ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ଅଭିବୃଦ୍ଧି ସହ ଆଦିବାସୀ ମହିଳାଙ୍କ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନେଇଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ଏନେଇ ବାଙ୍ଗିରିପୋଷି ଓ ବଣକାଟିରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କେନ୍ଦ୍ର। ଜିଲ୍ଲା ପ୍ରଶାସନ ଓ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବାରିପଦାର ସହଯୋଗରେ ଏହି କେନ୍ଦ୍ରର ପ୍ରତିଷ୍ଠା କରାଯାଇଛି।
ବାଙ୍ଗିରିପୋଷି ପ୍ରଶିକ୍ଷଣ କେନ୍ଦ୍ରରେ ଆଦିବାସୀ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ନିଟ୍ ଓ ଜେଇଇ ପରୀକ୍ଷା ପାଇଁ କୋଚିଂ ଦିଆଯାଉଛି। ସେହିପରି ବଣକାଟି ପ୍ରଶିକ୍ଷଣ କେନ୍ଦ୍ରରେ ମହିଳାମାନଙ୍କ ପାଇଁ ନିର୍ମାଣ ହୋଇଛି ଫୁଲୋ ଝନୋ ପୋଷାକ ଉତ୍ପାଦନ ୟୁନିଟ। ପାଖାପାଖି ୫୦ ଜଣ ମହିଳା ଏଠାରେ ସିଲେଇ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କୁ ସିଲାଇ ମେସିନ ଯୋଗାଇ ଦିଆଯାଇଛି।
ବାଙ୍ଗିରିପୋଷି ପ୍ରଶିକ୍ଷଣ କେନ୍ଦ୍ର ସହ ବଣକାଟି ସ୍ଥିତ ସରକାରୀ ବାଳିକା ଏସ.ଏସ.ଡ଼ି ମାଧ୍ୟମିକ ବିଦ୍ୟାଳୟରେ ୧୦୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ମାଗଣାରେ କୋଚିଂ ଦିଆଯାଉଛି। ଏଥିପାଇଁ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧିନସ୍ଥ ଥିବା ସମସ୍ତ ଏସ.ଏସ.ଡ଼ି ସ୍କୁଲରେ ଏଣ୍ଟ୍ରାନ୍ସ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଉଛି।
“ଏହି ବ୍ୟବସ୍ଥା ଅଧୀନରେ ଡାକ୍ତରୀ ଏବଂ ଇଞ୍ଜିନିୟରିଙ୍ଗ ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ଏହାଦ୍ଵାରା ସେମାନଙ୍କ ଆଇଆଇଟି ଓ ଏମ୍ସ ଭଳି ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ସୁଯୋଗ ସୃଷ୍ଟି ହେବ। କେବଳ ଆଦିବାସୀ ନୁହେଁ ଅନାଥ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହି କୋଚିଂ ମାଗଣାରେ ଉପଲବ୍ଧ। ଏହାସହ ଆଦିବାସୀ ମହିଳାଙ୍କୁ ଆର୍ଥିକ ଭାବେ ସ୍ଵଚ୍ଛଳ କରିବା ପାଇଁ ଆଇଟିଡିଏ ଓ ଜିଲ୍ଲା ପ୍ରଶାସନର ସହାୟତାରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଉଛି”, କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ।
ନିକଟରେ ଏହିସବୁ ପ୍ରଶିକ୍ଷଣ କେନ୍ଦ୍ରକୁ ବିଭିନ୍ନ ମନ୍ତ୍ରୀ, ସାଂସଦ, ବିଧାୟକ, ଏବଂ ଜନପ୍ରତିନିଧିମାନେ ଗସ୍ତ କରିଥିଲେ। ସେଠାକାର କାର୍ଯ୍ୟକାରିତାର ନିରୀକ୍ଷଣ କରିବା ସହ ଏଭଳି ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ।
Tags: #AdivasiStudents #Education #EconomicDevelopment #ITDA #Mayurbhanj