ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ୟା କଣ୍ଢେଇ ଗୁରେଇର ହାତ ଧରିଲେ ବର କଣ୍ଢେଇ ଅପର୍ତ୍ତି

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ଲୋକକଳା ଓ ସଂସ୍କୃତିର ଗଣପର୍ବ ଜଉ କଣ୍ଢେଇ ବାହାଘର ବୈଦିକ ରୀତିନୀତିରେ ସହଦେବଖୁଣ୍ଟା ସ୍ଥିତ ଲୋକନାଥ ମନ୍ଦିରରେ ସମ୍ପନ୍ନ ହୋଇଛି।

ପ୍ରସିଦ୍ଧ ଓଡ଼ିଆ ଗଳ୍ପ ‘ସୁଅ ମୁହଁରେ ପତର’ ର ନାୟକ ‘ଅପର୍ତ୍ତି’, ନାୟିକା ‘ଗୁରେଇ’ର ପାଣିଗ୍ରହଣ କରିଛନ୍ତି। ବାଲେଶ୍ୱର ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ମିଶନ ହାଇସ୍କୁଲ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ ବରଯାତ୍ରୀ ବାହାରି ସହର ପରିକ୍ରମା କରି ଲୋକନାଥ ମନ୍ଦିରରେ ପହଞ୍ଚି ଥିଲେ।

ପୁରୀର ସାହିଯାତ, ବାଲେଶ୍ଵରର ରଙ୍ଗ ଢୋଲ, ଦୁବଲାଗଡ଼ର ପିତୁଳା ନାଚ, ପାଇକ ଆଖଡ଼ା, ଭଦ୍ରକର ଲଉଡ଼ି, ନୀଳଗିରିର ଆଦିବାସୀ ନୃତ୍ୟ କରୁଥିବା ଦଳ ସହର ପରିକ୍ରମ କରିଥିଲେ। ବରଯାତ୍ରୀଙ୍କୁ ସହରବାସୀ ସ୍ୱାଗତ କରିଥିଲେ।

ବରଯାତ୍ରୀ ଭାବେ ଜଉ କଣ୍ଢେଇ ଉତ୍ସବ ସମିତିର ଉପେନ୍ଦ୍ର ନାଥ ପାତ୍ର, ବିପ୍ଳବ କୁମାର ମହାନ୍ତି, ରଘୁନାଥ ଲେଙ୍କା, କେଶୁଦାସ, ରାଜେଶ ଗିରି, କାଳିକିଙ୍କର ଦାସ, ହୃଷୀକେଶ ସାହୁ, ବ୍ରହ୍ମନାଥ ରଥ, ବ୍ୟୋମନାଥ ରଥ, ଅନିନ୍ଦିତା ଆଚାର୍ଯ୍ୟ, ଅନିତା ରଥ, ଲିପି ଦାସ ମହାପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ।

ଲୋକନାଥ ମନ୍ଦିରରେ ବରପକ୍ଷର ପୁରୋହିତ ବିମଳ ପଣ୍ଡା, ଲୋକନାଥ ମନ୍ଦିରରେ କନ୍ୟା ପକ୍ଷର ପଣ୍ଡିତ ବିଶ୍ଵମ୍ବର ମିଶ୍ର ଓ ବିମଳ ବାରିକ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଗୁରେଇର କନ୍ୟାଦାନ କରିଥିଲେ ନୀଳମଣି ମଣ୍ଡଳ ଓ ଉମାମଣି ମହାନା। ବର ପିତା ପିତାମ୍ବର ଦାସ ଓ ବରମାତା ସୁକାନ୍ତି ଲତା ଦାସ ବିବାହ ପରେ ପୁଅ ବୋହୂଙ୍କୁ ସାଙ୍ଗରେ ଧରି ବରଯାତ୍ରୀ ଦଳଙ୍କ ସହ ଫେରିଥିଲେ ଖ୍ରୀଷ୍ଟିୟାନ ହାଇସ୍କୁଲ ପଡ଼ିଆକୁ।

ବରଯାତ୍ରୀମାନେ ଶୋଭାଯାତ୍ରାରେ ବାହାରିବା ପୂର୍ବରୁ ଖ୍ରୀଷ୍ଟିଆନ ହାଇସ୍କୁଲ ପଡ଼ିଆରେ ଜଉ କଣ୍ଢେଇ ଉତ୍ସବ ସମିତିର ଉପସଭାପତି ଅଞ୍ଜଳି ପଣ୍ଡାଙ୍କ ପୌରୋହିତ୍ୟରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଧନଞ୍ଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ବିଶିଷ୍ଟ ଲେଖକ ତଥା ପ୍ରାଧ୍ୟାପକ ହରିହର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶାକୁ ବାଲେଶ୍ୱରର ଲୋକକଳା ଓ ସଂସ୍କୃତିର ଅବଦାସ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ପ୍ରଜାପିତା ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ଉପମୁଖ୍ୟ ବି ମିନତୀ, ‘ନାୟିକା’ ନାଟ୍ୟାନୁଷ୍ଠାନର ନିର୍ଦ୍ଦେଶିକା ସସ୍ମିତା ରଣା ଓ ଅଖିଳ ଭାରତ ମାରୁଆଡ଼ି ମହିଳା ସମ୍ମେଳନର ଅଧ୍ୟକ୍ଷା ମଞ୍ଜୁ ସେରାଓଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଲେଶ୍ୱରର ଜଉ କଣ୍ଢେଇ ବାହାଘର କମିଟିର ଉଦ୍ୟମକୁ ପ୍ରଶଂସା କରିଥିଲେ।

ଧରିତ୍ରୀ ମିଶ୍ର ପ୍ରାକ ସୂଚନା ପ୍ରଦାନ କରିଥିବାବେଳେ ରଚନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମଞ୍ଚରେ ନୋସି କଲଚରାଲ ଏକାଡେମୀ, କୈଳାସ ନୃତ୍ୟ ଗ୍ରୁପ ଓ ସମ୍ବଲପୁରୀ ନୃତ୍ୟଦଳଙ୍କ ଆକର୍ଷଣୀୟ ନୃତ୍ୟରେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ।

Tags: #JauKandhei #JauKandheiMarriage #Balasore #Culture #Tradition #Odisha

Comment