ମିନତି ମିଶ୍ର
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଯାଇଛି। ଏହି ନିର୍ବାଚନରେ ଜେଏମଏମ ଓ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ବିଜୟୀ ହୋଇଛି। ଝାଡଖଣ୍ଡ ବିଧାନସଭା ଆସନ ୮୧ ଥିବାବେଳେ ମ୍ୟାଜିକ ନମ୍ବର ହେଉଛି ୪୧। ଏଥିରୁ ଇଣ୍ଡି ମେଣ୍ଟ ୫୬ଟି ଆସନ ଅକ୍ତିଆର କରିଛି। ସେହିପରି ଏନଡିଏ ମେଣ୍ଟ ୨୪ଟି ଆସନରେ ଜିତିଛି। ଜେଏମଏମ ନେତା ହେମନ୍ତ ସୋରେନଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି।
ଗୋଟିଏ ପଟେ ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟ ଶୋଚନୀୟ ପରାଜୟ ସ୍ୱୀକାର କରିଥିବାବେଳେ ଝାଡ଼ଖଣ୍ଡରେ ବଡ଼ ବିଜୟ ହାସଲ କରିଛି। ଝାଡଖଣ୍ଡରେ ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ୪୧ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୩୦ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସେହିପରି ଆରଜେଡି ୬ଟି ଏବଂ ସିପିଆଇଏମ୍ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲେ।
ଏମିତି ଦେଖିଲେ, ଝାଡ଼ଖଣ୍ଡରେ କଂଗ୍ରେସ ମେଣ୍ଟ ନୀତି ପାଳନ କରିନି କହିଲେ ଭୁଲ ହେବନି। ଝାଡଖଣ୍ଡରେ ଜେଏମଏମ ବା ଅନ୍ୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ କି ମଲ୍ଲିକାର୍ଜ୍ଜୁନ ଖଡଗେ ଥରୁଟିଏ ବି ମଇଦାନକୁ ଆସିନଥିଲେ। କଂଗ୍ରେସର ବରିଷ୍ଠ ନେତା ଏଠାରେ ୯ଟି ରାଲି କରିଛନ୍ତି, କିନ୍ତୁ ସବୁ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ। କେନ୍ଦ୍ରୀୟ ବରିଷ୍ଠ ନେତା ସହଯୋଗୀ ଦଳ ପାଇଁ ଗୋଟିଏ ବି ରାଲି କରି ନ ଥିଲେ ଯାହା ଜେଏମଏମ ଓ ଅନ୍ୟ ଦଳକୁ ନିରାଶ କରିଥିଲା।
ଅନ୍ୟପକ୍ଷେ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ ସବୁ ଦଳ ପ୍ରଚାର ପାଇଁ ମୈଦାନକୁ ଆସିଛନ୍ତି। ଏମାନେ ପ୍ରାୟ ୯୦ଟି ନିର୍ବାଚନ ରାଲି କରିଥିଲେ। ଏପରିକି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବି ପ୍ରଚାର କରିଥିଲେ। ଯାହା ବି ହେଉ, କଂଗ୍ରେସର ସହଯୋଗ ନିରୁତ୍ସାହଜନକ ହେଲେ ହେଁ ଇଣ୍ଡି ମେଣ୍ଟକୁ ସ୍ପଷ୍ଟ ମହୁମତ ମିଳିଛି।
ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ଏହା ଦଳପାଇଁ ଏକ ବଡ଼ କ୍ଷତି ଥିଲା। ଏହାପରେ ବିରୋଧୀ ଭାବୁଥିଲେ, ୨୦୨୪ ନିର୍ବାଚନ ଜନମତ ତାଙ୍କ ସପକ୍ଷରେ ଯିବ। ହେଲେ ସବୁ ଗଣିତ ଭୁଲ ପ୍ରମାଣିତ କରିଦେଲେ ହେମନ୍ତ ସୋରେନ। ପ୍ରତିକୂଳ ପରିସ୍ଥିତିରେ ଲଢ଼ି ବିଜେପି ନେତୃତ୍ୱରେ ଥିବା ଏନଡିଏକୁ ମାତ ଦେଇଛନ୍ତି।
କାହିଁକି ହାରିଲା ବିଜେପି?
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଯେଉଁ ମୁଖ୍ୟ ପ୍ରସଙ୍ଗକୁ ବିଜେପି ଆଧାର କରିଥିଲା ତାହା କାମ ଦେଲାନି। ଦଳର ଅନୁପ୍ରବେଶ ପ୍ରସଙ୍ଗ ଭୋଟରଙ୍କୁ ମନେଇ ପାରିଲାନି। ଏଠାରେ ବିଜେପିର ପୂରା ପ୍ରଚାର ଅଭିଯାନକୁ ଦେଖିଲେ ଜଣାପଡୁଛି ଅନୁପ୍ରବେଶକୁ ଦଳ ମୁଖ୍ୟ ମୁଦ୍ଦା କରିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଓ ବିଜେପିର ଝାଡ଼ଖଣ୍ଡ ପ୍ରଭାରୀ ଶିବରାଜ ସିଂହ ଚୌହାନ ସମସ୍ତେ ପ୍ରଚାରବେଳେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗ ଉଠାଇଥିଲେ। ତେବେ ଝାଡ଼ଖଣ୍ଡ ଭୋଟର ଅନୁପ୍ରବେଶ ପ୍ରସଙ୍ଗକୁ ଏତେ ଗୁରୁତ୍ୱ ସହ ନେଇ ନଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅନ୍ୟପକ୍ଷେ ଜେଏମଏମ-ଇଣ୍ଡି ମେଣ୍ଟର ମୈୟା ସମ୍ମାନ ଯୋଜନାରେ ମହିଳାଙ୍କୁ ୨୫୦୦ ଟଙ୍କାର ଅନୁଦାନ, ଚାଷୀଙ୍କୁ ୨ ଲକ୍ଷ ଯାଏଁ କୃଷି ଋଣ ଛାଡ଼, ବିଜୁଳି ବିଲ୍ ଛାଡ଼ ଆଦି ଯୋଜନା ଭୋଟରଙ୍କୁ ପ୍ରଭାବିତ କରିଥିଲା। ଏହା ବ୍ୟତୀତ ହେମନ୍ତ ସୋରେନଙ୍କ ଜେଲ ଯିବା, ପତ୍ନ କଳ୍ପନା ସୋରେନ ମୈଦାନକୁ ଆସିବା ସର୍ବେପରି ତାଙ୍କର ସକାରାତ୍ମକ ପ୍ରଚାର ମେଣ୍ଟକୁ ଏକପ୍ରକାର ସଫଳତା ଦେଇଥିଲା।
ହେମନ୍ତ ସୋରେନ ଜେଲ ଯିବାପରେ ସରକାର ବିରୋଧୀ ହାୱା ଚାଲିଥିଲା। ତାଙ୍କର ଘନିଷ୍ଠ ସହଯୋଗୀ ଯଥା ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ,ସହଯୋଗୀ ଚମ୍ପାଇ ସୋରେନ ଦଳ ଛାଡ଼ି ବିଜେପିରେ ସାମିଲ ହେଇଥିଲେ। ଏତେ ସବୁ ପ୍ରତିକୂଳ ସ୍ଥିତିରେ ଲଢ଼ିବା ଜନତାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଛି ବୋଲି କୁହାଯାଉଛି।
Tags: #JharkhandAssemblyElections2024 #Results #JMM #Congress #INDIA #BJP #Jharkhand