ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧକୁ ଏବେ ୧୦୦୦ ଦିନ ପୂରିଛି। ଏହି ଯୁଦ୍ଧ ଏବେ ତୃତୀୟ ବିଶ୍ୱଯୁଦ୍ଧର ଘନଘଟାକୁ ଆହୁରି ବଢ଼ାଇ ଦେଇଛି। ରୁଷ ଉପରେ ବାଲିଷ୍ଟିକ ମିସାଇଲ ବ୍ୟବହାର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଜୋ ବାଇଡେନଙ୍କ ଅନୁମତି ପରେ ୟୁକ୍ରେନ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛି। ୟୁକ୍ରେନ ରୁଷର ବ୍ରାୟାନସ୍କ ଅଞ୍ଚଳକୁ ଆମେରିକା ଦେଇଥିବା ମିସାଇଲ ମାଡ଼ କରିଥିବା ରୁଷ ପ୍ରତିରକ୍ଷା ବିଭାଗ ଅଭିଯୋଗ କରିଛି। ଏବେ ରୁଷ ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି।

କଠୋର ହେଲେ ପୁଟିନ

ଏବେ ଯୁଦ୍ଧକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଆଭିମୁଖ୍ୟ ଆହୁରି କଠୋର ହୋଇଛି। ସେ ରୁଷର ପରମାଣୁ ଅସ୍ତ୍ରର ବ୍ୟବହାର ଲାଗି ଥିବା ଏକ ନିୟମରେ ପରିବର୍ତ୍ତନ ଆଣିବା ପାଇଁ ଅନୁମତି ଦେଇଛନ୍ତି। ଏହି ପରିବର୍ତ୍ତିତ ନିୟମ ଅନୁସାରେ, ଯଦି କୌଣସି ଦେଶ ରୁଷ ଉପରେ ଆକ୍ରମଣ କରେ ତେବେ ରୁଷ ଉକ୍ତ ଦେଶ ଉପରେ ଆଣବିକ ଅସ୍ତ୍ର ବ୍ୟବହାର କରିପାରିବ।  

ନାଟୋ ଦେଶଙ୍କ ସତର୍କତା

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଏପରି ମୁହାଁମୁହିଁ ସ୍ଥିତି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କାକୁ ବଢ଼ାଇ ଦେଇଛି। ଏପରିକି ଭୟଙ୍କର ଯୁଦ୍ଧ ଆଶଙ୍କା ଥିବାରୁ ଦେଶରେ ଖାଦ୍ୟ ପାନୀୟ ଭଳି ଜୁରରୀ ସାମଗ୍ରୀ ଗଚ୍ଛିତ ରଖିବାକୁ ନାଟୋ ଦେଶଗୁଡ଼ିକ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି।

ସ୍ୱିଡେନରେ ଲୋକଙ୍କୁ ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ପ୍ରତ୍ୟେକ ନାଗରିକଙ୍କ ଘରେ ଯୁଦ୍ଧର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତିର ସୂଚନାପତ୍ର ଦିଆଯାଇଛି। 

ସେହିପରି ନରୱେରେ ମଧ୍ୟ ଲୋକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ନେଇ ସତର୍କ କରି ଦିଆଯାଇଛି। ଡେନମାର୍କରେ ୩ ଦିନ ପାଇଁ ଶୁଖିଲା ରାସନ, ପାଣି ଓ ଅତ୍ୟାବଶ୍ୟକ ଔଷଧ ଗଚ୍ଛିତ ରଖିବା ଲାଗି ଲୋକଙ୍କୁ କୁହାଯାଇଛି।

ସୋମବାର ୟୁକ୍ରେନ ରୁଷ ଉପରେ ଆମେରିକା ନିର୍ମିତ ୬ଟି ମିସାଇଲ ମାଡ଼ କରିଥିଲା। ତେବେ ରୁଷ ୫ଟି ମିସାଇଲକୁ ଖସାଇ ଦେଇଥିବାବେଳେ ଗୋଟିଏ ପଡ଼ିଥିଲା। ଫଳରେ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଛି। ତେବେ କୌଣସି କ୍ଷୟକ୍ଷତି ହୋଇନଥିବା ରୁଷ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ରୁଷ-ୟୁକ୍ରେନ ଯୁଦ୍ଧ ଯେକୌଣସି ମୁହୂର୍ତ୍ତରେ ଭୟଙ୍କର ରୂପ ନେଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି।

ଭାରତ ଆସିବେ ପୁଟିନ!

ଏପରି ଯୁଦ୍ଧ ଘନଘଟା ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଡିମାର ପୁଟିନ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି। ୟୁକ୍ରେନ ସହ ଯୁଦ୍ଧ ଲାଗିବା ପରଠାରୁ ପୁଟିନ ଭାରତ ଗସ୍ତରେ ଆସି ନ ଥିଲେ। ତେବେ ପୁଟିନଙ୍କ ଗସ୍ତ ନେଇ ତାରିଖ ଘୋଷଣା କରାଯାଇନାହିଁ। ଆସନ୍ତା ବର୍ଷ ରୁଷ-ଭାରତ ବାର୍ଷିକ ସମ୍ମିଳନୀ ଅବସରରେ ପୁଟିନ ଭାରତ ଆସିପାରନ୍ତି ବୋଲି କୁହାଯାଉଛି।

Tags: #Russia-UkraineWar #WorldWar3 #VladimirPutin #NATO #USA #Europe

LEAVE A REPLY

Please enter your comment!
Please enter your name here