ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିଦେଶୀୟ ବିଦେଶ ଗସ୍ତରେ ଯାଇ ଶେଷରେ ଗୁଏନାରେ ପହଞ୍ଚିଛନ୍ତି। ସେ ଗୁଏନାରେ ଭାରତ-କ୍ୟାରିକମ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଗୁଏନା ଓ ଡୋମିନିକାର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି। ଏହି ଉପଲବ୍ଧି ପରେ ସେ ୧୯ଟି ଦେଶର ନାଗରିକ ସମ୍ମାନର ଅଧିକାରୀ ହୋଇଛନ୍ତି।

ବ୍ରାଜିଲରେ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଏନା ଯାଇଥିଲେ। ୫୬ ବର୍ଷ ପରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗୁଏନା ଗସ୍ତ।

ଏହି ଅବସରର ଗୁଆନାର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ ଅଲ୍ଲୀ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଦ ଅର୍ଡର ଅଫ୍ ଏକ୍ସଲେନ୍ସ’ରେ ସମ୍ମାନିତ କରିଥିଲେ। ବିଶ୍ୱସ୍ତରରେ ତାଙ୍କର ଅସାଧାରଣ ସେବା, ରାଜନେତା ଭାବେ ଦକ୍ଷ ନେତୃତ୍ୱ ଏବଂ ଭାରତ-ଗୁଏନା ସମ୍ପର୍କକୁ ସୁଦୃଢ଼ କରିବାରେ ବଳିଷ୍ଠ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।  

ସେହିପରି ଡୋମିନିକାର ରାଷ୍ଟ୍ରପତି ସିଲଭେନି ବ୍ରୁଟୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଡୋମିନିକା ଆୱାର୍ଡ ଅଫ୍ ଅନର୍’ ପ୍ରଦାନ କରିଥିଲେ। କୋଭିଡ୍ ମହାମାରୀ ସମୟରେ ଡୋମିନିକାକୁ ଭ୍ୟାକ୍ସିନ ଯୋଗାଇବା ଏବଂ ଭାରତ-ଡୋମିନିକା ସମ୍ପର୍କକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିସହିତ ବାର୍ବାଡସର ‘ଅନରାରି ଅର୍ଡର ଅଫ ବାର୍ବାଡସ’ ସମ୍ମାନରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି।  

ଏହିସବୁ ସମ୍ମାନ ପାଇବା ପରେ ନରେନ୍ଦ୍ର ମୋଦୀ କହିଛନ୍ତି, “ଏହା କେବଳ ମୋର ସମ୍ମାନ ନୁହେଁ,  ବରଂ ଭାରତର ୧୪୦ କୋଟି ଲୋକଙ୍କ ସମ୍ମାନ।”

ଏହା ପୂର୍ବରୁ ନାଇଜିରିଆ ଗସ୍ତ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଅର୍ଡର ଅଫ ଦି ନାଇଜର’ ସମ୍ମାନରେ ସମ୍ମାନିତ ହୋଇଥିଲେ। ନରେନ୍ଦ୍ର ମୋଦୀ ହେଉଛନ୍ତି ଦ୍ଵିତୀୟ ବ୍ୟକ୍ତି ଯାହାଙ୍କୁ ଏହି ସମ୍ମାନ ପ୍ରଦାନ କରିଛି ନାଇଜେରିଆ। ଏହାପୂର୍ବରୁ ୧୯୬୯ ମସିହାରେ ଇଂଲଣ୍ଡର ରାଣୀ ଏଲିଜାବେଥଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଏହାକୁ ମିଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୯ଟି ଦେଶର ନାଗରିକ ସମ୍ମାନରେ ସମ୍ମାନିତ ହୋଇ ସାରିଲେଣି।

Tags: #PMNarendraModi #StateHonour #InternationalAwards #Guyna #Dominica

LEAVE A REPLY

Please enter your comment!
Please enter your name here