ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ନଭେମ୍ବର ୨୪ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନ ବିଭିନ୍ନ କାରଣରୁ ଖାରଜ ହୋଇଥିଲା। ଏହାକୁ ନେଇ ବାଦ ପଡ଼ିଥିବା ହିତାଧିକାରୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିଲା।

ତେବେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯାଞ୍ଚ କରି ଯୋଜନାରେ ସାମିଲ କରିବା ପାଇଁ ବିଭିନ୍ନ ବ୍ଲକର ବିଡିଓଙ୍କୁ ଦାୟିତ୍ଵ ଦେଇଥିଲେ ରାଜ୍ୟ ସରକାର। ଯାଞ୍ଚ ରିପୋର୍ଟ ଆସିବା ପରେ ବାଦ ପଡ଼ିଥିବା ୨୨ ପ୍ରତିଶତ ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ନଭେମ୍ବର ୨୪ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀ ୫ ହଜାର ଟଙ୍କା ଲେଖାଏଁ ପାଇବେ। ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ପ୍ରଥମ କିସ୍ତିର ଦୁଇଟି ପର୍ଯ୍ୟାୟରେ ରାଜ୍ୟର ୬୦ ଲକ୍ଷ ୨୭ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ କରାଯାଇଛି। ତୃତୀୟ ପର୍ଯ୍ୟାରେ ଏହି ସଂଖ୍ୟା ୮୦ ଲକ୍ଷ ଟପିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷରେ ପହଞ୍ଚିଛି। ନଭେମ୍ବର ୨୪ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବା ପରେ ଆସନ୍ତା ଡିସେମ୍ବର ମାସରେ ଚତୁର୍ଥ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ କରିବାକୁ ଯୋଜନା ରହିଛି।

ଯେଉଁ ହିତାଧିକାରୀମାନେ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି, ସେମାନେ ଆସନ୍ତା ୨୦୨୫ ଜାନୁଆରି ଏବଂ ଫେବ୍ରୁଆରି ମାସରେ ଆବେଦନ କରିପାରିବେ। ଏହି ଆବେଦନକାରୀଙ୍କୁ ଆସନ୍ତା ବର୍ଷ ମାର୍ଚ୍ଚ ୮ ତାରିଖରେ ଦୁଇଟି କିସ୍ତିର ଟଙ୍କା ପ୍ରଦାନ କରାଯିବ।

ଜଣେ ଜଣେ ହିତାଧିକାରୀଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି ଏବଂ ଏଥିରେ ଗୋଟିଏ ମୋବାଇଲ ନମ୍ବର ଯୋଡ଼ାଯାଇଛି। ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ସଂଯୋଗ କରିବାକୁ ହିତାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବାରୁ କୌଣସି ହିତାଧିକାରୀ ବଞ୍ଚିତ ହୁଅନ୍ତି, ଯାଞ୍ଚ କରାଯାଇ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ।

ଗତ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏହାପରେ ଗତ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।

ଆସନ୍ତା ୨୦୨୫ ମସିହା ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।

Tags: #SubhadraYojana #PravatiParida #Odisha

LEAVE A REPLY

Please enter your comment!
Please enter your name here