାରଣ ସମୟରେ ନୈତିକତାର ସୀମା ରେଖା ନଟପିବା ଲାଗି ସେ ପରାମର୍ଶ ଦେଉଥିଲେ।
ଅନୁମାନ ନକରି ଅନୁସନ୍ଧାନରୁ ଅନୁସିଦ୍ଧାନ୍ତ ଆଣି ଖବର ପ୍ରସାରଣ ଉପରେ ସେ ବେଶ ଗୁରୁତ୍ଵ ଦେଉଥିଲେ। ଦୁର୍ନୀତିର ଦୁର୍ଗନ୍ଧକୁ ବାରି ତା’ର ଦୁର୍ଗଭେଦ କରିବାକୁ ପରାମର୍ଶ ଦେଉଥିଲେ ରାମୋଜୀ ରାଓ। ନିର୍ଭୀକ, ନିରପେକ୍ଷ ଓ ନିର୍ଭୁଲ ଖବର ପ୍ରସାରଣକୁ ସେ ପ୍ରାଥମିକତା ଦେଉଥିଲେ। ଏହା ବ୍ୟତୀତ ଦୁର୍ବିପାକ ବା ଦୁର୍ଘଟଣା ସମୟରେ ଲୋକଙ୍କ ପାଖରେ ବନ୍ଧୁ ପରି ଛିଡ଼ା ହେବାକୁ ସେ କହୁଥିଲେ।
ସାଧାରଣ ଚାଷୀ ପରିବାରରୁ ଆସିଥିବାରୁ ରାମୋଜୀ ରାଓ ସବୁବେଳେ ଚାଷୀଙ୍କ କଥା ଚିନ୍ତା କରୁଥିଲେ। ସେଥିପାଇଁ ୧୯୬୯ ମସିହାରେ ସେ ଆରମ୍ଭ କଲେ ‘ଅନ୍ନଦାତା’ ପତ୍ରିକା। କୃଷି ବିଜ୍ଞାନ କେନ୍ଦ୍ର ଓ କୃଷକଙ୍କ ମଧ୍ୟରେ ଦୂରତା କମ୍ କରିବାରେ ଏହି ପତ୍ରିକା ବେଶ ସହାୟକ ହୋଇଥିଲା। ଟେଲିଭିଜନ ଚ୍ୟାନେଲରେ ଚାଷୀଙ୍କୁ ଅଧିକ ସୂଚନା ଦେବା ପାଇଁ ଆରମ୍ଭ କରିଥିଲେ ‘ଅନ୍ନଦାତା କାର୍ଯ୍ୟକ୍ରମ।
ସିନେମା ନିର୍ମାଣ ଶିଳ୍ପକୁ ରାମୋଜୀ ରାଓଙ୍କ ଯୁଗାନ୍ତକାରୀ ଅବଦାନ ରହିଛି। ଅତ୍ୟାଧୁନିକ ଫିଲ୍ମ ସୁଟିଂ ଲାଗି ହାଇଦ୍ରାବାଦରେ ସେ ସ୍ଥାପନ କରିଥିଲେ ରାମୋଜୀ ଫିଲ୍ମ ସିଟି। ଟାଙ୍ଗର ଭୂଇଁରେ ନିର୍ମାଣ କଲେ ମର୍ତ୍ତ୍ୟର ନନ୍ଦନକାନନ। ରାମୋଜୀ ଫିଲ୍ମ ସିଟିର ଟ୍ୟାଗ ଲାଇନ ସେ ରଖିଥିଲେ, ‘କମ୍ ୱିଥ ଏ ସ୍କ୍ରିପ୍ଟ, ଗୋ ୱିଥ୍ ଏ ଫିଲ୍ମ’।
ଆଞ୍ଚଳିକ ଓ ଭାରତୀୟ ସିନେମା ଶିଳ୍ପ ପ୍ରତି ରାମୋଜୀ ରାଓଙ୍କର ଅବଦାନ ଅତୁଳନୀୟ ଥିଲା। ସେ ଦକ୍ଷିଣ ଭାରତୀୟ ସିନେମା ପାଇଁ ୪ ଥର ଫିଲ୍ମ ଫେୟାର ଆଓ୍ଵାର୍ଡ, ତେଲୁଗୁ ସିନେମା ପାଇଁ ଜାତୀୟ ଫିଲ୍ମ ଫେୟାର ଆଓ୍ଵାର୍ଡରେ ସମ୍ମାନିତ ହୋଇଥିଲେ। ଭାରତୀୟ ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୧୬ ମସିହାରେ ତାଙ୍କୁ ଦେଶର ଦ୍ଵିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା।
କଳା ଓ ପର୍ଯ୍ୟଟନ କ୍ଷେତ୍ରରେ ଶୀର୍ଷ ସଫଳତା ହାସଲ କରିଥିଲେ ରାମୋଜୀ ରାଓ। ହସ୍ପିଟାଲିଟି କ୍ଷେତ୍ରରେ ତାଙ୍କର ଡଲ୍ଫିନ ଗ୍ରୁପ୍ ଅଫ୍ ହୋଟେଲ ମାଇଲ ଖୁଣ୍ଟ ପାଲଟିଥିବାବେଳେ କଲାଞ୍ଜିଳି ଦ୍ଵାରା କାରୁ ଓ ଚାରୁକଳାର ପ୍ରସାର ସହ ଶିଳ୍ପୀ ଓ ବୁଣାକାରଙ୍କୁ ସେ ଯୋଗାଇ ଦେଇଥିଲେ ରୋଜଗାରର ନୂଆ ମାଧ୍ୟମ।
ଉଦ୍ୟୋଗର ବିଶାଳ ସାମ୍ରାଜ୍ୟ ଖୋଲିଥିଲେ ବି ଟିକେ ବି ଅହଂ ଭାବ ତାଙ୍କୁ ଛୁଇଁ ପାରିନଥିଲା। ସାଧାରଣ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ଜଣେ ଅସାଧାରଣ ବ୍ୟକ୍ତିତ୍ଵ ଥିଲେ ରାମୋଜୀ ରାଓ। ସଦା ହସହସ ମୁହଁ, ଧଳା ପୋଷାକ ପରିଧାନ କରିବାରେ ରୁଚି ରଖୁଥିବା ସାଧାସିଧା ମଣିଷଟିଏ ଥିଲେ ରାମୋଜୀ ରାଓ। ଏହି ସରଳ ମଣିଷଟି ଅଗଣିତ ଲୋକଙ୍କୁ ମଣିଷପଣିଆର ପରିଭାଷା ଶିଖାଇଥିଲେ।
ଅସଂଖ୍ୟ ଲୋକଙ୍କର ରୁଚିକୁ ସେ ଜାଣିପାରୁଥିଲେ। ଗଣମାଧ୍ୟମରେ ରହି ପାୱାର ପଲିଟିକ୍ସ ଚାପର ବଶବର୍ତ୍ତୀ ନହୋଇ ନିରପେକ୍ଷତାର କଷଟିରେ ନିଜକୁ ଦେଖିବାର ସାମର୍ଥ୍ୟକୁ ଦେଖାଇଥିଲେ ରାମୋଜୀ ରାଓ।
Tags: #RamojiRao #MediaTycoon #RamojiGroup #ETVNetwork #India